ଭୁବନେଶ୍ବର: ‘ସମ୍ବାଦ’ରେ ରିପୋର୍ଟ ପ୍ରକାଶ ପରେ ସରକାର ସଚେତନ ହୋଇଛନ୍ତି। ତତ୍କାଳ କାର୍ଯ୍ୟକାରୀ କରିଛନ୍ତି। ‘କଳିଙ୍ଗ ସୁପର୍ କପ୍’ରୁ ସର୍ବଭାରତୀୟ ଫୁଟ୍ବଲ୍ ମହାସଂଘ (ଏଆଇଏଫ୍ଏଫ୍) ‘କଳିଙ୍ଗ’ ଟାଇଟଲ୍କୁ କାଟିବାର ୪୮ ଘଣ୍ଟା ଭିତରେ ପୁଣି ଯୋଡ଼ାଯାଇଛି। ଘରୋଇ ଫୁଟ୍ବଲ୍ର ଅନ୍ୟତମ ପ୍ରମୁଖ ପ୍ରତିଯୋଗିତା ସୁପର୍ କପ୍ର ପରବର୍ତ୍ତୀ ସଂସ୍କରଣ ଏପ୍ରିଲ୍ ୨୧ ତାରିଖରୁ ଭୁବନେଶ୍ବରରେ ଖେଳାଯିବ ବୋଲି ମାର୍ଚ୍ଚ ୫ ତାରିଖରେ ଏଆଇଏଫଏଫ ଘୋଷଣା କରିଥିଲା। କିନ୍ତୁ ଗତବର୍ଷ ଭଳି ଓଡ଼ିଶା ସରକାର ପ୍ରାୟୋଜକ ହେବାକୁ ଅମଙ୍ଗ ଥିବାରୁ ‘କଳିଙ୍ଗ’ ନାମକୁ କାଟି ଦିଆଯାଇଥିଲା। ଏ ସମ୍ପର୍କରେ ‘ସମ୍ବାଦ’ ଖେଳ ପୃଷ୍ଠାରେ ଶୁକ୍ରବାର (୭ ମାର୍ଚ୍ଚ ୨୦୨୫) ‘କଳିଙ୍ଗ ସୁପର୍ କପ୍ରୁ କଟିଲା କଳିଙ୍ଗ’ ଶୀର୍ଷକରେ ଏକ ଖବର ପ୍ରକାଶ ପାଇଥିଲା। ଏଥିରେ ରାଜ୍ୟ ସରକାରଙ୍କ ଅଜ୍ଞତା ଓ ଅସହଯୋଗକୁ ଦର୍ଶାଯାଇଥିଲା। ଶୁକ୍ରବାର ରାତିରେ କିନ୍ତୁ ଏଆଇଏଫ୍ଏଫ୍ ନୁହେଁ ଓଡ଼ିଶା ସରକାର ନିଜ ଆଡୁ ଘୋଷଣା କରିଛନ୍ତି ଏଥର ସୁପର୍ କପ୍ ‘କଳିଙ୍ଗ ସୁପର୍ କପ୍’ ନାମରେ ଖେଳାଯିବ। ଏ ସମ୍ପର୍କରେ ଏଆଇଏଫଏଫ ସମ୍ପାଦକ ଅନିଲ କୁମାର ପ୍ରଭାକରନ ମଧ୍ୟ ‘ସମ୍ବାଦ’କୁ ସ୍ପଷ୍ଟ କରିଛନ୍ତି। ଶୁକ୍ରବାର ମହାସଂଘର ବୈଠକ ପରେ ଆମେ ପୂର୍ବଭଳି ‘କଳିଙ୍ଗ ସୁପର୍ କପ୍’ ନାମ ରଖିବାକୁ ନିଷ୍ପତ୍ତି ନେଇଛୁ ବୋଲି ପ୍ରକାଶ କରିଛନ୍ତି ପ୍ରଭାକରନ।
ଫେଡେରେସନ୍ କପ୍କୁ ବନ୍ଦ କରି ୨୦୧୮ରେ ମହାସଂଘ ସୁପର୍ କପ୍ ନାମରେ ନାମିତ କରିଥିଲା। ଏଆଇଏଫ୍ଏଫ୍କୁ ଓଡ଼ିଶା ସରକାର ସମର୍ଥନ ଦେବା ପରେ ଏହାକୁ ‘କଳିଙ୍ଗ ସୁପର୍ କପ୍’ ନାମରେ ଖେଳାଯାଇଥିଲା। ଓଡ଼ିଶା ସରକାର ଓହରିଯାଇଥିବାରୁ ଏଆଇଏଫ୍ଏଫ୍ ଟାଇଟଲ୍ ପ୍ରାୟୋଜକକୁ କାଟିଦେଇଥିଲା। ଏବେ ଗଣମାଧ୍ୟମ ଚାପରେ ପରେ ପୁଣି ଯୋଡ଼ାଯାଇଛି। ସୁପର୍ କପ୍ର ବିଗତ ୪ଟି ସଂସ୍କରଣରୁ ୩ଟି ମଧ୍ୟ ଭୁବନେଶ୍ବରରେ ଖେଳାଯାଇଛି। ଅନ୍ୟପକ୍ଷରେ ଓଡ଼ିଶାର ସର୍ବପୁରାତନ ସର୍ବଭାରତୀୟ ଫୁଟ୍ବଲ୍ ପ୍ରତିଯୋଗିତା ଭାବେ ଅନେକ ଗୌରବ ଅର୍ଜନ କରିଥିବା କଳିଙ୍ଗ କପ୍ ପୁଣି ଫେରିବ ବୋଲି ମାର୍ଚ୍ଚ ୫ ତାରିଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ ଯେଉଁ କଳିଙ୍ଗ କପ୍ କଥା ଘୋଷଣା କରିଛନ୍ତି ସେ ସମ୍ପର୍କରେ ଶୁକ୍ରବାର କିନ୍ତୁ କିଛି ସ୍ପଷ୍ଟ କରାଯାଇନାହିଁ। ବିଜୁ ପଟ୍ଟନାୟକଙ୍କ ମାନସପୁତ୍ର ଭାବେ କଳିଙ୍ଗ କପ୍ର ଶୁଭାରମ୍ଭ ହୋଇଥିଲା। ଲଣ୍ଡନ୍ରୁ ବିଜୁ ବାବୁ ଟ୍ରଫି ଆଣିଥିବା ବେଳେ ୧୯୬୨ ମସିହାରୁ ଏହା ରାଜ୍ୟ ଫୁଟ୍ବଲ୍ ସଂଘ (ପୂର୍ବର ଓଫା, ଏବର ‘ଫାଓ’) ଦ୍ବାରା ପରିଚାଳିତ ହେଉଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/03/08/EtPPy2KDmSWXSlkk6K9g.jpg)