କଳିଙ୍ଗନଗରର କରୁଣ ଅବସ୍ଥା : ବିସ୍ଥାପିତ ପରିବାରକୁ ହାଣ୍ଡିଆ ଭରସା

ଯାଜପୁର/ଦାନଗଦୀ : ଏସିଆ ମହାଦେଶର ଇସ୍ପାତ ରାଜଧାନୀ କଳିଙ୍ଗନଗରର ସ୍ଥିତି ସଙ୍ଗିନ। ଏଠି ବନ୍ଧା ପଡ଼ିଛି ଥଇଥାନ ଯୋଜନା। ଅଣଓଡ଼ିଆଙ୍କ ରାଜ ସବୁ ସୀମା ଟପିଗଲାଣି। ଭୂମିପୁତ୍ରମାନେ ପୂରାପୂରି କୋଣଠେସା। ଏପରିକି ବିସ୍ଥାପିତ ପରିବାର ଭୋକ ଉପବାସରେ ଦିନ କାଟୁଛନ୍ତି। କିଏ ହାଣ୍ଡିଆ ବିକି ପରିବାର ପ୍ରତିପୋଷଣ କରୁଛି ତ କିଏ ପରଘରେ ମୂଲମଜୁରି ଲାଗି ପରିବାର ପ୍ରତିପୋଷଣ କରୁଛି।

ବିସ୍ଥାପିତମାନେ ନିଜର ବାପାଅଜାଙ୍କର ଭିଟାମାଟି ଯେଉଁ କମ୍ପାନି ହାତରେ ଟେକି ଦେଇ ଜନ୍ମ ମାଟି ଛାଡ଼ି ଭଲରେ ରହିବେ ବୋଲି ବିସ୍ଥାପିତ କଲୋନିରେ ଅଶ୍ରାୟ ନେଲେ। ସେମାନେ ଚାକିରି ହରାଇ ପର ଘରେ କାମ କରିବା ଠାରୁ ଆରମ୍ଭ କରି ହାଣ୍ଡିଆ ବିକି ପିଲାମାନଙ୍କ ମୁହଁରେ ଦାନା ଦେଉଥିବାର କରୁଣ ସ୍ଥିତି ସମ୍ବାଦ ଅନୁସନ୍ଧାନ ଟିମ ନଜରକୁ ଆସିଛି। ଓଡ଼ିଶା ସରକାରଙ୍କ ଜାତୀୟ ସ୍ତରରେ ଉଚ୍ଚ ପ୍ରଶଂସିତ ଆର ଆଣ୍ଡ ଆର ପଲିସି ଏଠାରେ ବନ୍ଧା ପଡିଛି।

କଳିଙ୍ଗନଗରସ୍ଥିତ ଜିନ୍ଦଲ କାରଖାନାର କର୍ମଚାରୀ ବିସ୍ଥାପିତ ବୀରସିଂ ବିରୁଆ ମୃତ୍ୟୁ ପରେ ତାଙ୍କ ପତ୍ନୀ ରଇବାରୀ ଥଇଥାନ ହୋଇଥିବା ତ୍ରିଜଙ୍ଗା ବିସ୍ଥାପିତ କଲୋନିରେ ହାଣ୍ଡିଆ ବିକି ଚାରି ପ୍ରାଣୀ କୁଟୁମ୍ବ ପୋଷୁଛନ୍ତି। ରଇବାରୀ ସକାଳ ହେଲେ ‌ ବିସ୍ଥାପିତ କଲୋନିର ପାର୍କରେ ବସି ହାଣ୍ଡିଆ ବିକି ଯାହା ରୋଜଗାର କରନ୍ତି ସେଥିରେ ସେ ଦୁଇ ପୁଅ ଓ ଦୁଇ ଝିଅଙ୍କୁ ପାଠ ପଢାଇବା ସହ ପେଟ ପୋଷୁଛନ୍ତି ।

ବୀରସିଂ ପରିବାର ପରି ଜିନ୍ଦଲ କାରଖାନା ପାଇଁ ୨୦୧୪ରେ ବିସ୍ଥାପିତ ହୋଇଥିବା ହୁଡ଼ିସାହିର ଶଂକର୍ଷଣ ମହାକୁଡ଼ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ ପରେ ତାଙ୍କ ପରିବାର ଅବସ୍ଥା ଅତି ଦୟନୀୟ। ମୃତ୍ୟୁ ପରେ ତାଙ୍କ ସ୍ତ୍ରୀଙ୍କୁ ଚାକିରି ଟିଏ ମଧ୍ୟ ମିଳିଲା ନାହିଁ । ଶଂକର୍ଷଣ କାରଖାନାରେ ଫାୟାର ମ୍ୟାନ ଭାବେ କରୁଥିଲେ । ଶଙ୍କର୍ଷଣଙ୍କ ବିଧବା ପତ୍ନୀ ମମତା ନିଜର ଦୁଇଝିଅ ଓ ଗୋଟିଏ ପୁଅକୁ ନେଇ ପେଟ ପୋଷିବା ପାଇଁ ବିକଳ୍ପ ନଥିବା ବେଳେ କମ୍ପାନି ମାତ୍ର ୫ ହଜାର ଟଙ୍କା ପ୍ରୋତ୍ସାହନ ଦେଉଛି।

ଯୁଗ ଯୁଗ ଧରି ନିଜର ଭିଟାମାଟି ଓ ଜୀବିକା ଜମିବାଡ଼ି କମ୍ପାନି ହାତରେ ଟେକି ଦେଇଥିବା ବୀରସିଂ, ଶଙ୍କର୍ଷଣ ପରିବାରର କରୁଣ ସ୍ଥିତିରେ କଳିଙ୍ଗନଗର ବିସ୍ଥାପିତଙ୍କର ଦୁଃଖ ଶେଷ ହୋଇନାହିଁ। ଏବେ ଆଉ ଜଣେ ବିସ୍ଥାପିତ ନିଉ ସିଆରିଆର ଏସ କେ ଆଲିଜାନକୁ ଚାକିରିରୁ ହଟାଇବାକୁ କମ୍ପାନି ଚଲାଇଛି ମସୁଧା।

୨୦୦୬ ମସିହାରୁ ଜମିବାଡ଼ି ଜିନ୍ଦଲ କମ୍ପାନିକୁ ଦେବା ପରେ ବିସ୍ଥାପିତ ହୋଇ ତ୍ରିଜଂଗା ବିସ୍ଥାପିତ କଲୋନିରେ ରହୁଛନ୍ତି । ୨୦୦୭ରୁ ତାଂକୁ ଜିନ୍ଦଲ କାରଖାନାରେ ଆମ୍ବୁଲାନସ ଡ଼୍ରାଇଭର ଭାବେ ନିଯୁକ୍ତି ମିଳିଥିଲା । ମାତ୍ର ଗତ ଆଠ ଦଶ ମାସ ହେବ କାରଖାନା କର୍ତ୍ତୃପକ୍ଷ ଆଲିଜାନଙ୍କୁ ଛଟେଇ କରିବା ଫଳରେ ତାଙ୍କ ପରିବାର ଏବେ ଦୁର୍ଦ୍ଦିନରେ ଗତି କରୁଛି । ଆଲିଜାନଙ୍କ ପତ୍ନୀ ୨୦୧୫ ମସିହାରେ ମୃତ୍ୟୁବରଣ କରିଥିବାବେଳେ ଏବେ ଦୁଇ ଝିଅ ଓ ଜଣେ ବେକାରୀ ଡ଼ିପ୍ଲୋମାଧାରୀ ପୁଅକୁ ନେଇ ପରିବାର‌ ଭୋକ ଉପବାସରେ ଦିନ କାଟୁଛନ୍ତି। । ଆମ୍ବୁଲାନସ୍ ଡ୍ରାଇଭର ଆଲିଜାନ ମଦ ପିଅନ୍ତି ବୋଲି କମ୍ପାନି ଏହି କଠୋର ନିଷ୍ପତ୍ତି ‌େନଇଥିବାର କୁହାଯାଉଛି। ଅଥଚ ତାଙ୍କ ବେକାରୀ ଡି‌‌‌େପ୍ଲାମା ପୁଅ ଘରେ ବସିଛି।

ବୀରସିଂ, ଶଙ୍କର୍ଷଣ ଓ ଆଲିଜାନଙ୍କ ଭଳି ଅନେକ ବିସ୍ଥାପିତ ପରିବାରଙ୍କୁ କମ୍ପାନି କର୍ତ୍ତୃପକ୍ଷ ଜଣକ ପରେ ଜଣେ ବିଭିନ୍ନ ଉପାୟରେ ବିଦା କରିଚାଲିଛି। ‌

କେବଳ ଜିନ୍ଦଲ କାରଖାନା କର୍ତ୍ତୃପକ୍ଷ ଏଭଳି କାର୍ଯ୍ୟରେ ଲିପ୍ତ ନାହାନ୍ତି। କଳିଙ୍ଗନଗର ଶିଳ୍ପାଞ୍ଚଳରେ ଗଢି ଉଠିଥିବା ଅନେକ ଶିଳ୍ପାନୁଷ୍ଠାନରେ ଓଡ଼ିଶା ଶ୍ରମିକ, କର୍ମଚାରୀଙ୍କୁ ତଡ଼ିଆ ଆରମ୍ଭ ହୋଇଛି। ଗତ ୩ ବର୍ଷ ମଧ୍ୟରେ କାରଖାନା ଗୁଡ଼ିକରେ ଯେଉଁ କିଛି ଓଡ଼ିଆ ଅଧିକାରୀ ଓ କର୍ମଚାରୀ ଥିଲେ ସେମାନଙ୍କୁ ବିଭିନ୍ନ ଉପାୟରେ ବାହାର କରିଦିଆ ଯାଉଛି। ଅଣ ଓଡ଼ିଆ ଅଧିକାରୀଙ୍କର ରାଜ ଚାଲିଛି। ଯାହାକୁ ନେଇ ଓଡ଼ିଆ ଓ ଅଣଓଡ଼ିଆଙ୍କ ମଧ୍ୟରେ ବିବାଦ ମୁଣ୍ଡ ଟେକିବା ଆରମ୍ଭ କରିଛି। ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ଉ‌ଦବେଗ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର