ଘୁ.ଉଦୟଗିରି: ୧୫୭ ନମ୍ବର ଜାତୀୟ ରାଜପଥ କଳିଙ୍ଗା ଘାଟିରେ ଗତ ମାସ ୧୬ ତାରିଖ ଦିନ ଭୂସ୍ଖଳନ ଯୋଗୁ ହୋଇଥିଲା। ଇତି ମଧ୍ୟରେ ୨୭ ଦିନ ହେଲାଣି ଗାଡ଼ିମୋଟର ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଯାହାଫଳରେ କନ୍ଧମାଳ ଏବଂ ଗଞ୍ଜମ ଜିଲ୍ଲାର ସୀମାବର୍ତୀ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Advertisment

ଭୂସ୍ଖଳନ ପରଦିନ ଠାରୁ ଅସ୍ଥାୟୀ ରାସ୍ତା ତିଆରି ଚାଲିଛି କିନ୍ତୁ ପ୍ରତିଦିନ କଳିଙ୍ଗା ଘାଟିରେ ବର୍ଷା ଯୋଗୁ ଅସ୍ଥାୟୀ ରାସ୍ତା ନିର୍ମାଣରେ ବାଧା ସୃଷ୍ଟି ହେଉଛି। କାମ ଚାଲିଥିବା ସମୟରେ ବର୍ଷା ହେଲେ ଶ୍ରମିକମାନଙ୍କ ପ୍ରତି ବିପଦ ରହିଛି।ବର୍ଷା ହେଲେ ଶ୍ରମିକ ମାନେ ଭୟଭୀତ ହୋଇ କାମ ବନ୍ଦ କରିବାକୁ ବାଧ୍ୟ ହେଉଛନ୍ତି।ଅସ୍ଥାୟୀ ରାସ୍ତା ତିଆରି କାମ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଶୁକ୍ରବାର ଦିନ ଲୁହ ରଡ଼ ପକାଇ ୮ ଇଞ୍ଚ ପର୍ଯ୍ୟନ୍ତ କଙ୍କ୍ରିଟ୍ ଢ଼ଳେଇ ହୋଇଥିବା ବେଳେ ଶନିବାର ପୁଣି  ଆଉ ଏକ ପରସ୍ତ ୮  ଇଞ୍ଚ ପର୍ଯ୍ୟନ୍ତ କଙ୍କ୍ରିଟ୍ ଢ଼ଳେଇ ହୋଇଛି। ସୁରକ୍ଷା ଦୃଷ୍ଟିରୁ ରାସ୍ତାର ଉଭୟ ପାର୍ଶ୍ବରେ ଗାର୍ଡ ୱାଲ୍ ନିର୍ମାଣ କରାଯିବ। ଭୂସ୍ଖଳନ ସ୍ଥାନର ପାହାଡ଼ ଉପରେ ବିପଦ ସଙ୍କୁଳ ଅବସ୍ଥାରେ ଅଟକି ରହିଥିବା ବଡ଼ ପଥର ଗୁଡ଼ିକୁ ବ୍ଲାଷ୍ଟ କରିବା ଯୋଜନା ଆରମ୍ଭ ହୋଇଛି।  

ପାଗ ଭଲ ରହିଲେ ସମସ୍ତ ଯୋଜନା ସଫଳ ହୁଅନ୍ତା ବୋଲି କହିଛନ୍ତି ଏନଏଚ ବିଭାଗ ,ଫୁଲବାଣୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ସାହୁ। ରାସ୍ତାରେ ଦେଢ଼ ଫୁଟ ରୁ ଅଧିକା ମୋଟରେ ସିମେଣ୍ଟ କଙ୍କ୍ରିଟ୍ ଢ଼ଳେଇ ହେବ। ଇତିମଧ୍ୟରେ ପାହାଡ଼ ଉପରେ ବିପଦ ସଙ୍କୁଳ ଅବସ୍ଥାରେ ଥିବା ବିଶାଳ ପଥର ଗୁଡ଼ିକୁ ବ୍ଲାଷ୍ଟ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ବର୍ଷା ଯୋଗୁଁ ପଥର ବ୍ଲାଷ୍ଟ କାମ ହୋଇପାରୁନାହିଁ। ଆସନ୍ତା ୪ ଦିନ ପାଗ ଭଲ ରହିଲେ ସପ୍ତାହକ ମଧ୍ୟରେ ପ୍ରଥମେ କେବଳ ହାଲୁକା ଯାନ ଯାତାୟତ ପାଇଁ ରାସ୍ତା ଖୋଲି ପାରେ।

ବର୍ତ୍ତମାନ ୨୭ ଦିନ ହେଲାଣି କଳିଙ୍ଗା ଘାଟି ରାସ୍ତା ବନ୍ଦ ଥିବାରୁ ମୁଖ୍ୟତଃ ଗଞ୍ଜାମଜିଲ୍ଲା ଦୁର୍ଗାପ୍ରସାଦ, କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି, କଳିଙ୍ଗା, ଟିକାବାଲି, ଫୁଲବାଣୀ,ରାଇକିଆ, ପାବୁରିଆ, ଗୁଟିଙ୍ଗିଆ,ସାରଙ୍ଗଗଡ଼ ,ବାଲିଗୁଡ଼ା ଏହାଛଡ଼ା କଳିଙ୍ଗା ଘାଟି ଦେଇ ଯାଉଥିବା ସମସ୍ତ ଜିଲ୍ଲା ତଥା ରାଜ୍ୟର ଅଞ୍ଚଳବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ମୁଖ୍ୟ ସମସ୍ୟା ହେଲା ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ସମ୍ଭବ ହୋଇ ପାରୁନାହିଁ। ସମସ୍ତ ଯାତ୍ରୀବାହୀ, ମାଲବାହୀ ଗାଡ଼ି ଗୁଡ଼ିକ ଅଧିକା କିଲୋମିଟର ରାସ୍ତା ଦେଇ ଯାତାୟତ କରୁଥିବାରୁ ଅଧିକା ସମୟ ଓ ଅଧିକା ଗାଡ଼ି ଭଡ଼ା ଦେବାକୁ ପଡୁଛି। ଜିଲ୍ଲାର ସମସ୍ତ ବଜାରରେ ବହୁ ଖାଦ୍ୟ ସମାଗ୍ରୀ ଦର ବୃଦ୍ଧି ପାଉଥିବା ବେଳେ ସାଧରଣ ଜନତା ଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଛି। ତେଣୁ ପାଣିପାଗକୁ ଅନୁଧ୍ୟାନ କରି କଳେ ବଳେ କୌଶଳେ ଘାଟି ରାସ୍ତା ତିଆରି କରାଗଲେ ସମ୍ପୂର୍ଣ୍ଣ କନ୍ଧମାଳ ଜିଲ୍ଲା ତଥା ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲା ଓ ଅନ୍ୟ ରାଜ୍ୟ ସହ ଯାତାୟତ ଯାଥା ଶୀଘ୍ର ହେଲେ ସମସ୍ତେ ଉପକୃତ ହୋଇପାରିବେ ବୋଲି ଉଭୟ ଜିଲ୍ଲାର ସୀମାବର୍ତୀ ଅଞ୍ଚଳବାସୀ ଦାବି କରିଛନ୍ତି।

ଏହି ରାସ୍ତା ସହ ଏହାର ବିକଳ୍ପ ରାସ୍ତା ନିମନ୍ତେ ଅଞ୍ଚଳବାସୀ ଭଞ୍ଜନଗର ବିଧାୟକ,ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରି ଲିଖିତ ଅନୁରୋଧ ପତ୍ର ପ୍ରଦାନ କରିଥିବା ବେଳେ ଭଞ୍ଜନଗର ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଏହି ସମସ୍ୟାର ସମାଧାନ ପାଇଁ ଆଲୋଚନା କରିଛନ୍ତି। ମୁଖ୍ୟତଃ କଳିଙ୍ଗା ଘାଟିର ବିକଳ୍ପ ରାସ୍ତା ଥିବା ସତ୍ତ୍ୱେ ଏହି ବିକଳ୍ପ ରାସ୍ତାକୁ ନିର୍ମାଣ କରିବାକୁ ବିଭାଗୀୟ ଅଧିକାରୀ ପଛଘୁଞ୍ଚା ଦେଉଥିବା ଅଭିଯୋଗ ହେଉଛି।ଏହାସହ ସମ୍ପୂର୍ଣ୍ଣ ୧୦କିମି କଳିଙ୍ଗା ଘାଟି ବର୍ତ୍ତମାନ ବିପଦ ସଂକୁଳ ଅବସ୍ଥାରେ ରହିଛି। ଭୁସ୍ଖଳନ ବିଭିନ୍ନ ସ୍ଥାନରେ ଘଟିଥିବା ଯୋଗୁ ତୁରନ୍ତ ଜାତୀୟ ରାଜପଥ କତ୍ତୃପକ୍ଷ ଏହାର ମରାମତି କରିବାକୁ ମଧ୍ୟ ଦାବି ହୋଇଛି।

ସମୀର କୁମାର ପାଢ଼ୀ