ବିଧାନସଭା ଗୃହ କମିଟି ଗସ୍ତକୁ ବର୍ଷେ, ଶଢ଼ୁଛି ବିସ୍ଥାପିତଙ୍କ ଜୀବନ

ଯାଜପୁର/ଦାନଗଦୀ : ବିସ୍ଥାପିତଙ୍କ ସ୍ଥିତି ଭଲ ନାହିଁ। ଯାହା ଥିଲା ଆଜି ସେମିତି ରହିଛି। ବିସ୍ଥାପିତ କଲୋନିକୁ ରାସ୍ତା ନାହିଁ। ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି। ବିସ୍ଥାପନ ଓ ଥଇଥାନ ଯୋଜନା ଠିକ୍‌ରେ କାର୍ଯ୍ୟକାରୀ ହୋଇନି। ଜୀବନଜୀବିକା ସଂକଟରେ। ଏକଥାକୁ ଖୋଦ ବିଧାନସଭା ଗୃହ କମିଟି ହୃଦୟଙ୍ଗମ କରିଥିଲେ ବି ସୁଧାର ଆସି ପାରିନାହିଁ। ବିଧାନସଭା ଗୃହ କମିଟି ଗସ୍ତକୁ ବର୍ଷେ ପୂରିଯାଇଛି। ମାତ୍ର ବିସ୍ଥାପିତ ଯେଉଁ ତିମିରେକୁ ସେଇ ତିମିରେ।

୨୦୧୮ ଜୁଲାଇ ୩ ତାରିଖ। ବିସ୍ଥାପିତଙ୍କ ସମସ୍ୟା ବୁଝିବା ପାଇଁ ଉପବାଚସ୍ପତି ସାନନ୍ଦ ମାରାଣ୍ତିଙ୍କ ନେତୃତ୍ବରେ ୮ଜଣିଆ ଗୃହ କମିଟି ଦୁଇଦିନିଆ କଳିଂଗନଗର ଗସ୍ତରେ ଆସିଥିଲେ। ବିସ୍ଥାପିତ କଲୋନି ବୁଲିଲେ। ଲୋକଙ୍କ ସମସ୍ୟା ସଂପର୍କରେ ବୁଝିଲେ। ଘୋର ଉଦ୍‌ବେଗ ପ୍ରକାଶ କଲେ।

ପ୍ରଥମେ ତ୍ରିଜଙ୍ଗା ବିସ୍ଥାପିତ କଲୋନିକୁ ଯାଇଥିଲେ। ସେଠା କଲୋନି ସ୍ଥିତିକୁ ଦେଖି ବିରକ୍ତି ପ୍ରକାଶ କରିଥିଲେ। ପରେ ସାରଙ୍ଗପୁର, ହରାସାହି, କାଚେରିଗାଁ, ଟାଙ୍ଗରାସାହିରେ ରହି ଆସୁଥିବା ଆଦିବାସୀଙ୍କ ଭୟଙ୍କର ସ୍ଥିତିକୁ ଅନୁଧ୍ୟାନ କରିଥିଲେ। ଟାଟା କମ୍ପାନି ଦ୍ବାରା ବିସ୍ଥାପିତ ସଂଶାଇଲୋ କଲୋନିକୁ ଯାଇ ସେମାନଙ୍କ ସମସ୍ୟା ସଂପର୍କରେ ଅବଗତ ହୋଇଥିଲେ। କଲୋନିର ଅବସ୍ଥା, ରାସ୍ତାଘାଟ ଡ୍ରେନେଜ, ପାରିପାର୍ଶ୍ବିକ ଉନ୍ନୟନକୁ ଦେଖି ଅସନ୍ତୋଷ ବ୍ୟକ୍ତ କରିଥିଲେ। କଲୋନିରେ ଥିବା ଶ୍ମଶାନର ଅବସ୍ଥା ଶୋଚନୀୟ ଥିଲା। ଏହାର ପୁନରୁଦ୍ଧାର ସହିତ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର, ଏହି ପ୍ରତିଶ୍ରୁତି ଏଯାବତ୍‌ ପୂରଣ ହୋଇନାହିଁ। ଅନ୍ୟପକ୍ଷରେ, ନୂତନ ବିଧାନସଭା ଗଠନ ପରେ ପୁନର୍ବାର କେବେ ଗୃହ କମିଟି କଳିଙ୍ଗନଗର ଗସ୍ତରେ ଆସିବେ ତାକୁ ଚାହିଁ ବସିଛନ୍ତି ବିସ୍ଥାପିତ।

ସମ୍ବନ୍ଧିତ ଖବର