ଭୁବନେଶ୍ବର : ରାଜଭବନରେ ନୁହେଁ। ପ୍ରଥମ ଥର ପାଇଁ ରାଜଭବନ ବାହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ମନ୍ତ୍ରିମଣ୍ଡଳ ଶପଥ ନେବେ। ଏଥି ପାଇଁ ବଛାଯାଇଛି ପ୍ରଦର୍ଶନୀ ପଡ଼ିଆ। ସେଠାରେ ଚାଲିଛି ଜୋର୍ଦାର ପ୍ରସ୍ତୁତି।
ଶପଥ ଗ୍ରହଣ କରିବାର କିଛି ଘଣ୍ଟା ପରେ ସଚିବାଳୟରେ ଆୟୋଜନ ହେବ ସ୍ବତନ୍ତ୍ର କାର୍ଯ୍ୟକ୍ରମ। ନିର୍ବାଚନ ବେଳେ ଦେଇଥିବା କଥା ସେଠାରେ ରଖିବେ ନବୀନ। ‘କାଳିଆ’ ଯୋଜନାର ବଳକା ହିତାଧିକାରୀଙ୍କୁ ପ୍ରଥମ କିସ୍ତିରେ ଟଙ୍କା ବାଣ୍ଟିବେ।
ପୁଣି ସେହିଦିନ ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ଘୋଷଣା କରିବେ ନବୀନ। ବାତ୍ୟା ପ୍ରଭାବିତ ଅଞ୍ଚଳରେ ଥଇଥାନ ଓ କ୍ଷତିଗ୍ରସ୍ତ ଲୋକଙ୍କ ଜୀବନଜୀବିକାକୁ ସ୍ବାଭାବିକ କରିବା ପାଇଁ ମଧ୍ୟ ନୂଆ ଘୋଷଣା କରାଯିବାର ସମ୍ଭାବନା ରହିଛି।
ଏମିତି ଭାବେ ଆସନ୍ତା ମେ’ ୨୯ ତାରିଖରେ ପଞ୍ଚମ ପାଳି ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପଞ୍ଚମ ପାଳିର ପ୍ରଥମ ଦିନଟିକୁ ସ୍ମରଣୀୟ ତଥା ନିଆରା କରିବା ପାଇଁ ସଚିବାଳୟରୁ ନବୀନ ନିବାସ ପର୍ଯ୍ୟନ୍ତ ଚାଲିଛି କସ୍ରତ। ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି, ନିର୍ବାଚନ ପ୍ରଚାର ବେଳେ ନବୀନ ପ୍ରତିଶ୍ରୁତି ଦେଇଥିଲେ ଯେ ବିଜେଡି ସରକାର ଆସିବାର ପ୍ରଥମ ଦିନ ହିଁ କାଳିଆ ଯୋଜନାର ବଳକା ହିତାଧିକାରୀଙ୍କୁ ଟଙ୍କା ମିଳିବ। ଏବେ ପ୍ରତିଶ୍ରୁତି ପାଳନ କରିବାର ସମୟ।
୨୯ ତାରିଖରେ ‘କାଳିଆ’ ହିତାଧିକାରୀଙ୍କ ଆକାଉଣ୍ଟ୍କୁ ଟଙ୍କା ଯିବା ପାଇଁ ସମବାୟ ଓ କୃଷି ବିଭାଗ ପକ୍ଷରୁ ଆବଶ୍ୟକ ପ୍ରକ୍ରିୟା ଚାଲିଛି। ଆଜି ନିଜେ ମୁଖ୍ୟ ଶାସନ ସଚିବ ଏ ସଂକ୍ରାନ୍ତୀୟ ବୈଠକ କରି ପ୍ରସ୍ତୁତିର ତଦାରଖ କରିଥିଲେ।
ମିଳିଥିବା ସୂଚନା ଅନୁଯାୟୀ ପୂର୍ବରୁ ପ୍ରାୟ ୪୨ ଲକ୍ଷ ଚାଷୀଙ୍କ ଆକାଉଣ୍ଟ୍କୁ ‘କାଳିଆ’ ଯୋଜନାର ପ୍ରଥମ କିସ୍ତି ଅର୍ଥ ଦିଆସରିଛି। ନିର୍ବାଚନ କମିସନ୍ଙ୍କ କଟକଣା ଯୋଗୁଁ ବଳକା ଚାଷୀଙ୍କ ଆକାଉଣ୍ଟ୍କୁ ଟଙ୍କା ଯାଇ ପାରି ନ ଥିଲା। ଏବେ ପାଖାପାଖି ୨୫ ଲକ୍ଷ ନୂଆ ଚାଷୀଙ୍କ ତାଲିକା ପ୍ରସ୍ତୁତ କରାଯାଉଛି। ୨୯ ତାରିଖରେ ଶପଥ ଗ୍ରହଣ ଉତ୍ସବର କିଛି ଘଣ୍ଟା ପରେ ସଚିବାଳୟରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇ ସେଠାରେ ମୁଖ୍ୟମନ୍ତ୍ରୀ କାଳିଆ ଯୋଜନାର ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଟଙ୍କା ବଣ୍ଟନର ଶୁଭାରମ୍ଭ କରିବେ। ସେହିଦିନ ପ୍ରାୟ୬/୭ ଲକ୍ଷ ଚାଷୀଙ୍କ ଆକାଉଣ୍ଟ୍କୁ ସିଧାସଳଖ ଟଙ୍କା ଯିବ। ପରବର୍ତ୍ତୀ ଦିନେ ଦୁଇ ଦିନ ଭିତରେ ଅବଶିଷ୍ଟ ସମସ୍ତ ଚାଷୀଙ୍କ ଆକାଉଣ୍ଟ୍କୁ ପ୍ରଥମ କିସ୍ତି ଯିବ।
‘କାଳିଆ’ ଯୋଜନାରେ ସାମିଲ ହୋଇଥିବା ସବୁ ଚାଷୀଙ୍କୁ ଦ୍ବିତୀୟ କିସ୍ତିର ଟଙ୍କା େକବେ ଯିବ, ସେ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇ ନାହିଁ। ତେବେ ଖୁବ୍ ଶୀଘ୍ର ଦ୍ବିତୀୟ କିସ୍ତି ପ୍ରଦାନ କରିବାକୁ ମଧ୍ୟ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ ହୋଇଛି।
ଶପଥ ଗ୍ରହଣ ଉତ୍ସବକୁ ଭିନ୍ନ ଢଙ୍ଗରେ କରିବା ପାଇଁ ବି ପ୍ରସ୍ତୁତି ଚାଲିଛି। ପ୍ରଥମ ଥର ପାଇଁ ରାଜଭବନ ବାହାରେ ଶପଥ ଗ୍ରହଣ ଉତ୍ସବ ଆୟୋଜନ କରାଯାଉଛି। ୟୁନିଟ୍-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ୨୯ ତାରିଖ ସକାଳ ୧୦ଟା ୩୦ରେ ଉତ୍ସବ ଅନୁଷ୍ଠିତ ହେବ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ଶପଥ ପାଠ କରାଇବେ। ଶପଥ ଗ୍ରହଣ ଉତ୍ସବକୁ ଅତ୍ୟନ୍ତ ଆଡ଼ମ୍ବର କରାଯାଉ ନ ଥିଲେ ବି ପ୍ରାୟ ୫ ହଜାର ଲୋକଙ୍କୁ ଏକାଠି କରାଯିବ। ମୁଖ୍ୟତଃ ସ୍ବୟଂ ସହାୟକ ଗୋଷ୍ଠୀ, ଚାଷୀ ଓ ବସ୍ତିବାସିନ୍ଦାଙ୍କୁ ଅଣାଯିବାର ଯୋଜନା ହୋଇଛି।
