ପୁରୀ : କାଳିଆର ଡୋରି ନ ଲାଗିଲେ, ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପାଦ ପଡ଼େ ନାହିଁ। ଜଗାର ଡକରା ଆସିଲେ, ରୋଗଶଯ୍ୟାରୁ ବି ଭକ୍ତ ଉଠି ଆସେ। ଏ ଅନୁଭବ ଓ ବିଶ୍ବାସ ପ୍ରତିଟି ଭାବଗ୍ରାହୀ ଭକ୍ତଙ୍କର। ଆଜି ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ଜଣେ ବୃଦ୍ଧାଙ୍କର ଫଟୋଚିତ୍ର ଏହି ଉକ୍ତିକୁ ସତ୍ୟ ପ୍ରମାଣିତ କରିଛି। ଭାବ ଓ ଭକ୍ତିର ଏହି ଅପୂର୍ବ ମିଳନ ଭକ୍ତଙ୍କ ହୃଦୟ ଜିଣି ନେଇଛି।

Advertisment

ଓଡ଼ିଶା ପୁଲିସରେ ସିଆଇଡି- କ୍ରାଇମ ବ୍ରାଞ୍ଚରେ ଇନ୍ସପେକ୍ଟର ପୁଲିସ ଭାବେ କାର୍ଯ୍ୟରତ ଯଶୱନ୍ତ ଏହି ଦୃଶ୍ୟ ଉତ୍ତୋଳନ ସହ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଫଟୋରେ ବୃଦ୍ଧାଙ୍କ ନାକରେ ଅକ୍ସିଜେନ ପାଇପ୍‌ ସଂଯୋଗ ହୋଇଥିବା ବେଳେ ସମ୍ଭବତଃ ତାଙ୍କର ପୁଅ ଗ୍ୟାସ ସିଲିଣ୍ଡରକୁ କାନ୍ଧରେ ବୋହି ମା’ଙ୍କୁ ଦର୍ଶନ ପାଇଁ ଗୁଣ୍ଡିଚା ମନ୍ଦିର କାନ୍ଥ ପାର୍ଶ୍ବ ଦେଇ ଶ୍ରୀମନ୍ଦିରକୁ ଯାଉଛନ୍ତି। ଏହି ଫଟୋ ସେୟାର ହେବାପରେ କିଛି ସୋସିଆଲ ମିଡିଆ ୟୁଜର୍‌ ବୃଦ୍ଧା ଖୁବ୍‌ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ବୋଲି କାମନା କରିଛନ୍ତି। ପୁଣି କିଛି ଭକ୍ତ ଉକ୍ତ ଯୁବକ ଓ ବୃଦ୍ଧାଙ୍କ ସାହସ ଓ ଭକ୍ତିକୁ ପ୍ରଶଂସା କରିଛନ୍ତି। ନିକଟରେ ଅଣ୍ଟା ନଇଁଯାଇଥିବା ଜଣେ ବୃଦ୍ଧା ପୁଲିସ ବାବୁଙ୍କ ଲାଠି ମାଗି ତାକୁ ବଙ୍କୁଲିବାଡ଼ି କରି ମହାପ୍ରଭୁଙ୍କ ଦର୍ଶନ ପାଇଁ ଯିବାକୁ ଅଳି କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏବେ ଉଠାଯାଇଥିବା ଏହି ଫଟୋଚିତ୍ରକୁ ଖୁବ୍‌ ପ୍ରଶଂସା ମିଳିଛି।