‘କାଳିଆ’ ଯାଞ୍ଚ ଅବଧି ୨୭ ଯାଏଁ ବଢ଼ିଲା

ସଂଶୋଧିତ ତାଲିକାରେ ତ୍ରୁଟି ରହିଲେ ସଂପୃକ୍ତ ଅଧିକାରୀ ଉତ୍ତରଦାୟୀ ରହିବେ

ଭୁବନେଶ୍ବର: ରାଜ୍ୟ ସରକାର କାଳିଆ ଯୋଜନାରେ ହିତାଧିକାରୀମାନଙ୍କ ତାଲିକା ଯାଞ୍ଚ ଅବଧି ଅଗଷ୍ଟ ୨୭ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଆଜି କୃଷି ଭବନଠାରେ କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ଅରୁଣ କୁମାର ସାହୁ କାଳିଆ ଯୋଜନାର ସମୀକ୍ଷା କରିବା ପରେ ଏହା ଘୋଷଣା କରିଛନ୍ତି। କେହି ଜଣେ ବି ଯୋଗ୍ୟ ହିତାଧିକାରୀ ଯେପରି କାଳିଆ ଯୋଜନାରେ ଦିଆଯାଉଥିବା ସହାୟତାରୁ ବଞ୍ଚିତ ନ ହୁଅନ୍ତି, ସେଥିପ୍ରତି ଦୃଷ୍ଟି ଦେବାକୁ ଦା‌ୟିତ୍ବରେ ଥିବା ଅଧିକାରୀମାନଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସଂଶୋଧିତ ତାଲିକା ପ୍ରକାଶ ପାଇବା ପରେ ଯଦି କୌଣସି ତ୍ରୁଟି ବିଚ୍ୟୁତି ଦେଖାଯାଏ, ତେବେ ସଂପୃକ୍ତ ଅଧିକାରୀ ଉତ୍ତରଦାୟୀ ରହିବେ ବୋଲି ମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ ଯେ କାଳିଆ ହିତାଧିକାରୀଙ୍କ ତାଲିକାର ସଂଶୋଧନ ପ୍ରକ୍ରିୟା ଅଗଷ୍ଟ ୫ରୁ ଆରମ୍ଭ ହୋଇଥିବା ବେଳେ ଏହା ଅଗଷ୍ଟ ୧୪ ପର୍ଯ୍ୟନ୍ତ ଥିଲା। କିନ୍ତୁ ଏହି ସମୟ ମଧ୍ୟ‌ରେ ମୋଟ୍ ୫୧ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୧୩ଲକ୍ଷଙ୍କର ଯାଞ୍ଚ ସରିଛି। ଆଉ ୩୮ଲକ୍ଷ ହିତାଧିକାରୀଙ୍କର ଯାଞ୍ଚ ସରି ନଥିବାରୁ ଏହାର ଅବଧି ଆଉ ୧୪ଦିନ ବଢ଼ା ଯାଇଛି। କୃଷି ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଗଷ୍ଟ ୨୭ ତାରିଖରେ ପଞ୍ଚାୟତସ୍ତରରେ ଯାଞ୍ଚ ପ୍ରକ୍ରିୟା ଶେଷ କରାଯିବା ପରେ ୨୯ ତାରିଖରେ ବ୍ଲକ ସ୍ତରରେ ଓ ୩୧ ତାରିଖରେ ଜିଲ୍ଲାସ୍ତରରେ ଏହାକୁ ଚୂଡ଼ାନ୍ତ କରି କୃଷି ଓ କୃଷକ ସଶକ୍ତୀକରଣ ବିଭାଗକୁ ପଠାଯିବ ବୋଲି ନିଷ୍ପତ୍ତି ହୋଇଛି। ଏହି ସମୀକ୍ଷା ବୈଠକରେ ଫସଲ ଓ ପାଣିପାଗ ଅନୁଧ୍ୟାନ, ଫନି ବାତ୍ୟାରେ ପ୍ରଭାବିତ କୃଷକମାନଙ୍କୁ ପ୍ୟାକେଜ୍ ବଣ୍ଟନ, ବରିଷ୍ଠ ଅଧିକାରୀମାନଙ୍କ ଜିଲ୍ଲା ଓ କ୍ଷେତ୍ର ପରିଦର୍ଶନ ଏବଂ କୃଷି ନୀତି-୨୦୧୯ ଚିଠା ପ୍ରସ୍ତାବ ସଂପର୍କରେ ଆଲୋଚନା ହୋଇଥିଲା। ବୈଠକରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ସଚିବ ସୌରଭ ଗର୍ଗ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର