କଳିଙ୍ଗ ଲୁହାକାରଖାନା: ଗୋଟିଏ କାମ ପାଇଁ ୪ ମାସରେ ୪ଥର ଟେଣ୍ଡର

ତଦନ୍ତ ପାଇଁ ଆଇଡିସି ଅଧ୍ୟକ୍ଷଙ୍କୁ ଚିଠି ଲେଖ‌ଲେ ଆବେଦନକାରୀ

ବଡ଼ବିଲ : କେନ୍ଦୁଝି ଜିଲ୍ଲା ବଡ଼ବିଲ ପୌରାଞ୍ଚଳ ୧୪ ନମ୍ବର ୱାର୍ଡରେ ବନ୍ଦ ଥିବା ଇଡ୍‌କଲ କଳିଙ୍ଗ ଲୁହା କାରଖାନାରେ ବାରମ୍ବାର ଟେଣ୍ଡର ରଦ୍ଦ କରାଯାଇଛି। ଗୋଟିଏ ନିର୍ଦ୍ଦିଷ୍ଟ କମ୍ପାନିକୁ ଅନୁକମ୍ପା ଦେଖାଇବାକୁ ଯାଇ ଚାରି ମାସ ଭିତରେ ଚାରି ରକମର ଟେଣ୍ଡର ଆହ୍ବାନ କରାଯାଇଛି। ଏପରିକି ଟେଣ୍ଡର ପେପରରେ ନିୟମ ବଦଳାଉଥିବା ଭଳି ଅଭିଯୋଗ ହେଉଛି। ଏହାର ନିରପେକ୍ଷ ତଦନ୍ତ ପାଇଁ ଟେଣ୍ଡରରେ ଭାଗ ନେଇଥିବା ବ୍ୟକ୍ତି ବିଶେଷ ଆଇଡିସି ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି।

ମିଳିଥିବା ତଥ୍ୟ ଅନୁସାରେ, ରାଜ୍ୟ ସରକାରଙ୍କ ଇଡ୍‌କଲ କଳିଙ୍ଗ ଲୁହା କାରଖାନା ଓ କଲୋନି ପରିସରର ସୁରକ୍ଷା ନିମନ୍ତେ ସୁରକ୍ଷା କର୍ମୀ ନିୟୋଜିତ ପାଇଁ ୪ ମାସ ମଧ୍ୟରେ ୪ ଥର ଟେଣ୍ଡର ଡକାଯାଇଥିଲା। ଏଯାଏ କିଛି ଚୂଡ଼ାନ୍ତ ହୋଇପାରିନାହିଁ। ଗତ ସେପ୍ଟେମ୍ବର ୨୫ ତାରିଖରେ ଆଇକେଆଇଡବ୍ଲୁଏଲ୍/ଏସଇସି/୨୦୦୪ ନମ୍ବରରେ କମ୍ପାନି ଓ ଖଣି ପରିସରରେ ଘରୋଇ ସୁରକ୍ଷା କର୍ମୀ ନିୟୋଜନ ପାଇଁ ଅନ୍‌ଲାଇନ ଟେଣ୍ଡର ପ୍ରକାଶ ପାଇଥିଲା। କେବଳ ଜଣେ ଆବେଦନକାରୀ ଟେଣ୍ଡରରେ ଅଂଶଗ୍ରହଣ କରିଥିବାରୁ ଏହାକୁ ବାତିଲ କରିଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଆଇକେଆଇଡବ୍ଲୁଏଲ୍/ଏସଇସି/୨୨୦୯ ନମ୍ବରରେ ଦ୍ବିତୀୟ ବାର ଟେଣ୍ଡର ଆହ୍ବାନ କରାଯାଇଥିଲା। ଯେଉଁଥିରେ ୮ ଜଣ ଅଂଶଗ୍ରହଣ କରିଥିଲେ। ମାତ୍ର ଦ୍ବିତୀୟ ଟେଣ୍ଡରକୁ ମଧ୍ୟ ବାତିଲ କରିଦିଆଯାଇଥିଲା। ନଭେମ୍ବର ୧୨ ତାରିଖରେ ଆଇକେଆଇଡବ୍ଲୁଏଲ୍/ଏସଇସି/୨୭୪୮ରେ ପୁଣିଥରେ ଉକ୍ତ କାମ ପାଇଁ ତୃତୀୟ ଥରପାଇଁ ଟେଣ୍ଡର ଆହ୍ବାନ କରାଯାଇଥିଲା। ଏଥର ଟେଣ୍ଡରରେ ଅଂଶଗ୍ରହଣ କରିଥିବା ସମସ୍ତ ଅଂଶୀଦାରଙ୍କ ଟେକନିକାଲ ବିଡ୍ ଖୋଲାଯାଇଥିଲା। ଟେକନିକାଲବିଡ୍‌ରେ କ୍ବାଲିଫାଏ କରିଥିବା ସମସ୍ତ ଅଂଶୀଦାରଙ୍କ ପ୍ରାଇସବିଡ୍ ଖୋଲାଯାଇଥିଲା। ଯାହାର କମ୍ ମୂଲ୍ୟ ଥିଲା ତାଙ୍କୁ କାର୍ଯ୍ୟାଦେଶ ନଦେଇ ଟେଣ୍ଡରକୁ ନାକଚ କରିଦିଆଯାଇଥିଲା। ଏବେ ଏହି ସମାନ କାମ ନିମନ୍ତେ ଚତୁର୍ଥ ଥରପାଇଁ ଟେଣ୍ଡର ଆହ୍ବାନ କରାଯାଇଛି। କେତେବେଳେ ଅମାନତ ଜମାରାଶିକୁ ବୃଦ୍ଧି କରାଯାଉଛି ତ କେ‌ତେବେଳେ କମାଇ ଦିଆଯାଉଛି। ନିର୍ଦ୍ଦିଷ୍ଟ ବ୍ୟକ୍ତି କୌଣସି କାରଣରୁ ଟେଣ୍ଡର ନପାଇଲେ ଏହାକୁ ବାତିଲ କରାଯାଉଥିବା ଅଭିଯୋଗ ହେଉଛି।

ତିନି ତିନି ଥର ଟେଣ୍ଡରରେ ଅଂଶ ଗ୍ରହଣ କରି ନିରାଶ ହୋଇଥିବା ବ୍ୟକ୍ତିମାନେ ଏହା ପଛରେ କଣ ରହସ୍ୟ ରହିଛି ‌ତାହର ନିରପେକ୍ଷ ତଦନ୍ତ ପାଇଁ ଆଇଡିସିର ଅଧ୍ୟକ୍ଷଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର