ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ‘କାଳିଆ ଯୋଜନାରେ ଖୋଲାମେଲା ଦୁର୍ନୀତି ହୋଇଛି। ଯୋଜନା କଣ ଓ ଯୋଜନାରେ କିପରି ପ୍ରକୃତ ଚାଷୀ ସୁବିଧା ପାଇବେ ସେ ନେଇ ସଚେତନ କରିବାର ଦାୟିତ୍ବ ନେଇଥିବା ପ୍ରାଥମିକ କୃଷି ସେବା ସମବାୟ ସମିତିର ସଭାପତିମାନେ ଦୁର୍ନୀତିର ସୂତ୍ରଧର ସାଜିଛନ୍ତି। ସମବାୟ ସଭାପତି ଓ ତାଙ୍କ ବଡ଼ପୁଅ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଭାବେ ସହାୟତା ପାଇଛନ୍ତି। ସାନପୁଅ ଚଂଚକତା କରି ଭୂମିହୀନ ଚାଷୀ ଭାବେ ସହାୟତା ହାତେଇ ନେଇଛନ୍ତି। ସମବାୟ ସଭାପତିଙ୍କ ନାଁରେ ୧୫ ଏକରରୁ ଅଧିକ ଜମି ଥିବାବେଳେ ଜଣେ ପୁଅ କିପରି ଭୂମିବାନ ହେଲେ ଓ ଅନ୍ୟଜଣେ ପୁଅ କିପରି ଭୂମିହୀନ ହେଲେ ତାହା ବୁଝା ପଡୁନାହିଁ।

Advertisment

ରାଜନଗର ବ୍ଲକ ଈଶ୍ବରପୁର ପଞ୍ଚାୟତ ଅଜଗରପାଟିଆ ଗାଁର ରଘୁନାଥ ପ୍ରଧାନ ଡାଙ୍ଗମାଳ ପ୍ରାଥମିକ କୃଷି ସେବା ସମବାୟ ସମିତିର ସଭାପତି ଅଛନ୍ତି। ମାତ୍ର ଶ୍ରୀ ପ୍ରଧାନ ଡାଙ୍ଗମାଳ ପ୍ରାଥମିକ କୃଷି ସେବା ସମବାୟ ସମିତିର ସଭାପତି ରଘୁନାଥ ପ୍ରକୃତ ଚାଷୀଙ୍କ ପାଖରେ ସରକାରୀ ସୁବିଧା ପହଞ୍ଚାଇବେ କ’ଣ, ନିଜେ ଓ ନିଜର ପୁଅମାନେ କିପରି ସୁବିଧା ହାତେଇବେ ସେ ନେଇ ପଦବିର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସରକାରଙ୍କ କାଳିଆ ଯୋଜନାରେ ରଘୁନାଥଙ୍କ ବଡ଼ପୁଅ ଭରତ ଚନ୍ଦ୍ର ପ୍ରଧାନ କ୍ଷୁଦ୍ର ଓ ନାମମାତ୍ର ଚାଷୀଭାବେ ସହାୟତା ପାଇଛନ୍ତି। ସାନପୁଅ ମାନସ ପ୍ରଧାନ ଭୂମିହୀନ ଚାଷୀ ଭାବେ ସହାୟତା ପାଇଛନ୍ତି। ସରକାରଙ୍କ କାଳିଆ ଯୋଜନାର କ୍ଷୁଦ୍ର ଓ ନାମମାତ୍ର ଚାଷୀ ତାଲିକାର କ୍ରମିକ ନମ୍ବର ୪୨ରେ ରଘୁନାଥ ଓ ୩୨ ନଂ.ରେ ଭରତଙ୍କ ନାଁ ରହିଛି। ଭୂମିହୀନ ଚାଷୀ ପରିବାର ତାଲିକାର ୧୨ନମ୍ବରରେ ମାନସଙ୍କ ନାମ ରହିଛି।

ରାଜନଗରର ପୂର୍ବତନ ବିଧାୟକ ଅନନ୍ତ ଚରଣ ତ୍ରିପାଠୀଙ୍କ ବୋହୂ ତଥା ଅବସରପ୍ରାପ୍ତ ହାଇସ୍କୁଲର ପ୍ରଧାନଶିକ୍ଷକ ସୁକାନ୍ତ କୁମାର ତ୍ରିପାଠୀଙ୍କ ପତ୍ନୀ ସ୍ନେହଲତା ତ୍ରିପାଠୀ କାଳିଆ ଯୋଜନାରେ ସହାୟତା ହାତେଇବା ଖବରକୁ ନେଇ ରାଜନଗରରେ ଚର୍ଚ୍ଚା ଲାଗି ରହିଥିବା ବେଳେ ପ୍ରାଥମିକ କୃଷି ସେବା ସମବାୟ ସମିତିର ସଭାପତି ଦୁର୍ନୀତିର ସୂତ୍ରଧର ସାଜିବା ଖବର ଆଲୋଡ଼ନ ସୃଷ୍ଟି କରିଛି।