ଘୁ.ଉଦୟଗିରି: କନ୍ଧମାଳଜିଲ୍ଲା ଦେଇ ଯାଇଥିବା ୧୫୭ ନମ୍ବର ଜାତୀୟ ରାଜପଥ କଳିଙ୍ଗା ଘାଟିରେ ୧୬ ତାରିଖ ମଙ୍ଗଳବାର ଅପରାହ୍ନ ସମୟରେ ଲଗାଣ ବର୍ଷାରେ ଭୂସ୍ଖଳନ ଯୋଗୁ ରାସ୍ତା ସମ୍ପୂର୍ଣ୍ଣ ଧୋଇ ହୋଇ ୪୦/୫୦ ଫୁଟର ବିରାଟ ଖାଲ ହୋଇଛି। ବୁଧବାର ଠାରୁ ଜାତୀୟ ରାଜପଥ ବିଭାଗ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କଲା ପରେ କାମ ଆରମ୍ଭ ହୋଇଛି।

Advertisment

କନ୍ଧମାଳ ଜିଲ୍ଲା ଅଞ୍ଚଳବାସୀଙ୍କ ପାଇଁ ଏହି ଘାଟି ରାସ୍ତାଟି ଜୀବନ ଜୀବିକା ହୋଇଥିବା ବେଳେ ବର୍ତ୍ତମାନ ପ୍ରାକୃତିକ ବିପର୍ଯ୍ୟୟରେ ଗଞ୍ଜାମ ଜିଲ୍ଲା ସହ କନ୍ଧମାଳ ଜିଲ୍ଲା ବିଛିନ୍ନ ହୋଇଛି।

ଘଟଣା ଘଟିବାର ୪୨ ଘଣ୍ଟା ପରେ ଗୁରୁବାର ପୂର୍ବାହ୍ନ  ପ୍ରାୟ ସାଢ଼େ ୧୧ଟା ରେ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ କଳିଙ୍ଗା ଘାଟିର ଭୂସ୍ଖଳନ ହୋଇଥିବା ସ୍ଥାନରେ ପହଞ୍ଚି ଜାତୀୟ ରାଜପଥ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଚଳିତ ବର୍ଷ ଅଧିକ ବର୍ଷା ହୋଇଥିବା ବେଳେ ଲଗାଣ ବର୍ଷା ଯୋଗୁ ଏପରି ଭୂସ୍ଖଳନ ହୋଇଥିବା ବେଳେ ସୌଭାଗ୍ଯ ବଶତଃ ଧନ ଜୀବନ କ୍ଷତି ହୋଇନାହିଁ।

ବର୍ତ୍ତମାନ  ବ୍ରହ୍ମପୁର ଯିବା ପାଇଁ ବିକଳ୍ପ ରାସ୍ତା ଭାବେ ଟିକାବାଲି, ଚକାପାଦ ରାସ୍ତାକୁ ବ୍ୟବହାର କରାଯାଉଛି। ଯଥା ସମ୍ଭବ ଚେଷ୍ଟା କରି ପାଣିପାଗ ଓ ବର୍ଷା ପରିସ୍ଥିତିକୁ ଅନୁଧ୍ୟାନ କରି ୭ ରୁ ୧୦ ଦିନ ମଧ୍ୟରେ ଗାଡ଼ି ମୋଟର ଯାତାୟତ ପାଇଁ ପ୍ରଥମେ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯିବ।

ପରେ ସ୍ଥାୟୀ ରାସ୍ତା କାମ ପରିସ୍ଥିତି ଅନୁକୂଳ ଦେଖି କରାଯିବ। ଏହି ଘାଟି ରାସ୍ତା ନିର୍ମାଣ ନିମନ୍ତେ ଏନଏଚ ବିଭାଗ ଅଧିକାରୀଙ୍କୁ ଯେଉଁ ସବୁ ଅନୁମତିର ଆବଶ୍ୟକତା ସେସବୁକୁ ପ୍ରଶାସନ ତରଫରୁ ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।