ଘୁ.ଉଦୟଗିରି/ଭଞ୍ଜନଗର:  ଆସନ୍ତା ୩୦ତାରିଖ ପର୍ଯ୍ୟନ୍ତ ଖୋଲିପାରିବନି କଳିଙ୍ଗା ଘାଟି ରାସ୍ତା। ଏହି ରାସ୍ତା ଦେଇ ଯାତାୟାତ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ ବୋଲି କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ସୂଚନା ଦେଇଛନ୍ତି। ଗତକାଲି ଦ୍ୱିତୀୟ ଥର ପାଇଁ ଭୂସ୍ଖଳନ ହୋଇଥିବା ବେଳେ ଆଜି ଜିଲ୍ଲାପାଳ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ବିଭାଗୀୟ ଅଧିକାରୀମାନଙ୍କ ସହ ବିଶଦ ଆଲୋଚନା କରିଥିଲେ। ବର୍ତ୍ତମାନ ସୁଦ୍ଧା ବାଟଚଲା ରାସ୍ତା ନିର୍ମାଣ ହୋଇପାରିଛି। କିନ୍ତୁ ତାହା ମଧ୍ୟ ବିପଦପୂର୍ଣ୍ଣ ସାଜିବ। ଆଗକୁ ଆହୁରି ଲଘୁଚାପଜନିତ ବର୍ଷାର ସମ୍ଭାବନା ରହିଛି। ରାସ୍ତା ତିଆରି ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ। ଏହାସହ କିଛି ବଡ଼ ପଥର ପାହାଡ଼ରେ ଅଟକି ରହିଛି।  ସେଗୁଡ଼ିକୁ କିପରି ତଳକୁ ଖସା ଯାଇପାରିବ ଏଥିପାଇଁ ବାହାରୁ ଦୁଇଟି ଟିମ୍ ଭଞ୍ଜନଗର ଏବଂ ସୋନପୁରରୁ ଆସୁଛନ୍ତି। ସେମାନଙ୍କ ପରାମର୍ଶ ଅନୁଯାୟୀ ପାହାଡ଼ରୁ ପଥର ଖସାଯାଇ କାମ ତ୍ୱରାନ୍ୱିତ କରାଯିବ ବୋଲି ସେ କହିଛନ୍ତି।

Advertisment

ଅନ୍ୟପକ୍ଷରେ ଦ୍ବିତୀୟ ଥର ଭୂସ୍ଖଳନ ଓ ପଥର ଖସିବା ପରେ ପୁନରୁଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି। ବଡ଼ ପଥର ବିପଦସଙ୍କୁଳ ଅବସ୍ଥାରେ ରହିଥିବା ଆଜି ଉଭୟପଟୁ ବାହାର କରିବା କାମ ଆରମ୍ଭ ହୋଇଛି। ଅସ୍ଥାୟୀ ଭାବେ ଉଭୟ ପଟକୁ ସଂଯୋଗ କରିବା ପାଇଁ ପ୍ରଶାସନ ପକ୍ଷରୁ ପୟାସ କରାଯାଉଥିବା ବେଳେ ବର୍ଷା ଏହି କାର୍ଯ୍ୟରେ ବାଧକ ସାଜୁଛି। ଘାଟିର ଏକାଧିକ ସ୍ଥାନରେ ରାସ୍ତା ଧୋଇ ହୋଇଯାଇଛି। ଭୂସ୍ଖଳନ ସ୍ଥଳ ସମେତ ଘାଟି ତଳ ପାଖରେ ଅନେକ ସ୍ଥାନରେ ପଥର ଓ ମାଟି ଅତଡ଼ା ଖସି ବିପଦପୂର୍ଣ୍ଣ ଭା‌ବେ ରହିଛି। ଭୂସ୍ଖଳନ ସ୍ଥଳଠାରୁ ପ୍ରାୟ ୬୦ରୁ ୭୦ ମିଟର ତଳକୁ ଏକ ବୁଲାଣି ନିକଟରେ ଥିବା କଲଭର୍ଟ ତଳୁ ବାଲି ଓ ମାଟି ସବୁ ଧୋଇ ହୋଇଯାଇଛି। କେଉଁ ସମୟରେ ବି ଭୁଶୁଡ଼ିବା ଆଶଙ୍କା ରହିଛି। ବଡ଼ପଥରକୁ ଫଟାଇ ରାସ୍ତା ବାହାର କରିବାକୁ ଯୋଜନା ହେଉଥିବା ବେଳେ ପ୍ରତିକୂଳ ପାଗ ବାଧକ ସାଜୁଛି। ବିକଳ୍ପ ପନ୍ଥା ବାହାର କରିବା ନିମନ୍ତେ ଜାତୀୟ ରାଜପଥ ବିଶେଷଜ୍ଞଙ୍କ ପରାମର୍ଶ ନିଆଯିବ ବୋଲି ଜଣାପଡ଼ିଛି।        

ଅନ୍ୟପକ୍ଷରେ ଗତକାଲି ଭୂସ୍ଖଳନ ପରେ ଭଞ୍ଜନଗର ତହସିଲଦାର ଓ ଅତିରିକ୍ତ ତହସିଲଦାର ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଆଜି ପଥରଗୁଡ଼ିକୁ ହଟାଯାଇଛି। ତଥାପି ପାହାଡ଼ି ଝରଣା ପାଣିର ସ୍ରୋତ ସଂପୂର୍ଣ୍ଣ ବନ୍ଦ ନହେବା ଯାଏ ପୁନରୁଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେବ। ଏଭଳି ପରିସ୍ଥିତି‌ରେ ଶ୍ରମିକମାନଙ୍କ ସୁରକ୍ଷାକୁ ବି ପ୍ରାଥମିକତା ଦେବା ଜରୁରି ହୋଇପଡ଼ିଛି।