କାଲିମେଳା: ଗତ ୨୪ ଘଂଟା ଧରି ବାହ୍ୟଜଗତରୁ ଏକ ପ୍ରକାର ବିଛିନ୍ନ ହୋଇ ରହିଛି ମାଲକାନଗିରି ଜିଲ୍ଲା କାଲିମେଳା ସଦରକହକୁମା। ଗୁରୁବାର ଠାରୁ କାଲିମେଳା ବ୍ଳକରେ ଲଗାଣ ବର୍ଷା ଲାଗି ରହିଥିବାରୁ ଏପରି ପରିସ୍ଥିତି ଦେଖିବାକୁ ମିିଳିଛି। ଫଳରେ କାଲିମେଳାବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କାଲିମେଳା ସଦର ମହକୁମାରେ ସର୍ବକାଳୀନ ରେକର୍ଡ଼ ୨୦୨ ମିମି ବର୍ଷା ହୋଇଥିବାର ସରକାରୀ ସୂତ୍ରରୁ ଜଣାପଡ଼ିଛି। ଏତେ ପରିମାଣରେ ବର୍ଷା ହେବା ଯୋଗୁଁ କାଲିମେଳା ଓ ଏହାର ଆଖପାଖ ଅଂଚଳରେ ଥିବା ନଦୀ ନାଳରେ ବନ୍ୟାଜଳ ଆସିଛି।
ସେହିପରି ପୋଟେରୁ ବଜାର ଭିତରେ ବନ୍ୟାଜଳ ପ୍ରବେଶ କରିଥିବାର ସୂଚନା ମିଳିଛି । ପୋଟେରୁ ପୋଲ ଉପରେ ୧୦ଫୁଟ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ନଦୀ କୁଳିଆ ଗାଁ ପ୍ରତି ବିପଦ ବଢ଼ିବାରେ ଲାଗିଛି। ପୋଟେରୁ ବଜାରରେ ଥିବା ଏଟିଏମ ପର୍ଯ୍ୟନ୍ତ ବନ୍ୟାଜଳ ଚାଲିଯାଇଥିବାର ଜଣାପଡ଼ିଛି। ଧୀରେଧୀରେ ପୋଟେରୁ ନଦୀ ଫୁଲୁଥିବାରୁ ପୋଟେରୁ ବଜାରରେ ଥିବା ଦୋକାନୀମାନେ ଜିନିଷପତ୍ର ଖଲି କରି ଉଚ ସ୍ଥାନକୁ ଚାଲିଯାଉଥିବାର ଦେଖିବାକୁ ମିଳିଛି। ପୁଲିମେଟଲାରେ ଥିବା ବନ ବିଭାଗର ନର୍ସରି ମଧ୍ୟରେ ବନ୍ୟାଜଳ ପ୍ରବେଶ କରିଥିବାର ସୂଚନା ମିଳିଛି।
ଲଗାଣ ବର୍ଷା ଯୋଗୁଁ ୩୨୬ ଜାତୀୟ ରାଜପଥର ବିିଭିନ୍ନ ତଳୁଆ ପୋଲ ଗୁଡ଼ିକ ୨୪ଘଂଟା ଧରି ବନ୍ୟାପାଣିରେ ବୁଡ଼ି ରହିଛି। ଫଳରେ କାଲିମେଳାରୁ ମାଲକାନଗିରି, କାଲିମେଳାରୁ ମୋଟୁ ଓ କାଲିମେଳାରୁ ପଡ଼ିଆ ବ୍ଳକକୁ ଯାତାୟତ ଏକ ପ୍ରକାର ଠପ୍ ହୋଇଯାଇଛି। ଏଥି ଯୋଗୁଁ ମାଲକାନଗିରି ଜିଲ୍ଲା ସହିତ ପଡ଼ୋଶୀ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଛତିଶଗଡ଼ ରାଜ୍ୟ ସହିତ ଯୋଗାଯୋଗ ବନ୍ଦ ରହିଛି। ବିଶେଷ କରି ପୋଟେରୁ, କାଂଗୁରକୋଣ୍ଡା, ଏମଭି-୯୦, ଏମଭି-୯୬ ଓ ମହାରାଜପାଲୀ ନିକଟରେ ଥିବା ପୋଲ ଉପରେ ୩ରୁ ୪ଫୁଟ ବନ୍ୟାଜଳ ଖବର ଲେଖା ହେବା ପର୍ଯ୍ୟନ୍ତ ଚାଲୁଥିବାରୁ ଉଭୟ ପଟେ ଶହଶହ ଯାନବାହାନ ଅଟକି ରହିଛି।
କାଲିମେଳା ସଦରମହକୁମା ଦେଇ ୩୨୬ ଜାତୀୟ ରାଜପଥ ଯାଇଥିବାରୁ ଏହି ରାସ୍ତାଦେଇ ଦୈନିକ ଶହଶହ ମାଲବାହୀ ଟ୍ରକ, ଦୂରଗାମୀ ବସ ଗୁଡ଼ିକ ଯାତାୟତ କରିଥାଏ । ଗତ ଦୁଇଦିନ ହେଲା ଏହି ରାସ୍ତା ବୁଡ଼ି ରହିଥିବାରୁ ବସସେବା ଓ ଅତ୍ୟାବଶ୍ୟକୀ ମାଲ ପରିବହନ ସେବା ବନ୍ଦ ରହିଛି। ଶହଶହ ଗାଡ଼ି ଅଭିଭକ୍ତ କୋରାପୁଟ ଜିଲ୍ଲାକୁ ଆସି ନ ପାରି ଅଧାବାଟରେ ଅଟକି ରହିଛି। ଏପରି ସ୍ଥିତି ଲାଗି ରହିଲେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ଅହେତୁକ ଭାବରେ ବୃଦ୍ଧି ପାଇବାର ସମ୍ଭାବନା ରହିଛି। କାଲିମେଳା ସଦରକହକୁମାରୁ ପଡ଼ିଆ ବ୍ଳକକୁ ସଂଯୋଗ କରିଥିବା ମୁଖ୍ୟରାସ୍ତାର କନ୍ୟାଶ୍ରମ ପୋଲ ବୁଡ଼ିଯାଇଥିବାରୁ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଥିବାରୁ ଜିଲ୍ଲା ସହିତ ଛତିଶଗଡ଼ ରାଜ୍ୟକୁ ଯାନବାହାନ ଚଳାଚଳ ଗତକାଲି ରାତିରୁ ବନ୍ଦ ରହିଛି। ଏହି ପୋଲ ଉପରେ ପ୍ରାୟ ୪ଫୁଟ ବନ୍ୟାଜଳ ପ୍ରଭାହିତ ହେଉଥିବାବେଳେ ନଦୀକୁ ଲାଗି ରହିଛି କାଲିମେଳା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ। ନଦୀରେ ବନ୍ୟାଜଳ ଅଧିକ ଆସିଲେ ଏହି ବିଦ୍ୟାଳୟ ଭିତରେ ବନ୍ୟାଜଳ ପ୍ରବେଶ କରିବାର ସମ୍ଭାବନା ରହିଛି। ତେଣୁ ଏହି ବିଦ୍ୟାଳୟରେ ଥିବା ଶତାଧିକ ଛାତ୍ରଛାତ୍ରୀ ଆତଙ୍କିତ ଅବସ୍ଥାରେ ରହିଥିବାର ଜଣାପଡ଼ିଛି। ଲଗାଣ ବର୍ଷା ଯୋଗୁଁ ଭେଜାଗିଂବାଡ଼ା ପଂଚାୟତର ଏମପିଭି-୧୬ ଗ୍ରାମର ୩ଟି ପରିବାରକୁ ନିକଟସ୍ଥ ସ୍କୁଲ ଘରକୁ ସ୍ଥାନାନ୍ତର କରାଯାଇଥିବାର ସୂଚନା ମିଳିଛି। ସେମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ରନ୍ଧାଖାଦ୍ୟର ବ୍ୟବସ୍ଥା କରାଯାଇଥିବାର ତହସିଲଦାର କହିଛନ୍ତି।