ବାଲେଶ୍ବରରେ ଆତଙ୍କ: କଳିଙ୍ଗ ଶୀତଳଭଣ୍ଡାରରୁ ଗ୍ୟାସ୍‌ ଲିକ୍‌

ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ, କାର୍ଯ୍ୟାନୁଷ୍ଠାନ ଦାବି

ବାଲେଶ୍ବର: ବାଲେଶ୍ବର ସହର ଓଟି ରୋଡ୍‌ର ଅଙ୍ଗାରଗଡ଼ିଆ ଅଞ୍ଚଳରେ ଆଜି ପୂର୍ବାହ୍ନରେ କିଛି ସମୟ ପାଇଁ ଆତଙ୍କ ଖେଳି ଯାଇଥିଲା। ପୂର୍ବାହ୍ନ ସାଢ଼େ ୧୦ଟା ବେଳେ ଏଠାରେ ଥିବା କଳିଙ୍ଗ ଆଇସ୍‌ ଆଣ୍ଡ୍‌ କୋଲ୍ଡ ଷ୍ଟୋରେଜ୍‌ରୁ ହଠାତ୍‌ ଆମୋନିଆ ଗ୍ୟାସ୍ ଲିକ୍‌ ହେବାରୁ ସ୍ଥାନୀୟ ଅଞ୍ଚଳରେ ଲୋକେ ଆତଙ୍କିତ ହୋଇ ପଡ଼ିଥିଲେ। ତେବେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ତେବେ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉ‌େତ୍ତଜନା ପ୍ରକାଶ ପାଇଥିବାବେଳେ ଉତ୍ତ୍ୟକ୍ତ ଲୋକେ କିଛି ସମୟ ପାଇଁ ଓଟି ରୋଡ଼କୁ ଅବରୋଧ କରିଥିଲେ ଏବଂ ବିନା ନିରାପତ୍ତା ବ୍ୟବସ୍ଥାରେ ଚାଲିଥିବା ଏହି ଶୀତଳଭଣ୍ଡାର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ।

ମିଳିଥିବା ଖବର ଅନୁଯାୟୀ, ବାଲେଶ୍ବର ସହରର ଅଙ୍ଗାରଗଡ଼ିଆ ବିକାଶ ନଗରରେ ଏହି ଷ୍ଟୋରେଜ୍‌ ଦୀର୍ଘବର୍ଷ ଧରି ରହିଛି। ବିଶେଷ କରି ଏହି ଶୀତଳ ଭଣ୍ଡାରରେ ଟନ୍‌ ଟନ୍‌ ଆଳୁ ରଖାଯିବା ସହ ସେଗୁଡ଼ିକୁ ସତେଜ ରଖିବା ପାଇଁ ଆମୋନିଆ ଗ୍ୟାସ୍‌ ବ୍ୟବହାର କରାଯାଇଥାଏ। ତେବେ ଆଜି ପୂର୍ବାହ୍ନ ସାଢ଼େ ୧୦ଟା ବେଳେ ଷ୍ଟୋରେଜ୍‌ ଭିତରେ ଆମୋନିଆ ଗ୍ୟାସ୍‌ ଥିବା ସିଲିଣ୍ଡରରୁ ହଠାତ୍‌ ଧୂଆଁ ନିର୍ଗତ ହୋଇଥିଲା। ପ୍ରଥମେ ଶ୍ରମିକମାନେ ଏଥିରେ ଭୟଭୀତ ହୋଇନଥିବା ବେଳେ କିଛି ସମୟ ପରେ ସେମାନଙ୍କ ଆଖି ଓ ଚର୍ମ ପୋଡ଼ାଜଳା କରିବାରୁ ଭୟରେ ସମସ୍ତେ ବାହାରକୁ ଦୌଡ଼ି ପଳାଇ ଆସିଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚିବା ପରେ ଫୋମ୍‌ ‌‌େ‌ସ୍ପ୍ର ଜରିଆରେ ନିର୍ଗତ ଗ୍ୟାସକୁ ନିୟନ୍ତ୍ରଣ କରିବା ସହ ଶୀତଳ ଭଣ୍ଡାରର କାଗଜପତ୍ର ଓ ନିରାପତ୍ତା ବ୍ୟବସ୍ଥା ଯାଞ୍ଚ୍‌ କରିଥିଲେ। ତେବେ ବଡ଼ କଥା ହେଉଛି, ଏହି ଶୀତଳ ଭଣ୍ଡାରଟି ବିନା ନିରାପତ୍ତା ବ୍ୟବସ୍ଥା ଓ ପ୍ରଦୂଷଣ ନିୟନ୍ତ୍ରଣ ବ୍ୟବସ୍ଥାରେ ଚାଲିଥିବା ଆଜି ପ୍ରଶାସନ ଜାଣିବାକୁ ପାଇଛି। ହେଲେ ପ୍ରଶ୍ନ ଉଠୁଛି, ଏତେ ବର୍ଷ ଧରି ଏ କଥା ପ୍ରଶାସନ ଜାଣିପାରୁନଥିଲା ‌କିପରି? ଏହାଛଡ଼ା ସହରର ଅନ୍ୟ ଶୀତଳଭଣ୍ଡାରଗୁଡ଼ିକର ସ୍ଥିତି କେମିତି ରହିଛି ସେନେଇ ମଧ୍ୟ ପ୍ରଶ୍ନ ଉଠିଛି। ଏହି ଘଟଣାକୁ ନେଇ ଅଞ୍ଚଳ ବାସିନ୍ଦା ଆତଙ୍କିତ ହୋଇପଡ଼ିଥିବା ବେଳେ ଶୀତଳଭଣ୍ଡାର ମାଲିକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରି ଓଟି ରୋଡ୍‌ ଅବରୋଧ କରିଥିଲେ। ଦୀର୍ଘସମୟ ରାସ୍ତା ବନ୍ଦ ରହିବାରୁ ଯାତାୟାତ ବ୍ୟବସ୍ଥା ପ୍ରଭାବିତ ହୋଇଥିଲା। ଖବରପାଇ କ୍ରାଇମ ଡିଏସ୍‌ପି ଉମେଶ ଚନ୍ଦ୍ର ପଣ୍ଡା ଓ ସହଦେବଖୁଣ୍ଟା ଥାନା ଆଇଆଇସି ଶୁଭ୍ରାଂଶୁ ଶେଖର ନାୟକ ଓ ଟ୍ର‌ାଫିକ୍‌ ଥାନା ଓଆଇସି ପ୍ରଶାନ୍ତ ରଣସିଂହ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରି ରାସ୍ତା ଉପରୁ ହଟାଇଥିଲେ।

ଏ ସମ୍ପର୍କରେ ଜିଲ୍ଲା ସହକାରୀ ଅଗ୍ନିଶମ ଅଧିକାରୀ ପରାନ ସୋରେନଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଏହି ‌ଶୀତଳ ଭଣ୍ଡାରରେ ୨୦୦୪ ମସିହାରୁ ସେଫ୍‌ଟି ମେଜର ସିଷ୍ଟମ୍‌କୁ ଅପଡେଟ୍‌ ପାଇଁ ସାମାନ୍ୟତମ ପଦକ୍ଷେପ ନିଆଯାଇନାହିଁ। ତେଣୁ ୨୪ ଘଣ୍ଟା ଭିତରେ ଏଥିପାଇଁ ପଦକ୍ଷେପ ନେବାକୁ ସେମାନଙ୍କୁ ନିର୍ଦେଶ ଦିଆଯାଇଛି। ନହେଲେ ତାହା ସିଲ୍‌ କରାଯିବ ବୋଲି ଶ୍ରୀ ସୋରେନ୍‌ କହିଛନ୍ତି।

ସମ୍ବନ୍ଧିତ ଖବର