ଆଚରଣ ବିଧି ସତ୍ତ୍ବେ କାଳିଆ ପାଇଁ ଆବେଦନ ହୋଇପାରିବ : ସୂଚନା ଦେଲେ କୃଷିମନ୍ତ୍ରୀ ଶଶିଭୂଷଣ

ଭୁବନେଶ୍ବର : କାଳିଆ ଯୋଜନା କରି ଚାଷୀଙ୍କ ନାଁରେ ରାଜ୍ୟ ସରକାର କେବଳ ନିଜ ଦଳୀୟ ଲୋକଙ୍କୁ ସିଧାସଳଖ ଟଙ୍କା ଦେବାର କାର୍ଯ୍ୟକ୍ରମ ଚଳାଇଛନ୍ତି। ସାମ୍ବାଦିକ ସମ୍ମିଳନୀ କରି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଏପରି ଅଭିଯୋଗ କରିଛନ୍ତି। ଏହାସହିତ ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରେ ହିତାଧିକାରୀଙ୍କ ତାଲିକା ରାଜ୍ୟ ସରକାର େକନ୍ଦ୍ରକୁ ପଠାଉନଥିବା ମଧ୍ୟ ବିଜେପି ଅଭିଯୋଗ କରିଛି। ବିଜେପିକୁ ଜବାବ ଦେବାକୁ ଯାଇ କୃଷିମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି, କିଷାନ ନିଧି ଯୋଜନା ପାଇଁ ସରକାର ପଠାଇଥିବା ୧୨ ଲକ୍ଷ ହିତାଧିକାରୀଙ୍କ ତାଲିକାରୁ ୩ ଲକ୍ଷ ହିତାଧିକାରୀଙ୍କୁ ବାଦ ଦିଆଯାଇଛି। କ’ଣ ପାଇଁ ସେସବୁ ହିତାଧିକାରୀ ତାଲିକାରୁ ବାଦ ପଡ଼ିଛନ୍ତି ତାର କାରଣ କେନ୍ଦ୍ର ସରକାର ଜଣାଇନାହାନ୍ତି।

ସୋମବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ବିଜେପି ଉପସଭାପତି ଶ୍ରୀମହାନ୍ତି ଅଭିଯୋଗ କରି କହିଥିଲେ, ରାଜ୍ୟ ସରକାର କ୍ୟାବିନେଟ ନିଷ୍ପତ୍ତି ମୁତାବକ ୪୫ ଲକ୍ଷ ଲୋକଙ୍କୁ କାଳିଆ ଯୋଜନାରେ ଅର୍ଥ ଦେବେ ବୋଲି କହିଥିଲେ। ଏବେ ବଡ଼ବଡ଼ ହୋର୍ଡ଼ିଂ ଲଗାଇ କହିଛନ୍ତି ୫୦ ଲକ୍ଷ କ୍ଷୁଦ୍ରଚାଷୀଙ୍କୁ ସହାୟତା ଦେଇଛନ୍ତି। ବାସ୍ତବରେ କେତେ ଜଣଙ୍କୁ ଟଙ୍କା ଦିଆଯାଇଛି ତାର କିଛି ସ୍ପଷ୍ଟତା ନାହିଁ। କାଳିଆ ଯୋଜନାର ଲାଭ ମନ୍ତ୍ରୀଙ୍କ ଭାଇ, ତାଙ୍କ ପତ୍ନୀ, ଦଳୀୟ ନେତାଙ୍କୁ ମିଳିଥିବା ନେଇ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ େଵବସାଇଟରୁ କାଳିଆ ହିତାଧିକାରୀ ତାଲିକା ଉଠାଇଦେଲେ। ଏପରିକି ତାଲିକାରେ ଜଣେ ବ୍ୟକ୍ତିଙ୍କ ନାଁରେ ଏକାଧିକ ଥର ଟଙ୍କା ଯାଇଥିବା ଉଲ୍ଲେଖ ରହିଛି। ଏବେ ତୃତୀୟ ପର୍ଯ୍ୟାୟ ଅର୍ଥ ଦିଆସରିଥିବା ସରକାର କହିଛନ୍ତି। କୌଣସି ସ୍ପଷ୍ଟତା ନଥାଇ କେବଳ ନିର୍ବାଚନକୁ ଆଖିରେ ରଖି ଦଳୀୟ ପ୍ରଚାର କରିବା ପାଇଁ ଅନଲାଇନ୍ ଆକାଉଣ୍ଟ ଯୋଗେ କାର୍ଯ୍ୟକର୍ତ୍ତାଙ୍କୁ ଟଙ୍କା ପଠାଇବାକୁ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି। ଏହା ରାଜ୍ୟର ଚାଷୀମାନଙ୍କ ପାଇଁ ଏକ ଭଣ୍ଡାମି ବୋଲି ଶ୍ରୀମହାନ୍ତି ଅଭିଯୋଗ କରିଥିଲେ। ସେହିପରି ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରେ ମାତ୍ର ୯ ଲକ୍ଷ ଚାଷୀଙ୍କ ତାଲିକା ସରକାର ପଠାଇଛନ୍ତି। ଆଉ ଚାଷୀଙ୍କ ତାଲିକା କେନ୍ଦ୍ରକୁ ଦେଇନାହାନ୍ତି। ବିଜେପିକୁ ଜବାବ ଦେଇ କୃଷି ମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି, କାଳିଆ ଯୋଜନା ଏକ ଯୁଗାନ୍ତକାରୀ ଯୋଜନା। ଏଥିରେ କ୍ଷୁଦ୍ର ଚାଷୀମାନେ ଉପକୃତ ହେଉଛନ୍ତି। ବିଜେପି ଏହି ଯୋଜନାକୁ ସମାଲୋଚନା କରି ଭୋକ ବିକଳରେ ତାଟିଆ କାମୁଡ଼ିବା ଭଳି ପ୍ରମାଣ କରୁଛି। ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରେ ରାଜ୍ୟ ସରକାର ୧୨ ଲକ୍ଷ ହିତାଧିକାରୀଙ୍କ ତାଲିକା କେନ୍ଦ୍ରକୁ ପଠାଇଥିଲେ। ସେଥିରୁ ୩ ଲକ୍ଷ ହିତାଧିକାରୀଙ୍କୁ କେନ୍ଦ୍ର ସରକାର ଗ୍ରହଣ କରିନାହନ୍ତି। କାହିଁକି ୩ ଲକ୍ଷ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରୁ ବାଦ ଦିଆଗଲା ସେ ନେଇ କିଛି ବି କାରଣ ଦର୍ଶାଇ ନାହାନ୍ତି। ରାଜ୍ୟ ସରକାର ଆଉ ଅଧିକ ୨୦ ଲକ୍ଷ ହିତାଧିକାରୀଙ୍କୁ କାଳିଆ ଯୋଜନାରେ ସାମିଲ କରିବାକୁ ଯାଇ ଆବେଦନ କରିବା ପାଇଁ ଶେଷ ଦିନ ଭାବେ ମାର୍ଚ୍ଚ ୮ ତାରିଖ ଧାର୍ଯ୍ୟ କରିଥିଲେ। କିନ୍ତୁ ପରେ ମୁଖ୍ୟମନ୍ତ୍ରୀ ଏହି ତାରିଖକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏବେ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ନୂଆ ହିତାଧିକାରୀ ସାମିଲ କରାଯିବନି କିନ୍ତୁ କ୍ଷୁଦ୍ର ଓ ନାମମାତ୍ର ଚାଷୀ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଆବେଦନ କରିପାରିବେ। ନିର୍ବାଚନ ସରିବା ପରେ ଚାଷୀଙ୍କ ଆବେଦନକୁ ଯାଞ୍ଚ କରାଯାଇ ହିତାଧିକାରୀ ତାଲିକାରେ ସାମିଲ କରାଯିବ।

ସମ୍ବନ୍ଧିତ ଖବର