ବଡ଼ବିଲ : ବିକ୍ରି ହେବ କେନ୍ଦୁଝର ଜିଲ୍ଲା ବଡ଼ବିଲରେ ଥିବା କଳିଙ୍ଗ ଲୁହା କାରଖାନା (କଳିଙ୍ଗ ଆଇରନ୍‌ ୱାର୍କସ୍‌)। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦ୍ବାରା ପ୍ରତିଷ୍ଠା ହୋଇଥିବା ଏସିଆ ମହାଦେଶର ଏହି ସର୍ବବୃହତ ଲୁହା କାରଖାନା ଇତିହାସ ହୋଇଯିବ। ଲୁହା କାରଖାନାରେ ଲାଗିଥିବା ଯନ୍ତ୍ରାଂଶକୁ ସ୍କ୍ରାପ୍‌ ଦରରେ ବିକିବାକୁ ଆଇଡିସି ବୋର୍ଡ ନିଷ୍ପତ୍ତି ନେଇଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଏପରିକି ଯେଉଁ ଜମି ଉପରେ ଏହି କାରଖାନା ମୁଣ୍ଡ ଟେକିଥିଲା ତାକୁ ମଧ୍ୟ ଅନ୍ୟ ହାତକୁ ଟେକିଦେବା ପାଇଁ ଚକ୍ରାନ୍ତ ଚାଲିଛି।

Advertisment

ବଡ଼ବିଲ କଳିଙ୍ଗନଗରରେ ୧୯୫୬ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଉଦ୍ୟମରେ ପ୍ରତିଷ୍ଠା ‌ହୋଇଥିଲା କଳିଙ୍ଗ ଲୁହା କାରଖାନା। ୫୯୨ ଏକର ଜମି ଉପରେ ନିର୍ମିତ ଏହି କାରଖାନା ଏସିଆ ମହାଦେଶର ସର୍ବବୃହତ ଲୁହା କାରଖାନା ମାନ୍ୟତା ପାଇଥିଲା। ପରବର୍ତ୍ତୀ ସମୟରେ ଏହା ଓଡ଼ିଶା ସରକାରଙ୍କ ଅଧୀନକୁ ଚାଲିଯାଇଥିଲା। ହେଲେ ପରିଚାଳନାଗତ ତ୍ରୁଟି ଓ ଆଇଡିସି ବୋର୍ଡର ଚକ୍ରାନ୍ତ ଯୋଗୁଁ ୨୦୧୫ ମସିହା ମାର୍ଚ୍ଚ ମାସରୁ କାରଖାନା ସମ୍ପୂର୍ଣ୍ଣ ବନ୍ଦ ପଡ଼ିଛି।

କଳିଙ୍ଗ ଲୁହା କାରଖାନାର ସୁପରିଚାଳନା ପାଇଁ ସରକାର ଓଡ଼ିଶା ଖଣି ନିଗମ ଅଧୀନରେ ଥିବା ରୋଇଡା ସି ଖଣିକୁ ଦେଇଥିଲେ। କାରଖାନାର କ୍ୟାପଟିଭ୍ ଖଣି ଥିବା ରୋଇଡା ସି’କୁ ଆଇଡିସି କମ୍ପାନି ପରେ ନିଜ ନାମରେ କରାଇ ନେଇଥିଲା। ଗତ ୪ ବର୍ଷ ହେବ ବନ୍ଦ ପଡ଼ିଥିବା କଳିଙ୍ଗ ଲୁହା କାରଖାନାର ଆୟ ସମ୍ପୂର୍ଣ୍ଣ ବନ୍ଦ ଥିବା ବେଳେ ଆଇଡିସି ଦୟାରେ ଆଜିଯାଏଁ ଦରମା ପାଉଛନ୍ତି ଏହି କମ୍ପାନିର ଅଧିକାରୀ ଓ କର୍ମଚାରୀ। ଖଣି ବନ୍ଦ ହେବା ପରେ କଳିଙ୍ଗ ଲୁହା କାରଖାନାର ୨୪୦ରୁ ଊର୍ଦ୍ଧ୍ବ କର୍ମଚାରୀ ଆଉ ଦରମା ପାଇବେ ନାହିଁ। ତେଣୁ କାରଖାନାର ସମସ୍ତ ଯନ୍ତାଂଶକୁ କାଟି ତାକୁ ସ୍କ୍ରାପ ଦରରେ ବିକ୍ରି କରାଯାଇ କର୍ମଚାରୀଙ୍କ ଦରମା ବକେୟା ଇପିଏଫ ଟଙ୍କା ଜମା କରିବାକୁ ମସୁଧା ଚାଲିଛି। ସେହିପରି କମ୍ପାନିର ସମୁଦାୟ ୫୯୨ ଏକର ଜମିରୁ ୭୦ ଏକର ଜମିକୁ ମଧ୍ୟ ବିକ୍ରି କରିବାକୁ ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ, ସମସ୍ତ ଭିତ୍ତିଭୂମି ଥାଇ ମଧ୍ୟ କଳିଙ୍ଗ ଲୁହା କାରଖାନାକୁ ବନ୍ଦ କରିବା ଏବଂ ପରିବର୍ତ୍ତୀ ସମୟରେ ଏହାକୁ ସ୍କ୍ରାପ ଦରରେ ବିକ୍ରି କରିବାକୁ ଯୋଜନା କରିବା ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ସମ୍ପର୍କରେ ଏଆଇଟିୟୁସି ରାଜ୍ୟ ସମ୍ପାଦକ ମହେଶ୍ବର ରାଉତ କହିଛନ୍ତି, ଯଦି ଏଭଳି କିଛି ନିଷ୍ପତ୍ତି ନିଆଯାଇଥାଏ ତେବେ ତାହାକୁ ବିରୋଧ କରାଯିବ। ସରକାର ଏହାର ପୁନରୁଦ୍ଧାର କରନ୍ତୁ, ନଚେତ ଏହାକୁ ଘରୋଇକରଣ କରନ୍ତୁ ବୋଲି ଶ୍ରୀ ରାଉତ ଦାବି କରିଛନ୍ତି। ଦରକାର ପଡ଼ିଲେ ଆନ୍ଦୋଳନ ଜୋରଦାର ହେବ ବୋଲି ସିଆଇଟିୟୁ ଜିଲ୍ଲା ସମ୍ପାଦକ ଇନ୍ଦ୍ରମଣି ବେହେରା କହିଛନ୍ତି।