ସ୍ଥଗିତ ରହିଲା କାଳିଆ ଟଙ୍କା ଫେରସ୍ତ, ସବୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ଚିଠି ଲେଖିଲେ କୃଷି ନିର୍ଦ୍ଦେଶକ

ଭୁବନେଶ୍ବର : ଅଯୋଗ୍ୟ ନେଇଥିବା କା​ଳିଆ ଟଙ୍କା ଫେରସ୍ତ ପ୍ରକ୍ରିୟାକୁ ରାଜ୍ୟ ସରକାର ସ୍ଥଗିତ ରଖିଛନ୍ତି। ରାଜ୍ୟରେ କରୋନା ମହାମାରୀ ଆତଙ୍କ ଲାଗି ରହିଛି। ଏହାସହିତ ଚାଷୀମାନେ ଏବେ ଖରିଫ ଚାଷକାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ଏହାକୁ ଦୃଷ୍ଟିରେ ରଖି ସରକାର ଟଙ୍କା ଆଦାୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଆଜି କୃଷି ନିର୍ଦ୍ଦେଶକ ସବୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀମାନଙ୍କୁ ଚିଠି ଲେଖି ଜଣାଇଛନ୍ତି।

ପ୍ରକାଶଥାଉକି, ୨୦୧୮ ଡିସେମ୍ବରରେ ଚାଷୀମାନଙ୍କୁ ସହାୟତା ଦେବା ପାଇଁ ଲାଗୁ କରାଯାଇଥିବା କାଳିଆ ଯୋଜନାରେ ୫୧ ଲକ୍ଷ ୫ ହଜାର ୨୯୦ ଜଣ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ବାବଦରେ ୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା। ତାଲିକାରେ ଅଯୋଗ୍ୟ ହିତାଧିକାରୀ ଥିବା ଜଣାପଡ଼ିବା ପରେ କୃଷି ବିଭାଗ ପକ୍ଷରୁ ବ୍ଲକ୍‌ ଓ ପଞ୍ଚାୟତ ସ୍ତରରେ ଯାଞ୍ଚ ହୋଇଥିଲା। ଯାଞ୍ଚ ପରେ ୧ ଲକ୍ଷ ୬ ହଜାର ୬୩୧ ଜଣ ଅଯୋଗ୍ୟ ହିତାଧିକାରୀଙ୍କଠାରୁ ସହାୟତା ଅର୍ଥ ଆଦାୟ କରିବାକୁ ବିଭାଗ ତାଲିକା ପ୍ରସ୍ତୁତ କରିଥିଲା। ଏ ନେଇ ଗତମାସ ୯ ତାରିଖରେ କୃଷି ନିର୍ଦ୍ଦେଶକ ସବୁ ଜିଲ୍ଲାର ମୁଖ୍ୟ କୃଷି ଅଧିକାରୀଙ୍କୁ ଜଣାଇଥିଲେ। ଟଙ୍କା ଫେରସ୍ତ ପ୍ରକ୍ରିୟା ବି ଚାଲୁ ରହିଥିଲା। କରୋନା ମହାମାରୀ ସମୟରେ ସରକାରଙ୍କ ଏପରି ପଦକ୍ଷେପକୁ ବିରୋଧୀ କଡ଼ା ଭାଷାରେ ସମାଲୋଚନା କରିବା ସହ ଫେରସ୍ତ ଆଦେଶକୁ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ। ଏପରିକି କାଳିଆ ସହାୟତା ଅର୍ଥ ନେଇ ନଥିବା ବ୍ୟକ୍ତିଙ୍କୁ ଅଯୋଗ୍ୟ ହିତାଧିକାରୀ ତାଲିକାରେ ସାମିଲ କରି ସେମାନଙ୍କଠାରୁ ଅର୍ଥ ଫେରସ୍ତ କରିବା ପାଇଁ ନୋଟିସ ଜାରି ହୋଇଥିବା ନେଇ ବିରୋଧୀ ଦର୍ଶାଇଥିଲେ।

ସମ୍ବନ୍ଧିତ ଖବର