ଭୁବନେଶ୍ବର: କୋଲକାତାରେ କମାଲ କଲେ ଓଡ଼ିଆ ଯୁବପିଢି । କୋଲକାତାରେ ହେଉଥିବା ଟାଟୁ ଫେଷ୍ଟିଭାଲ-୨୦୨୫ରେ ଓଡିଶାର ନାଁକୁ ଉଜ୍ବଳ କରିବା ସହ ଟାଟୁ କଳା କ୍ଷେତ୍ରରେ ଏକ ଛାପ ଛାଡ଼ିଛନ୍ତି ଓଡ଼ିଶାର ଯୁବକମାନେ । ଭୁବନେଶ୍ୱର ପଟିଆ ସ୍ଥିତ ଏକ ପ୍ରସିଦ୍ଧ ଟାଟୁ ଷ୍ଟୁଡିଓ କଳିଙ୍ଗ ଇଙ୍କ୍- ସେପ୍ଟେମ୍ବର ୧୯ରୁ ୨୧ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା କୋଲକାତା ଟାଟୁ ଫେଷ୍ଟିଭାଲ- ୨୦୨୫ରେ ସ୍ବତନ୍ତ୍ରତା ସୃଷ୍ଟି କରିଛି। ଏହି ପ୍ରତିଷ୍ଠିତ ଅନ୍ତର୍ଜାତୀୟ ଇଭେଣ୍ଟରେ ସାରା ବିଶ୍ୱରୁ ୨୫୦ରୁ ଅଧିକ କଳାକାର ସାମିଲ ହୋଇଥିବା ବେଲେ ଟାଟୁ କ୍ଷେତ୍ରରେ ନାଁ କରିଥିବା ପ୍ରତିଭାଙ୍କୁ ଏକାଠି କରିଥିଲା।
ତେବେ ଏହି ପ୍ରତିଯୋଗିତାରେ ଟିମ୍ କଳିଙ୍ଗ ଇଙ୍କ୍ ଗର୍ବ ଏବଂ ଗୌରବର ସହିତ ଶୀର୍ଷ ସମ୍ମାନ ପାଇବାର ହକଦାର ହୋଇଛି । "ଆଉଟ୍ ଅଫ୍ ଦି ବକ୍ସ" ବର୍ଗରେ ପ୍ରଥମ ପୁରସ୍କାର ପାଇଥିବା ବେଳେ "ଶ୍ରେଷ୍ଠ ଟାଟୁ" ବର୍ଗରେ ତୃତୀୟ ପୁରସ୍କାର ହାସଲ କରିଛି ।
ତେବେ ଜାତୀୟ ସ୍ତରର ଏହି ମାଇଲଖୁଣ୍ଟ ବିଶେଷ ଭାବରେ ଗୁରୁତ୍ୱପୂର୍ଣ୍ଣ କାରଣ ଏହା ପ୍ରଥମ ଥର ପାଇଁ ଏକ ଅନ୍ତର୍ଜାତୀୟ ଟାଟୁ ଫେଷ୍ଟିଭାଲରେ ଫ୍ରେସ୍ ଟାଟୁ ବର୍ଗରେ ଓଡ଼ିଶାର ଏକ ଷ୍ଟୁଡିଓ ଜିତିଛି । ଏହି ସଫଳତା କେବଳ ଓଡ଼ିଶାର କଳାକାରଙ୍କ ସୃଜନଶୀଳତା ଏବଂ ଉତ୍କର୍ଷତାକୁ ଉଜ୍ଜ୍ୱଳ କଲା ତାହା ନୁହେଁ ବରଂ ଅନ୍ତର୍ଜାତୀୟ ଟାଟୁ ଜଗତରେ ଓଡିଶାର ସ୍ବତନ୍ତ୍ରତା ଓ ସ୍ୱୀକୃତିକୁ ମଧ୍ୟ ପ୍ରତିଫଳିତ କଲା।
ଗଣେଶ ବିଶ୍ୱକର୍ମାଙ୍କ ଉତ୍କୃଷ୍ଟ କଳାକୃତି ପାଇଁ ଏହି ଗୁରୁତ୍ବପୂର୍ଣ୍ଣ ପୁରସ୍କାର ଦ୍ବୟ ମିଳିଥିବା ବେଳେ ଦଳର ଅନ୍ୟତମ ସଦସ୍ୟ ଗଗନ ପରିଆର, କୁବେର ବାରିକ, ସୁନନ୍ଦା ଏବଂ ଅନିଶ ସହଯୋଗ କରିଥିଲେ। ସେମାନଙ୍କର କଠିନ ପରିଶ୍ରମଏବଂ ନିଷ୍ଠାର ସହ କାମ ଓ ଆଗ୍ରହ ପାଇଁ କଳିଙ୍ଗ ଇଙ୍କକୁ ଏହି ସ୍ବିକୃତୀ ମିଳିଛି । ତେବେ ଏହି ମାନ୍ୟତା ଓଡ଼ିଶା ପାଇଁ ଏକ ଗର୍ବର ମୁହୂର୍ତ୍ତ । କାରଣ କଳିଙ୍ଗ ଇଙ୍କ୍ ରାଜ୍ୟର କଳାକୃତିକୁ ବିଶ୍ୱ ଟାଟୁ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ଦେବା ପାଇଁ ଯାତ୍ରା ଜାରି ରଖିଛି।