ଭୁବନେଶ୍ୱର: ନିର୍ବାଚନ ଆଚରଣବିଧି ଲାଗୁ ସତ୍ତ୍ୱେ ବନ୍ଦ ହେବ ନାହିଁ କାଳିଆ ଯୋଜନା। ଏ ନେଇ ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି ଯେ, ଏହା ଏକ ନିରନ୍ତର ଯୋଜନା। ୬୦ ଦିନ ଭିତରେ ଏତେ ଚାଷୀଙ୍କୁ ଟଙ୍କା ଦେବା କିଛି କମ୍‌ କଥା ନୁହେଁ। ଯଦି ଏଥିରୁ  କେହି ବଞ୍ଚିତ ହୋଇଛନ୍ତି ବା କାହା ନାମ ଏକାଧିକ ଥର ଆସିଛି, ତେବେ ସରକାର ସେଥିପାଇଁ ପଦକ୍ଷେପ ନେଉଛନ୍ତି। କୌଣସି ଯୋଗ୍ୟ ଚାଷୀ କାଳିଆ ଯୋଜନାରୁ ବଞ୍ଚିତ ହେବେ ନାହିଁ। ତେଣୁ ଏହାକୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ପରିବର୍ଦ୍ଧିତ କରାଯାଇଛି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ।

Advertisment

ସେହିପରି ପିଏମ୍‌ କିସାନ ଯୋଜନାରେ କେନ୍ଦ୍ରକୁ ଯେଉଁ ତାଲିକା ଦିଆଯାଇଥିଲା, କାହିଁକି ତା’ ମଧ୍ୟରୁ ତିନି ଚାରି ଲକ୍ଷ ହିତାଧିକାରୀଙ୍କ ନାମ ବାଦ୍‌ ପଡିଲା ତାହା ପ୍ରଥମେ ସ୍ପଷ୍ଟ କଲେ ଦ୍ୱିତୀୟ ପର୍ଯ୍ୟାୟ ତାଲିକା କେନ୍ଦ୍ରକୁ ପଠାଇବା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା।

ସେହିପରି କାଳିଆ ଯୋଜନାରେ ବୈଷୟିକ ତ୍ରୁଟି ଯୋଗୁଁ ଅନେକ ଯୋଗ୍ୟ ହିତାଧିକାରୀ ବଞ୍ଚିତ ହୋଇଥିବା ନଜରକୁ ଆସିଛି। ନିରନ୍ତର ପ୍ରକ୍ରିୟା ହୋଇଥିବାରୁ ତ୍ରୁଟିବିଚ୍ୟୁତି ସୁଧାରି ହିତାଧିକାରୀଙ୍କ ଆକାଉଣ୍ଟକୁ ଅର୍ଥ ଯିବ। ଆଚରଣବିଧି ଲାଗୁ ସତ୍ତ୍ୱେ ବନ୍ଦ ହେବନି କାଳିଆ ଯୋଜନା। ମାର୍ଚ୍ଚ ୩୧ ସୁଦ୍ଧା ବ୍ୟବସ୍ଥାକୁ ସଂପ୍ରସାରଣ କରାଯାଇଛି । ରାଜ୍ୟ ସରକାର ପିଏମ କିଷାନ ପାଇଁ ପଠାଇଥିବା ତାଲିକାରୁ ୩ ଲକ୍ଷ ହିତାଧିକାରୀଙ୍କୁ କାହିଁକି କାଟିଲେ ତାହାର ଜବାବ ଆଗ କେନ୍ଦ୍ର ଦେଉ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ।