କାଲିମେଳା-ପଡ଼ିଆ ଯୋଗା‌ଯୋଗ ବିଚ୍ଛିନ୍ନ

ସାବେରୀ ନଦୀ ଜଳସ୍ତର ବଢ଼ୁଛି

ମାଲକାନଗିରି : ଗତ ୧୫ ଦିନ ମଧ୍ୟରେ ମାଲକାନଗିରି ଜିଲ୍ଲା ତିନି ତିନି ଥର ବନ୍ୟାର ସମ୍ମୁଖୀନ ହୋଇଛି। ଯଦିଓ, ବର୍ଷା କମିଛି ଏବଂ ସ୍ଥିତିରେ ସାମାନ୍ୟ ଉନ୍ନତି ହୋଇଛି ତଥାପି ସାବେରୀ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଆଜି କାଙ୍ଗରୁକୋଣ୍ଡା ଏବଂ କନ୍ୟାଶ୍ରମ ପୋଲ ଉପରେ ବନ୍ୟା ଜଳ ପ୍ରଭାବିତ ହେଉଥିବା ଯୋଗୁଁ କାଲିମେଳା ଓ ପଡିଆକୁ ଯୋଗାଯୋଗ ବିଚ୍ଛିନ୍ନ ରହିଛି। ଏପରିକି, ଛତିଶଗଡ଼କୁ ବି ଯୋଗାଯୋଗ ବିଚ୍ଛିନ୍ନ ରହିଛି। ଗତ ତିନି ଦିନ ଧରି ସୁକୁମା ଅଂଚଳକୁ ଯାନବାହନ ଚଳାଚଳ ହୋଇପାରୁନଥିବା ଯୋଗୁଁ ନଦୀର ଉଭୟ ପାର୍ଶ୍ବରେ ଯାନବାହନ ଅଟକି ରହିଛି।

ମିଳିଥିବା ସୂଚନା ଅନୁସାରେ, ସାବେରୀ ନଦୀ ଜଳସ୍ତର ବୃଦ୍ଧି ପାଇଥିବା ଯୋଗୁଁ ନଦୀକୂଳିଆ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ସୁରକ୍ଷା ପାଇଁ ଛତିଶଗଡ଼ ପୁଲିସ ପକ୍ଷରୁ ଦୁଇ କୂଳରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଜଳପତ୍ତନ ବୃଦ୍ଧି ସାଂଗକୁ ପାଣିର କ୍ଷୀପ୍ର ଗତିକୁ ଦେଖି କୌଣସି ଲୋକଙ୍କୁ ନଦୀ ପାର ହେବାକୁ ଦିଆଯାଉନାହିଁ।

ଅନ୍ୟପକ୍ଷରେ, ବନ୍ୟା ଛାଡି ଯିବା ପରେ ଜିଲ୍ଲାବାସୀଙ୍କ ପାଇଁ ଦୁର୍ଦ୍ଦଶା ଛାଡିଯାଇଛି। କାହାର ଘର ଭାଂଗିଛି ତ ପୁଣି କାହା ଜମିରେ ବାଲିଚର ମାଡ଼ିଯାଇଛି। କେଉଁଠି ରୁଆ ଧାନ ଚାଷ ନଷ୍ଟ ହୋଇଯାଇଛି ତ ପୁଣି କାହାର ପନିପରିବା ଫସଲ ନଷ୍ଟ କରିଦେଇଛି। ଚାଷୀ ବିଳମ୍ବରେ ଧାନ ରୁଆ କରି ସାମାନ୍ୟ ଅସ୍ତଶ୍ବ ହୋଇଥିବାବେଳେ ବନ୍ୟା ଚାଷୀ ମୁଣ୍ଡରେ ଚଡ଼କ ପକାଇଛି। ପୁଣି ତଳି ପକାଇବୁ କେବେ ଏବଂ ଧାନ ଚାଷ କରିବୁ କେବେ ବୋଲି ପ୍ରଶ୍ନ କରୁଛନ୍ତି ଚାଷୀ। ଘର ଭାଂଗିଯାଇଥିବା ପରିବାର ଏବେ ଖୋଲା ଆକାଶ ତଳେ ରହୁଥିବା ବେଳେ କିଛି ପଲିଥିନ ଟାଣି ରହିଛନ୍ତି।

ତେବେ, ବନ୍ୟା କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା କେତେ ପରିମାଣର କ୍ଷୟକ୍ଷତି ହୋଇଛି ତାହା ସ୍ପଷ୍ଟ ଜଣାପଡିନାହିଁ। ଜିଲ୍ଲାପାଳ ନିଜେ ବନ୍ୟାଞ୍ଚଳ ପରିଦର୍ଶନ କରିବା ସହ ଲୋକେ କିଭଳି ସୁବିଧାରେ ରହିବେ ସେଥିପ୍ରତି ଗୁରୁତ୍ବ ଦେଇଛନ୍ତି। ବନ୍ୟା କ୍ଷତିଗ୍ରସ୍ତ ଲୋକଙ୍କୁ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ଦିଆଯାଉଛି। କେତେକ ସ୍ଥାନରେ ରାସ୍ତା ଧୋଇ ହୋଇଯାଇଥିବା ବେଳେ କେତେକ ସ୍ଥାନରେ ଆପ୍ରୋଚ୍ ରୋଡ଼ ଧୋଇ ହୋଇଯାଇଛି। ସରକାର ତୁରନ୍ତ କ୍ଷତିଗ୍ରସ୍ତ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବା ସହ ଭାଂଗିଥିବା ରାସ୍ତାଘାଟକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବାକୁ ବିଭିନ୍ନ ମହଲରେ ଦାବି କରାଯାଇଛି।

ସମ୍ବନ୍ଧିତ ଖବର