ଝିଅକୁ ମାଡ଼ମାରି ତଡ଼ିଦେଲା ବାପା

କାଳିଆପାଣି : ବିଶ୍ବ ପିତୃତ୍ବ ଦିବସ ପାଇଁ ଗତକାଲି ସବୁଠି ଉତ୍ସାହ ଉଦ୍ଦୀପନା ଲାଗି ରହିଥିବା ବେଳେ କାଳିଆପାଣି ଥାନା ଅନ୍ତର୍ଗତ ଚିଙ୍ଗୁଡ଼ିପାଳ କେନ୍ଦୁବଣି ଗାଁରେ ଏକ ଅଲୋଡ଼ା ଦୃଶ୍ୟ ଦେଖିବାକୁ ମିଳିଥିଲା। ସକାଳୁ ସକାଳୁ ଜଣେ ନାବାଳିକା ଝିଅକୁ ତା’ ବାପା ଏକ ପାଞ୍ଚଣରେ ନିସ୍ତୁକ ପିଟି ଚାଲିଥିଲେ। ମାଡ଼ ଭୟରେ ଝିଅଟି ଗାଁ’ ଦାଣ୍ଡରେ ଦୌଡ଼ୁଥିଲା ବେଳେ ବାପା ପିଛାକରି ମାଡ଼ ମାରୁଥିଲେ। ପାଞ୍ଚଣ ପ୍ରହାରରେ ଝିଅଟିର ଦେହ ସାରା ନୋଳା ଫାଟି ଯାଇଥିଲା।

ଭୟରେ ଝିଅଟି ବଣବୁଦାରେ ଲୁଚିଛପି ଘରଠାରୁ ୨ କିଲୋମିଟର ଦୂରରେ ଥିବା ଟାଙ୍ଗରସାହିର ସାବିତ୍ରୀ ମହାନ୍ତଙ୍କ ଘରେ ପଶିଯାଇ ଆଶ୍ରୟ ଲୋଡ଼ିଥିଲା। ତା’ ଦୁଃଖ ଜଣାଇଥିଲା। ସାବିତ୍ରୀ ତା’ ପାଇଁ ସ୍ନାନଶୌଚ ବ୍ୟବସ୍ଥା କରାଇ ଖାଇବାକୁ ଦେଇଥିଲେ। କିଛି ସମୟ ବିଶ୍ରାମ ପରେ ଝିଅଟିକୁ ଘରକୁ ଫେରିବାକୁ କହିବାରୁ ସେ ଭୟରେ ଥରି ଉଠିଥିଲା। ବୁଦ୍ଧିଜୀବୀଙ୍କ ପରାମର୍ଶକ୍ରମେ ସାବିତ୍ରୀ ଝିଅକୁ ଧରି ଥାନାରେ ପହଞ୍ଚି ପୁଲିସର ସହାୟତା ଲୋଡ଼ିଥିଲେ।

ଭାତ ରାନ୍ଧିବାରେ ବିଳମ୍ବ ହେବାରୁ ତାକୁ ଏମିତି ଦଣ୍ଡ ମିଳିଥିବା ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଏହି ଆଦିବାସୀ ଝିଅଟି କହିବା ସହ ତା’ ପ୍ରତି ହୋଇଆସୁଥିବା ନିର୍ଯାତନାର କାହାଣୀ ବର୍ଣ୍ଣନା କରିଥିଲା। ଅଧିକାଂଶ ସମୟରେ ବିନା କାରଣରେ ବାପା ତାକୁ ଏମିତି ପିଟିଥାନ୍ତି ବୋଲି ଝିଅଟି ବୟାନ ଦେଇଥିଲା। ଏହି ପରିପ୍ରେକ୍ଷୀରେ ପୁଲିସ ପକ୍ଷରୁ ଜିଲ୍ଲା ଶିଶୁ ମଙ୍ଗଳ କମିଟି, ଶିଶୁ ସୁରକ୍ଷା ଓ ଅଧିକାର ୟୁନିଟ୍‌ ଏବଂ ଚାଇଲ୍ଡ ଲାଇନ୍‌କୁ ଯୋଗାଯୋଗ କରାଯାଇଥିଲା। କୋଭିଡ୍‌ ପରୀକ୍ଷଣ ଓ ପ୍ରାଥମିକ ଚିକିତ୍ସା ପରେ ସଂପୃକ୍ତ ନାବାଳିକାକୁ ଏକ ସ୍ବାଧାର ଗୃହରେ ଥଇଥାନ କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର