ଭୁବନେଶ୍ବର: ବିଜୁ ବାବୁ ଥିଲେ ଓଡିଶାର ପଥ ପ୍ରଦର୍ଶକ। ବିଜୁ ବାବୁ ଓଡ଼ିଶା ପାଇଁ ଯେଉଁସବୁ ସ୍ବପ୍ନ ଦେଖିଥିଲେ, ତାକୁ ଆମେ ପୂରଣ କରିବୁ। ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ଏମିତି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଜୟଦେବ ଭବନଠାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଆୟୋଜିତ ଏହି ସମାରୋହରେ ମୁଖ୍ୟମନ୍ତ୍ରୀ କହିଥିଲେ, ଯଦି ବିଜୁ ବାବୁଙ୍କ କହିଥିବା କଥା ଉପରେ ଠିକ୍ କାମ ହୋଇଥାନ୍ତା, ତେବେ ଓଡ଼ିଶା ବହୁ ଆଗକୁ ଯାଇଥାନ୍ତା। ଯେଉଁମାନେ ବିଜୁ ବାବୁଙ୍କ ଅଧୁରା ସ୍ବପ୍ନକୁ ପୂରଣ କଥା କହୁଥିଲେ, ସେମାନେ ଏହାକୁ କାର୍ଯ୍ୟକାରୀ କଲେ ନାହିଁ । ଏବେ ବିକଶିତ ଗାଁ, ବିକଶିତ ଓଡିଶା ଯୋଜନା କାର୍ଯ୍ୟକାରୀ କରାଯାଇ ୫ ବର୍ଷରେ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ।
ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯିବା ଘଟଣା ଉପରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ କହିଲେ ଯେ ଏନେଇ ଆଜିର ଭଳି ଦିନରେ ରାଜନୀତି କରିବା ଉଚିତ୍ ନୁହେଁ। ଏ ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ବିଜୁ ବାବୁଙ୍କ ଦ୍ବାରା ଆରମ୍ଭ ହୋଇଥିବା ‘କଳିଙ୍ଗ ଫୁଟବଲ କପ୍’ ପୁନର୍ବାର ଆରମ୍ଭ କରାଯିବ। ୟୁନେସ୍କୋ କଳିଙ୍ଗ ପୁରସ୍କାର ପ୍ରଦାନ ଜାରି ରହିବ। ବିଜୁ ବାବୁଙ୍କ ଜୀବନୀ ସଂପର୍କିତ ଏକ ଫଟୋଚିତ୍ର ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତୀକରଣ ଓ ଶକ୍ତି ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ , ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଏକାମ୍ର ବିଧାୟକ ବାବୁ ସିଂ ପ୍ରମୁଖ ବକ୍ତବ୍ୟ ଦେଇଥିଲେ। ମୁଖ୍ୟବକ୍ତା ଭାବେ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇ ଯୋଗଦେଇଥିଲେ। ସୂଚନା ଓ ଲୋକସମ୍ପର୍କ ପ୍ରମୁଖ ଶାସନ ସଚିବ ସଞ୍ଜୟ ସିଂହ ସ୍ବାଗତ ଭାଷଣ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/06/5S9zgyoZisGjpZatgPt3.jpg)