କଳିଙ୍ଗନଗର କାରଖାନାରେ ତାଲା ଝୁଲୁଛି : ଜୀବିକ‌ା ହରାଇବେ ୫ ହଜାର କର୍ମଚାରୀ, ଶ୍ରମିକ

ଯାଜପୁର/ଦାନଗଦୀ : ଇସ୍ପାତ ରାଜଧାନୀ କଳିଙ୍ଗନଗର ସ୍ଥିତି ଏବେ ସାଂଘାତିକ। ଗୋଟିଏ ପରେ ଗୋଟିଏ କାରଖାନାରେ ତାଲା ପଡ଼ିଲାଣି। ଏକମାତ୍ର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତ୍‌ରୁ ଏମଏମଟିସି ପୁଞ୍ଜି ପ୍ରତ୍ୟାହାର ନେଇ ଘୋଷଣା କରିବାରୁ ସ୍ଥିତି ଆହୁରି ଦୟନୀୟ ହୋଇପଡ଼ିଛି। କେଉଁଠି କଞ୍ଚାମାଲର ଅଭାବ ଦେଖାଯାଉଛି ତ ଆଉ କେଉଁଠି ଅନ୍ୟ କାରଣ ଦେଖାଇ ଶ୍ରମିକ କର୍ମଚାରୀଙ୍କୁ ଛଟେଇ କରୁଛନ୍ତି। ଏମିତି ପରିସ୍ଥିତି ସୃଷ୍ଟି ହୋଇଛି, ଉଭୟ କର୍ମଚାରୀ ଓ ଶ୍ରମିକଙ୍କୁ ମିଶାଇ ୫ ହଜାର ଜଣ ଜୀବିକା ହରାଇବା ନେଇ ଆଶଙ୍କା ପ୍ରକାଶ ପାଇଛି।

ମିଳିଥିବା ସୂଚନା ଅନୁସାରେ, ମୈଥାନ କାରଖାନା ଫେବ୍ରୁଆରି ୧୮ରୁ ବନ୍ଦ ରହିଛି। କାରଖାନା ଡିଆରଆଇ, ପାୱାର ପ୍ଲାଣ୍ଟ, ରୋଲିଂ ମିଲିଂ ସମ୍ପୂର୍ଣ୍ଣ ରୂପେ ବନ୍ଦ। ଡିଆରଆଇରେ କାର୍ଯ୍ୟରତ ୪୨୦ , ପାୱାର ପ୍ଲାଣ୍ଟର ୩୦୦, ଏସ୍‌ଏମ୍‌ଏସ୍‌ରେ କାର୍ଯ୍ୟରତ ୫୦୦ ଓ ରୋଲିଂ ମିଲିଂରେ କାର୍ଯ୍ୟରତ ୧୦୦ ଶ୍ରମିକ ଦୀର୍ଘ ୮ ମାସ ହେବ ଦରମା ପାଇ ନାହାନ୍ତି। ଭୋକ ଉପାସରେ ଜୀବନ ବିତାଉଛନ୍ତି। କାରଖାନାରେ କାର୍ଯ୍ୟରତ ୨୭୬ଜଣ କର୍ମଚାରୀ ମଧ୍ୟ ଦରମା ନପାଇ ହନ୍ତସନ୍ତ ହେଉଛନ୍ତି।

ମେସ୍କୋ ଷ୍ଟିଲ ୨୦୧୫ ଅକ୍ଟୋବର ମାସରୁ ୨ବର୍ଷ ବନ୍ଦ ଥିଲା। ୨୦୧୭ ସେପ୍ଟେମ୍ବର ୨୨ ତାରିଖରେ ପୁନର୍ବାର କାର୍ଯ୍ୟକ୍ଷମ ହେଲା ସତ କିନ୍ତୁ ୨୦୦ ଠିକା ଶ୍ରମିକ ଜୀବିକା ହରାଇଲେ। କାରଖାନା କର୍ତ୍ତୃପକ୍ଷ ସଂପୂର୍ଣ୍ଣ ବକେୟା ପୈଠ କରି ବିଦା କରିଦେଲେ। ମୈଥାନ ଇସ୍ପାତକୁ ମେସ୍କୋ ଷ୍ଟିଲ କିଣିବା ପରେ ପୁଣି ଦୀର୍ଘ ୮ମାସହେବ କାରଖାନା ବନ୍ଦ। ୩୩୦ କର୍ମଚାରୀ ଓ ୨୦୦ ଠିକା ଶ୍ରମିକ ଦରମା ପାଉନାହାନ୍ତି।

