ନଭେମ୍ବରରେ ୨ୟ କିସ୍ତିରେ ମିଳିବ ‘କାଳିଆ’ ଟଙ୍କା

ଭୁବନେଶ୍ୱର: ଆସନ୍ତା ନଭେମ୍ବରରେ ରାଜ୍ୟର ଯୋଗ୍ୟ ଚାଷୀମାନଙ୍କୁ ଦ୍ୱିତୀୟ କିସ୍ତିରେ କାଳିଆ ଟଙ୍କା ମିଳିବ। ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ସହ ଆଲୋଚନା ପରେ କୃଷି ସଚିବ ସୌରଭ ଗର୍ଗ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ଶ୍ରୀ ଗର୍ଗ କହିଛନ୍ତି, ଯୋଗ୍ୟ ହିତାଧିକାରୀଙ୍କ ଯାଞ୍ଚ ଗତ ଅଗଷ୍ଟରେ ଶେଷ ହୋଇଛି। ଯାଞ୍ଚ ପରେ ଯେଉଁମାନେ ଯୋଗ୍ୟ ବିବେଚିତ ହୋଇଛନ୍ତି, ସେମାନେ ଆଗାମୀ ନଭେମ୍ବରରେ ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନାରୁ ଦ୍ୱିତୀୟ କିସ୍ତିରେ ଟଙ୍କା ପାଇପାରିବେ।

ରାଜ୍ୟ ସରକାର କାଳିଆ ଯୋଜନାରେ ହିତାଧିକାରୀମାନଙ୍କ ତାଲିକା ଯାଞ୍ଚ ଅବଧି ଅଗଷ୍ଟ ୨୭ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। କେହି ଜଣେ ବି ଯୋଗ୍ୟ ହିତାଧିକାରୀ ଯେପରି କାଳିଆ ଯୋଜନାରେ ଦିଆଯାଉଥିବା ସହାୟତାରୁ ବଞ୍ଚିତ ନ ହୁଅନ୍ତି, ସେଥିପ୍ରତି ଦୃଷ୍ଟି ଦେବାକୁ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସଂଶୋଧିତ ତାଲିକା ପ୍ରକାଶ ପାଇବା ପରେ ଯଦି କେଣସି ତ୍ରୁଟି ବିଚ୍ୟୁତି ଦେଖାଯାଏ, ତେବେ ସଂପୃକ୍ତ ଅଧିକାରୀ ଉତ୍ତରଦାୟୀ ରହିବେ ବୋଲି ମନ୍ତ୍ରୀ କହିଥିଲେ।

ସୂଚନାଯୋଗ୍ୟ ଯେ କାଳିଆ ହିତାଧିକାରୀଙ୍କ ତାଲିକାର ସଂଶୋଧନ ପ୍ରକ୍ରିୟା ଅଗଷ୍ଟ ୫ରୁ ଆରମ୍ଭ ହୋଇ ୩୧ ତାରିଖରେ ଶେଷ ହୋଇଥିଲା। ଅଗଷ୍ଟ ୨୭ ତାରିଖରେ ପଞ୍ଚାୟତସ୍ତରରେ ଯାଞ୍ଚ ପ୍ରକ୍ରିୟା ଶେଷ କରାଯିବା ପରେ ୨୯ ତାରିଖରେ ବ୍ଲକ ସ୍ତରରେ ଓ ୩୧ ତାରିଖରେ ଜିଲ୍ଲାସ୍ତରରେ ଏହାକୁ ଚୂଡ଼ାନ୍ତ କରି କୃଷି ଓ କୃଷକ ସଶକ୍ତୀକରଣ ବିଭାଗକୁ ପଠାଯାଇଥିଲା।

ସମ୍ବନ୍ଧିତ ଖବର