ଜଗତସିଂହପୁର: କଳିଙ୍ଗ ବାଲିଯାତ୍ରା ହେଉଛି ଓଡ଼ିଆ ସାଧବ ପୁଅଙ୍କ ସାହସର ପ୍ରତୀକ। ସେଇଥି ପାଇଁ ପାରାଦୀପ ଆଜି ପୂର୍ବ ଭାରତରେ ବିକାଶର ମୁଖଶାଳା ପାଲଟିଛି। ଯେମିତି ବମ୍ବେ ପଶ୍ଚିମର ‘ଗେଟ୍ ୱେ ଅଫ୍ ଇଣ୍ଡିଆ’; ସେମିତି ପାରାଦୀପ ପୂର୍ବାଞ୍ଚଳର ‘ଗେଟ୍ ୱେ ଅଫ୍ ଇଣ୍ଡିଆ’ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଜୁ ମଇଦାନରେ ଆଜି ସନ୍ଧ୍ୟାରେ କଳିଙ୍ଗ ବାଲିଯାତ୍ରା-୨୦୨୫କୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଖୁବ୍‌ଶୀଘ୍ର ପାରାଦୀପରେ ଗ୍ରିନ୍‌ ହାଇଡ୍ରୋଜେନ୍‌ ପ୍ରକଳ୍ପ ପ୍ରତିଷ୍ଠା ହେବ। ପାରାଦୀପକୁ ପର୍ଯ୍ୟଟନର କେନ୍ଦ୍ରସ୍ଥଳ କରିବା ପାଇଁ ମଙ୍ଗଳା ନଦୀରେ କ୍ରୁଜ୍‌ ଟର୍ମିନାଲ୍‌ ନିର୍ମାଣ ହେବ। ରାଜ୍ୟ ସରକାର ଏଥିପାଇଁ ୫୦୦ କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା କରିଛନ୍ତି। ପାରାଦୀପ ବେଳାଭୂମି ବ୍ଲୁ ଫ୍ଲାଗ ବିଚ୍ ଘୋଷିତ ହୋଇଛି।

Advertisment

‘ମଙ୍ଗଳା ନଦୀରେ କ୍ରୁଜ୍‌ ଟର୍ମିନାଲ୍‌ ନିର୍ମାଣ ହେବ’

ପାରାଦୀପ ସହରରେ ଖୁବ୍‌ଶୀଘ୍ର ବିମାନବନ୍ଦର ହେବ। ପେଟ୍ରୋକେମିକାଲ୍‌ ପ୍ରକଳ୍ପ ପାଇଁ କାମ ଆରମ୍ଭ ହୋଇଯାଇଛି। ୮୦ ହଜାର କୋଟି ଟଙ୍କାର ପ୍ରକଳ୍ପ ହେବାକୁ ଥିବା ବେଳେ ୨୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି। ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଥିଲେ ଯେ କଳିଙ୍ଗ ବାଲିଯାତ୍ରାକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ଏହି ଐତିହାସିକ ମେଳାର ଗୌରବକୁ ଅକ୍ଷୁଣ୍ଣ ରଖିଛନ୍ତି। ପାରାଦୀପରେ ଇଞ୍ଜିନିୟରିଂ କଲେଜ ନିର୍ମାଣ ଓ କୁଜଙ୍ଗକୁ ଏନ୍‌ଏସି ମାନ୍ୟତା ଲାଗି ସେ ଦାବି ରଖିଥିଲେ। କାର୍ଯ୍ୟକ୍ରମରେ ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରାଇ, ବିଧାୟକ ରମାକାନ୍ତ ଭୋଇ, ପୌରାଧ୍ୟକ୍ଷ ବସନ୍ତ ବିଶ୍ବାଳ, ବନ୍ଦର ଅଧ୍ୟକ୍ଷ ପି.ଏଲ୍. ହରନାଦ ବକ୍ତବ୍ୟ ରଖିଥିଲେ। ଜିଲ୍ଲାପାଳ ଜେ. ସୋନାଲ୍‌ ସ୍ୱାଗତ ଭାଷଣ ଦେଇଥିବା ବେଳେ ଏସ୍‌ପି ଅଙ୍କିତ କୁମାର ବର୍ମା ଧନ୍ୟବାଦ ଦେଇଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରତିଚୀ ତନୟା ମହାନ୍ତି ମଞ୍ଚ ପରିଚାଳନା କରିଥିଲେ।