ଶପଥ ଗ୍ରହଣ ଉତ୍ସବକୁ କେଉଁ କେଉଁ ସ୍ବତନ୍ତ୍ର ଅତିଥିମାନଙ୍କୁ ନିମନ୍ତ୍ରଣ କରାଯିବ, ତାହା ଏ ଯାଏ ସ୍ପଷ୍ଟ ହୋଇନି। ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ, ବାହାରର ଅତିଥି କେଉଁମାନେ ଏଥିରେ ସାମିଲ ହେବେ, ସେ ନେଇ ଆଲୋଚନା ଜାରି ରହିଛି।
‘ଫନି’ ବାତ୍ୟାରେ ସହରରୁ ବାହାରିଥିବା ଗଛ ଡାଳ ଓ ଅନ୍ୟାନ୍ୟ ଆବର୍ଜନା କିଛି ଦିନ ହେଲା ପ୍ରଦର୍ଶନୀ ପଡ଼ିଆରେ ଗଦା କରାଯାଇଥିଲା। ଗତକାଲି ରାତିଠାରୁ ପୂର୍ତ୍ତ ବିଭାଗ ଓ ବିଏମ୍ସି ପକ୍ଷରୁ ପଡ଼ିଆ ସଫା କରାଯାଉଛି। ପୂର୍ତ୍ତ ବିଭାଗ, ବିଏମ୍ସି ଓ ସଂସଦୀୟ ବ୍ୟାପାର ବିଭାଗର ବରିଷ୍ଠ ଅଧିକାରୀମାନେ ଆୟୋଜନକୁ ତଦାରଖ କରୁଛନ୍ତି।
ସୂଚନାଯୋଗ୍ୟ ଯେ ନବୀନ ପଟ୍ଟନାୟକ ତାଙ୍କ ଚତୁର୍ଥ ପାଳିରେ ପ୍ରଥମ ଥର ପାଇଁ ରାଜ୍ୟ କ୍ୟାବିନେଟ୍ ବୈଠକ ସଚିବାଳୟ ବାହାରେ କରିଥିଲେ। ୨୦୧୭ ଡିସେମ୍ବର ମାସରେ ପୁରୀର ସର୍କିଟ୍ ହାଉସ୍ରେ ରାଜ୍ୟ କ୍ୟାବିନେଟ୍ ବସିଥିଲା। ଏବେ ପୁଣି ରାଜଭବନ ବାହାରେ ଶପଥ ଗ୍ରହଣ ଉତ୍ସବ ଆୟୋଜନ କରି ନବୀନ ଆଉ ଏକ ଉଦାହରଣ ସୃଷ୍ଟି କରିବାକୁ ଯାଉଛନ୍ତି।
ନବୀନଙ୍କ ପଞ୍ଚମ ପାଳିରେ ମନ୍ତ୍ରିମଣ୍ଡଳରେ କିଏ ସାମିଲ ହେବ, ତାହା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ। ପୁରୁଣା ମନ୍ତ୍ରିମଣ୍ଡଳରେ କାହାକୁ ରଖିବେ ଓ କାହାକୁ ବାଦ୍ ଦେବେ, ନୂଆ ମୁହଁ କିଏ ସାମିଲ୍ ହେବେ, ତାହା ଏବେ ସବୁଆଡ଼େ ଆଲୋଚନାର ବିଷୟ। ଏହାକୁ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ଆକଳନ କରାଯାଉଛି। ମନ୍ତ୍ରିମଣ୍ଡଳରେ ସାମିଲ୍ ହେବାକୁ ଥିବା ଆଶାୟୀମାନେ ନିଜ ନିଜ ବାଟରେ ଲବି ବି ଆରମ୍ଭ କରିଛନ୍ତି। ନବୀନ ନିବାସରେ ମନ୍ତ୍ରୀ ଆଶାୟୀ ନିୟମିତ ହାଜିରା ପକାଉଥିବା ଦେଖିବାକୁ ମିଳୁଛି। ତେବେ ନବୀନଙ୍କ ମୁଡ୍ ନେଇ କାହା ପାଖରେ ଠୋସ୍ ସୂଚନା ନ ଥିବାରୁ ଏ ନେଇ ସବୁ ମହଲରେ ବ୍ୟଗ୍ରତା ବଢ଼ିଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/kalia-final.jpg)