ଅନ୍ୟପଟେ ଏକମାତ୍ର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତ ନିଗମରେ ପୁଞ୍ଜି ବିନିଯୋଗ କରିଥିବା ଏମ୍‌ଏମଟିସି ପୁଞ୍ଜି ପ୍ରତ୍ୟାହାର ପାଇଁ କହିଛି। କାରଖାନାର ଏସ୍‌ଏମ୍‌ଏସ୍‌ ମାସେ ହେବ ବନ୍ଦ। ବ୍ଲାଷ୍ଟ ଫର୍ଣ୍ଣେସ ବନ୍ଦ। ପାୱାର ପ୍ଲାଣ୍ଟ ୫୦ ପ୍ରତିଶତ ଚାଲୁଥିବାବେଳେ କାର୍ଯ୍ୟରତ ୩୦୦ରୁ ଅଧିକ ଶ୍ରମିକ ଓ ୧୬୦୦ରୁ ଅଧିକ କର୍ମଚାରୀ ଏବେ ଚିନ୍ତାରେ। କେଜେ ଇସ୍ପାତ ସ୍ଥିତି ବି ସମାନ। ଦୀର୍ଘ ୨ବର୍ଷ ବନ୍ଦ ପରେ ଚାଲୁ ହୋଇଥିଲା। ପୁଣି ଦୁଇମାସ ବନ୍ଦ ହେଲା। ଏବେ ମାତ୍ର ଆଠଦିନ ହେବ ର’ଠ’ରେ ଚାଲିଛି।

ୟାଜଦାନୀ ଷ୍ଟିଲ ଆଣ୍ଡ ପାୱାର କାରଖାନାର ରୋଲିଂ ମିଲିଂ, ପାୱାର ପ୍ଲାଣ୍ଟ ୨ମାସ ହେବ ବନ୍ଦ। କାର୍ଯ୍ୟରତ ୧୯୩ କର୍ମଚାରୀ ଓ ୩୦୦ ଶ୍ରମିକ ଜୀବନଜୀବିକା ସଙ୍କଟରେ। ଭିସା କାରଖାନା ୨୦୦୩ରେ ଏମ୍ଓୟୁ ସ୍ବାକ୍ଷର କରିଥିଲା। ୪୭୩ ଏକର ଜମିରେ ୩୫୫ କୋଟି ଟଙ୍କା ପୁଞ୍ଜି ବିନିଯୋଗରେ ଶିଳ୍ପ ପ୍ରତିଷ୍ଠା କରିଥିଲା। ପରେ ଏହାକୁ ବଢାଇ ୨୫ ଶହ କୋଟି ଟଙ୍କା ପୁଞ୍ଜି ବିନିଯୋଗ ପାଇଁ ଅଣ୍ଟା ଭିଡ଼ିଥିଲେ ସୁଦ୍ଧା ତାହା ଅଧାରେ ଅଟକିଛି। କାରଖାନା ପରିସରରେ ଥିବା ବ୍ଲାଷ୍ଟ ଫର୍ଣ୍ଣେସ, ସ୍ପଞ୍ଜ ଆଇରନ, ଫେରୋକ୍ରୋମ, ଷ୍ଟିଲ ମେଲଟିଙ୍ଗ ସପ୍‌, ରୋଲିଂ ମିଲ ଓ ପାୱାର ପ୍ଲାଣ୍ଟ ରହିଥିଲେ ସୁଦ୍ଧା ସମସ୍ତ ୟୁନିଟ କାର୍ଯ୍ୟକ୍ଷମ ହୋଇପାରୁନାହିଁ। କାରଖାନାର ଏସବିଏଫ, ରୋଲିଂ ମିଲ, ଏସଏମଏସ ବନ୍ଦ। ଡିଆରଆଇର ୨ଟିରୁ ଗୋଟିଏ ଚାଲୁଥିବାବେଳେ ଫେରୋକ୍ରୋମ କମ୍ଲେକ୍ସ ଗେଟିଏ ବନ୍ଦ ରହିଛି, ଅନ୍ୟଟି କାର୍ଯ୍ୟକ୍ଷମ ରହିଛି। ପାୱାର ପ୍ଲାଣ୍ଟ ଗତ ୨୨ ତାରିଖଠାରୁ ବନ୍ଦ ମଧ୍ୟ ରହିଛି। କାର୍ଯ୍ୟରତ ୧୮୦୦ରୁ ଅଧିକ ଶ୍ରମିକ ଓ ୯୦୦ରୁ ଅଧିକ କର୍ମଚାରୀ ଭବିଷ୍ୟତ ଅନିଶ୍ଚିତତା ଦେଇ ଗତିକରୁଛି। ୪ମାସ ହେବ ସମସ୍ତ କର୍ମଚାରୀ ଓ ଶ୍ରମିକ ଦରମା ମଧ୍ୟ ପାଇନାହାନ୍ତି। ଅଧିକାଂଶ ଶିଳ୍ପ-କାରଖାନା ଚିମିନିରୁ ଧୂଆଁ ବାହାରୁନାହିଁ। କଳିଙ୍ଗନଗରରେ ଗଢି ଉଠିଥିବା ଶିଳ୍ପଗୁଡ଼ିକ ବନ୍ଦ ଅବସ୍ଥାକୁ ଚାଲି ଆସିଥିବାବେଳେ ପ୍ରାୟ ୫୦୦୦ ରୁ ଅଧିକ ଶ୍ରମିକ ଓ କର୍ମଚାରୀଙ୍କ ପରିବାର ଏବେ ଚିନ୍ତାରେ ପଡ଼ିଛନ୍ତି। ସମଗ୍ର ଶିଳ୍ପାଞ୍ଚଳର ସ୍ଥିତିକୁ ନେଇ ନାନା ସନ୍ଦେହ ସୃଷ୍ଟି ହେଉଥିବା ବେଳେ ଅଞ୍ଚଳବାସୀ ଆଶଙ୍କାରେ ରହିଛନ୍ତି।

ସମ୍ବନ୍ଧିତ ଖବର