ନଭେମ୍ବର ମାସରେ ମିଳିବ କାଳିଆ ଦ୍ବିତୀୟ କିସ୍ତି ଟଙ୍କା

ଭୁବନେଶ୍ବର ଆସନ୍ତା ମାସରେ ଚାଷୀମାନଙ୍କୁ ‘କାଳିଆ’ ଯୋଜନାର ଦ୍ବିତୀୟ କିସ୍ତି ଟଙ୍କା ମିଳିବ। ଏ ନେଇ ଆଜି କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ ସୂଚନା ଦେଇଛନ୍ତି। କାଳିଆ ଯୋଜନା ହିତାଧିକାରୀଙ୍କ ତାଲିକା ଯାଞ୍ଚ ପ୍ରକ୍ରିୟା ଗତ ଅଗଷ୍ଟରେ ଶେଷ ହୋଇଛି। ଆସନ୍ତାମାସରେ ଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରାଯିବ। ଯାଞ୍ଚ ପରେ ଯୋଗ୍ୟ ଓ ଅଯୋଗ୍ୟ ହିତିଧିକାରୀଙ୍କ ସଂଖ୍ୟା କେତେ ସେ ନେଇ ଶ୍ରୀ ଗର୍ଗ କିଛି ବି କହି ନ ଥିଲେ।

କାଳିଆ ଯୋଜନା ରାଜ୍ୟ ସରକାର କାର୍ଯ୍ୟକାରୀ କରିବା ପରଠୁ ଏବେସୁଦ୍ଧା ୫୧ ଲକ୍ଷ ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରାଯାଇଛି। କାଳିଆ ଯୋଜନାରେ ହିତାଧିକାରୀ ଚୟନ ନେଇ ଅଭିଯୋଗ ଉଠିବା ପରେ ନିର୍ବାଚନ ପରେ ସରକାର ହିତାଧିକାରୀ ଯାଞ୍ଚ କାର୍ଯ୍ୟ ଆରମ୍ଭ କରିଥିଲେ। ସେତେବେଳେ ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀଙ୍କୁ କାଳିଆ ଟଙ୍କା ପ୍ରଦାନ କରାଯାଇଥିବା ନେଇ ଅଭିଯୋଗ ଉଠିଥିଲା। ଯେଉଁମାନଙ୍କ ଭିତରେ ବଡ଼ଚାଷୀ ଓ ନାବାଳକ ମଧ୍ୟ ସାମିଲ ଥିଲେ। ସରକାରୀ ଚାକିରିଆ କାଳିଆ ଟଙ୍କା ହାତେଇଥିବା ନେଇ ମଧ୍ୟ ବିଭିନ୍ନ ମହଲରେ ସ୍ବର ଉଠିଥିଲା। ଜଣକା ୫ ହଜାର ଟଙ୍କା ଲେଖାଏଁ ଏସବୁ ଅଯୋଗ୍ୟ ହିତାଧିକାରୀ ୧୭୦ କୋଟି ଟଙ୍କା ଚଳୁ କରିଥିବା ନେଇ ମଧ୍ୟ ବିରୋଧୀ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର