‘କାଳିଆ ଛାତ୍ରବୃତ୍ତି’ ଯୋଜନା ଘୋଷଣା: ଛାତ୍ରବୃତ୍ତି ପୋର୍ଟାଲ୍‌, ଲୋଗୋ ଉନ୍ମୋଚିତ

ଚାଷୀଙ୍କ ପିଲା ପାଠପଢ଼ି ଡାକ୍ତର, ଇଞ୍ଜିନିୟର ହୁଅନ୍ତୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କାଳିଆ ଯୋଜନାରେ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୧୬ ଲକ୍ଷରୁ ଅଧିକ ଚାଷୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦେଇସାରିଛନ୍ତି। ଏହାର ଦ୍ବିତୀୟ ପର୍ଯ୍ୟାୟ ସହାୟତା ରାଶି ବଣ୍ଟନ ଖୁବ୍‌ଶୀଘ୍ର ଆରମ୍ଭ ହେବ। ଏଥର ଚାଷୀଙ୍କ ସହିତ ସେମାନଙ୍କ ପିଲାଙ୍କ ପାଇଁ ସରକାର ଯୋଜନା ଆରମ୍ଭ କରିଛନ୍ତିି। ଏ ନେଇ ଘୋଷଣା ହୋଇଛି ‘କାଳିଆ ଛାତ୍ରବୃତ୍ତି’ ଯୋଜନା। କାଳିଆ ହିତାଧିକାରୀ ପିଲାଙ୍କ ଉଚ୍ଚଶିକ୍ଷା ପାଇଁ ସରକାର ଖର୍ଚ ବହନ କରିବେ। ଆସନ୍ତା ୭ ଦିନରେ କାର୍ଯ୍ୟକାରୀ ହେବ ଏହି ଯୋଜନା।

ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଛାତ୍ରବୃତ୍ତି ଯୋଜନାର ଘୋଷଣା କରିଛନ୍ତି। ଏହି ଯୋଜନାର ପୋର୍ଟାଲ୍‌ ଓ ଲୋଗୋ ମଧ୍ୟ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ, ଏହି ଛାତ୍ରବୃତ୍ତି ଯୋଜନା ଜରିଆରେ ଚାଷୀ ପରିବାରର ପିଲାମାନେ ଡାକ୍ତର, ଇଞ୍ଜିନିୟର, କୃଷି ବୈଜ୍ଞାନିକ ଓ ବିଭିନ୍ନ ବୈଷୟିକ ଓ ବୃତ୍ତିଗତ ଶିକ୍ଷାଲାଭ କରିପାରିବେ। ସେମାନେ ଡାକ୍ତର, ଇଞ୍ଜନିୟର ହେଲେ, ମୁଁ ଖୁସି ହେବି। କାଳିଆ ଯୋଜନାର ହିତାଧିକାରୀମାନଙ୍କ ପିଲାମାନେ ଏହାର ସୁବିଧା ନେବା ପାଇଁ ସେ ପରାମର୍ଶ ଦେଇଥିଲେ। କୃଷି ଓ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଲେ ଯେ ଏହି ଯୋଜନା କାର୍ଯ୍ୟକାରୀ ହେଲେ ଗରିବ ଛାତ୍ରଛାତ୍ରୀମାନଙ୍କ ଉଚ୍ଚଶିକ୍ଷା କ୍ଷେତ୍ରରେ ଅର୍ଥ ଆଉ ବାଧକ ସାଜିବ ନାହିଁ। ସେମାନଙ୍କୁ ଋଣ ପାଇଁ ବ୍ୟାଙ୍କ ଆଗରେ ଗୋଡ଼ଭାଙ୍ଗି ଠିଆ ହେବାକୁ ପଡ଼ିବ ନାହିଁ। ଏହି ଯୋଜନା ସଂପର୍କରେ ସୂଚନା ଦେଇ କୃଷି ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗ କହିଲେ, ଏହି ଯୋଜନା ଆସନ୍ତା ୭ ଦିନ ଭିତରେ କାର୍ଯ୍ୟକାରୀ କରାଯିବ। କାଳିଆ ଯୋଜନାର ହିତାଧିକାରୀଙ୍କ ଯୋଗ୍ୟ ପିଲାମାନେ ଏମ୍‌ବିବିଏସ୍‌, ବିଡିଏସ୍‌, ବିଏଏମ୍‌ଏସ୍‌, ବିଏଚ୍‌ଏମ୍‌ଏସ୍‌, ଇଞ୍ଜନିୟିରିଂ ଭଳି ୧୩ଟି ବୃତ୍ତିଗତ ଓ ବୈଷୟିକ ବିଷୟରେ ଉଚ୍ଚଶିକ୍ଷା ଲାଭ କରିପାରିବେ। ଏଥିପାଇଁ ୩୦ରୁ ଅଧିକ ସରକାରୀ ଶିକ୍ଷାନୁଷ୍ଠାନରେ ସେମାନଙ୍କୁ ସୁବିଧା ଉପଲବ୍ଧ ହେବ। କେବଳ ସେତିକି ନୁହେଁ, ୧୫୦ରୁ ଅଧିକ ଶିକ୍ଷାନୁଷ୍ଠାନରେ ୧୧ଟି ଟେକ୍‌ନିକାଲ୍‌ ବିଷୟରେ ମାଗଣାରେ ଶିକ୍ଷାଲାଭ କରିପାରିବେ। କାଳିଆ ଛାତ୍ରବୃତ୍ତି ବାବଦ ଅର୍ଥ ଛାତ୍ରଛାତ୍ରୀ କିମ୍ବା ସେମାନଙ୍କର ଶିକ୍ଷାନୁଷ୍ଠାନର ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ(ଡିବିଟି) ପଠାଯିବ। ଗତ ଫେବ୍ରୁଆରି ୩ ତାରିଖରେ କେନ୍ଦୁଝରରେ ଅନୁଷ୍ଠିତ କାଳିଆ ସମାବେଶରେ ମୁଖ୍ୟମନ୍ତ୍ରୀ ଏହି ଯୋଜନା ସଂପର୍କରେ ପ୍ରାରମ୍ଭିକ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର