କଳିଙ୍ଗ ହସ୍ପିଟାଲ୍‌କୁ ଅଧିଗ୍ରହଣ କଲା ବିଆର୍‌ ଲାଇଫ୍‌

ପ୍ରାୟ ୩୫୦ କୋଟି ଟଙ୍କାରେ ହୋଇଛି ବ୍ୟବସାୟିକ ଚୁକ୍ତି

ଚନ୍ଦ୍ରଶେଖରପୁର : ଅଗ୍ରଣୀ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ସଂସ୍ଥା ବିଆର୍‌ ଲାଇଫ୍‌ ରାଜ୍ୟର ପ୍ରଥମ ଘରୋଇ ସୁପରସ୍ପେସାଲିଷ୍ଟ ହସ୍ପିଟାଲ କୁହାଯାଉଥିବା କଳିଙ୍ଗ ହସ୍ପିଟାଲ୍‌କୁ ଅଧିଗ୍ରହଣ କରିଛି। ଗତ ଜାନୁଆରୀ ୩୦ତାରିଖ ଦିନ ହୋଇଥିବା ଏହି ଅଧିଗ୍ରହଣ ପ୍ରକ୍ରିୟାର ସମାପ୍ତ ହୋଇଥିବା ନେଇ କଳିଙ୍ଗ ହସ୍ପିଟାଲର ସିଇଓ ଡ. ଆଲୋକ ଲୁଧ ସୂଚନା ଦେଇଛନ୍ତି। ତେବେ ଏହି ପ୍ରକ୍ରିୟାରେ ପ୍ରାୟ ୩୫୦କୋଟି ଟଙ୍କାର ବ୍ୟବସାୟିକ ଚୁକ୍ତି ହୋଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି।

ବାଙ୍ଗାଲୋରରେ ମୁଖ୍ୟ କାର୍ଯ୍ୟାଳୟ ଥିବା ବିଆର୍‌ ଲାଇଫ୍‌ ହେଉଛି ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ଏନ୍‌ଏମ୍‌ସି ଗ୍ରୁପ୍‌ର ଅଂଶବିଶେଷ। ଦୁବାଇରେ ପ୍ରତିଷ୍ଠିତ ସଫଳ ଭାରତୀୟ ବ୍ୟବସାୟୀ ପଦ୍ମଶ୍ରୀ ଡ. ବିଆର୍‌ ସେଟ୍ଟୀ ବିଆର୍‌ ଲାଇଫ୍‌ର ମୁଖ୍ୟ ଅଛନ୍ତି। ଭାରତରେ ବିଆର୍‌ ଲାଇଫ୍‌ ଏହାର ସ୍ୱାସ୍ଥ୍ୟ ସେବାକୁ ସଂପ୍ରସାରଣ କରିବା ଲକ୍ଷ୍ୟରେ କଳିଙ୍ଗ ହସ୍ପିଟାଲକୁ ଅଧିଗ୍ରହଣ କରିଛି। ଭାରତ ଏବଂ ନେପାଳରେ ଏହାର ବହୁମଖୀ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଉପଲବ୍ଧ କରାଇବା ସହିତ ସମଗ୍ର ଦେଶରେ ୨୦,୦୦୦ ରୋଗୀଙ୍କ ପାଇଁ ଶଯ୍ୟା ଯୋଗାଇଦେବା ନିମନ୍ତେ ହସ୍ପିଟାଲ୍‌ ପ୍ରତିଷ୍ଠା ଓ ବିଭିନ୍ନ ହସ୍ପିଟାଲ୍‌କୁ ଅଧିଗ୍ରହଣ କରିବାକୁ ଏହି ସଂସ୍ଥା ଯୋଜନା ରଖିଥିବା ସୂଚନା ମିଳିଛି। କଳିଙ୍ଗ ହସ୍ପିଟାଲ୍‌କୁ ଅଧିଗ୍ରହଣ ପରେ ଏଠାରେ ନୂତନ ଅତ୍ୟାଧୁନିକ ଓଟି, ରେଡିଏସନ୍‌ ଥେରାପି ଚିକିତ୍ସା ବ୍ୟବସ୍ଥା, ଅତ୍ୟାଧୁନିକ ସ୍ପୋର୍ଟ୍‌ସ ଇଂଜୁରୀ ଚିକିତ୍ସା ବ୍ୟବସ୍ଥା ସହିତ ନୂତନ ହସ୍ପିଟାଲ୍‌ କୋଠା ଆଦି ପ୍ରତିଷ୍ଠା କରି ଜନସାଧାରଣଙ୍କୁ ଅତ୍ୟାଧୁନିକ ଚିକିତ୍ସା ସୁବିଧା ସୁଲଭ ମୂଲ୍ୟରେ ଯୋଗାଇ ଦିଆଯିବ ବୋଲି ଡ.ଲୁଧ ପ୍ରକାଶ କରିଛନ୍ତି। କଳିଙ୍ଗ ହସ୍ପିଟାଲ୍‌ର ରହିଥିବା ଦୁଇ ଦଶନ୍ଧିର ଗୌରବକୁ ଫେରାଇ ଆଣିବା ନେଇ ବିଆର୍‌ ଲାଇଫ୍‌ ପ୍ରୟାସ କରିବ ବୋଲି ସେ ପ୍ରକାଶ କରଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ୧୯୯୦ ମସିହାରେ ରାଜଧାନୀର ଏକ ପ୍ରମୁଖ ସ୍ଥାନରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ୧୦ ଏକର ପରିମିତ ଅଂଚଳରେ କଳିଙ୍ଗ ହସ୍ପିଟାଲ ପ୍ରତିଷ୍ଠା ହୋଇଥିଲା। ୯୯ବର୍ଷ ନିମନ୍ତେ ରାଜ୍ୟ ସରକାର ନାମକୁ ମାତ୍ର ମୂଲ୍ୟରେ କଳିଙ୍ଗ ହସ୍ପିଟାଲକୁ ଏହି ଜମିକୁ ଲିଜ୍‌ ସୂତ୍ରରେ ଯୋଗାଇ ଦେଇଥିଲେ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିଥିଲେ। ଆମେରିକାରେ ବାସ କରୁଥିବା ୫୪ଜଣ ଏନ୍‌ଆର୍‌ଆଇଙ୍କ ଦ୍ୱାରା ପ୍ରତିଷ୍ଠିତ ହସ୍ପିଟାଲ୍‌ କର୍ପୋରେସନ ଅଫ୍‌ ଓଡ଼ିଶା (ଏଚ୍‌ସିଓ) ଦ୍ୱାରା ଏହା ପରିଚାଳିତ ହେଉଥିଲା। ଡ. ଅନୁପ ବେହେରା ଏହାର ମୁଖ୍ୟ ଭାବରେ କାର୍ଯ୍ୟ କରୁଥିଲେ। ତେବେ ୨୦ ବର୍ଷ ପରେ ଏହି ହସ୍ପିଟାଲକୁ ଏକ ବିଦେଶୀ କମ୍ପାନି ଅଧିଗ୍ରହଣ କରୁଥିବା ଖବରକୁ ନେଇ ବିଭିନ୍ନ ମହଲରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର