କାଳିଆ ‌କେଳେଙ୍କାରୀ : ସମବାୟ ସମ୍ପାଦକ ନିଲମ୍ବିତ, ଡାଟାଏଣ୍ଟ୍ରି ଅପରେଟର୍ ଚମ୍ପଟ

୪.୭୦ ଲକ୍ଷ ଟଙ୍କା ଖାଇଗଲେ, ବାପା, ମା’ ଓ ନିଜ ଆକାଉଣ୍ଟ୍‌ରେ ଟଙ୍କା ଜମା

ଧରାକୋଟ : ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ୯୪ ଚାଷୀଙ୍କ ଟଙ୍କା ଚଳୁ କରିଦେଲେ ସମବାୟ ସମିତିର ଡାଟାଏଣ୍ଟ୍ରି ଅପରେଟର୍। ଆଉ ଟଙ୍କା ଚାଷୀଙ୍କୁ ନ ବାଣ୍ଟି ନିଜ ଆକାଉଣ୍ଟ୍ ସମେତ ବାପା ଓ ମାଙ୍କ ଆକାଉଣ୍ଟ୍‌ରେ ଜମା କରି ଦେଇଛନ୍ତି। ଏଭଳି ପର୍ଯ୍ୟାୟ କ୍ରମେ ମୋଟ ୪ଲକ୍ଷ ୭୦ ହଜାର ଟଙ୍କା ଆତ୍ମସାତ କରିଛନ୍ତି। ଏ ଘଟଣା ସାମ୍ନାକୁ ଆସିବା ପରେ ଠିକଣା ସମୟରେ ଡାଟାଏଣ୍ଟ୍ରି ଅପରେଟର୍ ଗାଁ ଛାଡ଼ି ଚମ୍ପଟ ମାରିଛନ୍ତି। ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ସ୍ବରୂପ ସମବାୟ ସମିତିର ସଂପାଦକ ଚାକିରିରୁ ନିଲମ୍ବିତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ସିଙ୍ଗିପୁର ପଞ୍ଚାୟତ ଧବଳେଶ୍ବର ସେବା ସମବାୟ ସମିତିରେ ଏଭଳି ମହାକେଳେଙ୍କାରୀ ଚର୍ଚ୍ଚାର ବିଷୟ ପାଲଟିଛି। ନିରୀହ ଚାଷୀଙ୍କ ଟଙ୍କା ଖାଇ ଡାଟାଏଣ୍ଟ୍ରି ଅପରେଟର୍ ବାସୁଦେବ ସାହୁ ଫେରାର୍ ହୋଇ ଯାଇଥିବା ବେଳେ ଆଜି ସମବାୟ ସମିତି ସଂପାଦକ ‌‌କୈଳାସ ଚନ୍ଦ୍ର ମୁନିଙ୍କୁ ଆସିକା ସର୍କଲ୍ କୋପରେଟିଭ୍ ସୋସାଇଟିର ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର୍ ଚାକିରିରୁ ନିଲମ୍ବନ କରିଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଜି ଆସିକା ଉପ ଜିଲ୍ଲା କୃଷି ଅଧିକାରୀ, ଧରାକୋଟ ସହକାରୀ କୃଷି ଅଧିକାରୀ ମିଳିତ ଭାବେ ବାସୁଦେବଙ୍କ ବିରୋଧରେ ଗାଂଗପୁର ଥାନାରେ ଏତଲା ଦେଇଛନ୍ତି।

ସୂଚନାନୁସାରେ, କାଳିଆ ଯୋଜନାରେ ସାମିଲ ଚାଷୀଙ୍କ ନାମ ତାଲିକା ପଞ୍ଚାୟତ ଓ ସେବା ସମବାୟ ସମିତିରେ ଟଙ୍ଗା ଯାଇଥିଲା। ପ୍ରକୃତ ହିତାଧିକାରୀ ଚୟନ ପାଇଁ ଏକ ପାଞ୍ଚଜଣିଆ କମିଟି ଗଠନ କରା ଯାଇଥିଲା। ଏଥିରେ ପଞ୍ଚାୟତ ନୋଡାଲ୍ ଅଫିସର୍, ଗ୍ରାମ୍ୟ କୃଷି ୱାର୍କର୍, ପଞ୍ଚାୟତ ନିର୍ବାହୀ ଅଧିକାରୀ, ରାଜସ୍ବ ନିରୀକ୍ଷକ ଏବଂ ସମବାୟ ସମିତିର ସଂପାଦକ ରହିଥିଲେ। ସମବାୟ ସମିତି ସଂପାଦକ ଫର୍ମ ଯୋଗାଇବା ଦାୟିତ୍ବ‌ରେ ରହିଥିଲେ। ବ୍ଲକ୍‌ର ୧୮ଟି ପଞ୍ଚାୟତ ପାଇଁ ସହକାରୀ କୃଷି ଅଧିକାରୀ ନୋଡାଲ ଅଫିସର୍ ରହିଥିଲେ। ହେଲେ ଆଶ୍ଚର୍ଯ୍ୟଜନକ ଭାବେ ୫୦ ପ୍ରତିଶତ ହିତାଧିକାରୀ ସେମାନଙ୍କ ଟଙ୍କା ପାଇଲେନି କି ଯୋଜନାରେ କେଉଁମାନଙ୍କୁ ହିତାଧିକାରୀ ଭାବେ ଗ୍ରହଣ କରାଗଲା, ଏହାର ଉତ୍ତର ବି କାହା ପାଖରେ ନଥିଲା।

ଭାତ ହାଣ୍ଡିରୁ ଗୋଟିଏ ଭାତ ଚିପିବା ନ୍ୟାୟରେ ସିଙ୍ଗିପୁର ପଞ୍ଚାୟତର ଧବଳେଶ୍ବର ସେବା ସମବାୟ ସମିତିରେ କେଳେଙ୍କାରୀ ସାମ୍ନାକୁ ଆସିଛି। ଯାହାର ମାଷ୍ଟରମାଇଣ୍ଡ୍ ଡାଟା ଏଣ୍ଟ୍ରି ଅପରେଟର୍ ବାସୁଦେବ ସାହୁ ବୋଲି ଜଣାପଡ଼ିଛି। ବାସୁଦେବ ଅତି ଚାଲାକିର ସହ ୯୪ ଚାଷୀଙ୍କ ଟଙ୍କାକୁ ଜାହାଡ଼ା ସ୍ଥିତ ନିଜର ଆଇଓବି ବ୍ୟାଙ୍କ୍ ଆକାଉଣ୍ଟ୍, ଆସିକା ସମବାୟ ବ୍ୟାଙ୍କରେ ଥିବା ବାପାଙ୍କ ଆକାଉଣ୍ଟ୍ ଓ ଧରାକୋଟ ଏସବିଆଇ ଶାଖାରେ ମାଙ୍କ ଆକାଉଣ୍ଟ୍‌ରେ ଟଙ୍କା ଜମା କରିଛନ୍ତି।

ଏହି ଘଟଣା ଗଣମାଧ୍ୟମରେ ସାମ୍ନାକୁ ଆସିବା ପରେ ବାସୁଦେବ ଫେରାର୍ ହୋଇଯାଇଥିଲେ। ଆଜି ଆସିକା ସମବାୟ ସମିତି ସମୂହ ସହକାରୀ ନିବନ୍ଧକ ବିଜୟ ଚନ୍ଦ୍ର ଦାସ, ସମବାୟ ସଂପ୍ରସାରଣ ଅଧକାରୀ ପୁରୁ‌ଷୋତ୍ତମ ପାଢ଼ୀ ପ୍ରମୁଖ ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ୍ ଧରାକୋଟ ଶାଖାରେ ପହଞ୍ଚି ଧବଳେଶ୍ବର ସମବାୟ ସମିତିର ସଂପାଦକ କୈଳାସ ଚନ୍ଦ୍ର ମୁନିଙ୍କୁ ପଚରାଉଚରା କରିଥିଲେ। ତଦନ୍ତ ବେ‌େଳ‌ ସମସ୍ତ ଅଭିଯୋଗ ସତ ପ୍ରମାଣିତ ହେବା ପରେ ତାଙ୍କୁ ନିଲମ୍ବିତ କରାଯାଇଛି। ସେପଟେ ଫେରାର୍ ବାସୁଦେବଙ୍କ ନାମରେ ଗାଂଗପୁର ଥାନାରେ ଏତଲା ଦିଆଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର