କଳିଙ୍ଗନଗର ଗୁଳିକାଣ୍ଡକୁ ୧୨ବର୍ଷ ପୂରିଲା, ଗର୍ଜିଲେ ଆଦିବାସୀ

ବିସ୍ଥାପିତ, ବିସ୍ଥାପନ ବିରୋଧୀ ଏକାଠି

ଦାନଗଦି: କଳିଙ୍ଗ ନଗର ଗୁଳିକାଣ୍ଡ ଘଟଣାକୁ ଆଜି ୧୨ ବର୍ଷ ପୂରିଲା। ଏହି ଗୁଳିକାଣ୍ଡର ପ୍ରତିବାଦରେ ଆଜି ଉଭୟ ବିସ୍ଥାପନ ବିରୋଧୀ ଜନମଞ୍ଚ ଓ ବିସ୍ଥାପିତ ଉନ୍ନୟନ ପରିଷଦ ପକ୍ଷରୁ ଅନୁଷ୍ଠିତ ହୋଇଥିଲା ପ୍ରତିବାଦ ସଭା। ଏହା ପୂର୍ବରୁ ହଜାର ହଜାର ଆଦିବାସୀ ଏକାଠି ହୋଇ କଳିଙ୍ଗନଗର ହତ୍ୟାକାଣ୍ଡର ତଦନ୍ତ ରିପୋର୍ଟ ପୁନର୍ବାର ପ୍ରକାଶ କରିବା ସହ ସରକାର ବିରୋଧୀ ବିଭିନ୍ନ ସ୍ଲୋଗାନ ଦେଇ ଏକ ଶୋଭାଯାତ୍ରାରେ ସହିଦ ସ୍ତମ୍ଭ ନିକଟକୁ ଯାଇଥିଲେ। ବୀରଭୂମିଠାରେ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ପ୍ରତିବାଦ ସଭା। ୨୦୦୬ ଜାନୁଆରି ୨ ଗୁଳିକାଣ୍ଡରେ ମୃତ୍ୟୁବରଣ କରିଥିବା ଆଦିବାସୀଙ୍କ ପାଇଁ ମଞ୍ଚରେ କମ୍ପିଥିଲେ ଉଭୟ ବିସ୍ଥାପନ ବିରୋଧୀ ଜନମଞ୍ଚ ଓ ବିସ୍ଥାପିତ ଉନ୍ନୟନ ପରିଷଦ। ପ୍ରଥମଥର ପାଇଁ ଏହି କାର୍ଯ୍ୟକ୍ରମରେ ବିସ୍ଥାପନ ସପକ୍ଷ ଓ ବିପକ୍ଷବାଦୀଙ୍କୁ ଦେଖିବାକୁ ମିଳିଥିଲା। ଆଦିବାସୀ ପରମ୍ପରା ଅନୁଯାୟୀ ସକାଳେ ବୀରଭୂମି ଆମ୍ବଗାଡିଆ ଠାରେ ଦିର୍‌ ଦୁଲ ସୁନମ ଅନୁଷ୍ଠିତ ହୋଇଥିଲା। ପରେ ହଇରା ଚାମ, ସୁଦୁ ସାପା କାର୍ଯ୍ୟକ୍ରମ। ଚମ୍ପାକୋଇଲା ଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରି ବୀରଭୂମି ଆମ୍ବଗଡିଆ ଠାରେ ପହଞ୍ଚିଥିଲା । ଆଦିବାସୀଙ୍କ ବିଭିନ୍ନ ପାରମ୍ପରିକ ନୃତ୍ୟରେ ସହିଦ୍‌ଙ୍କୁ ଲାଲ୍‌ ସଲାମ୍‌ ଦିଆଯାଇଥିଲା । ପତାକା ଉତୋଳନ କରାଯାଇ ସହିଦ୍‌ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ସହିଦ ସ୍ମୃତି ସଂଘର ବିସ୍ଥାପନ ବିରୋଧୀ ଜନମଞ୍ଚର ସଭାପତି ଅମର ସିଂ ବାନାରାଙ୍କ ସଭାପତିତ୍ୱରେ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା ।

ସଭାରେ ଆଦିବାସୀ ଗର୍ଜିଥିଲେ । କହିଥିଲେ, ଟାଟା କମ୍ପାନି ବିସ୍ଥାପିତମାନଙ୍କୁ ଠକିଛି। ଦୀର୍ଘ ୧୨ବର୍ଷ ପରେ ମଧ୍ୟ ବିସ୍ଥାପିତଙ୍କୁ ଚାକିରି ନାହିଁ। ଘରଡିହ ପଟ୍ଟା ମଧ୍ୟ ପ୍ରଦାନ କରିନାହିଁ । ବନ୍ଧୁକ ମୁନରେ ଦମନ କରାଯାଉଛି । କଟା ହାତ ପାପୁଲିକୁ ଅଦ୍ୟାବଧି ଚିହ୍ନଟ କରାଯାଇନାହିଁ। ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରିନାହାନ୍ତି । ଆଦିବାସୀଙ୍କ ନାମରେ ଶହ ଶହ ମାମଲା ଏବେବି ଚାଲିଛି । ଇତିମଧ୍ୟରେ କଳିଙ୍ଗନଗର ଗୁଳିକାଣ୍ଡର ତଦନ୍ତ ରିପୋର୍ଟ ସାର୍ବଜନୀନ ହୋଇଛି। ମାତ୍ର, କମିସନ ତାଙ୍କ ରିପୋର୍ଟରେ କାହାରିକୁ ଦୋଷୀ ସାବ୍ୟସ୍ତ କରିନାହାନ୍ତି। ତେବେ ନିରୀହ ଆଦିବାସୀଙ୍କ ନାମରେ କ’ଣ ପାଇଁ ମାମଲା ରୁଜୁ କରାଯାଇଛି ବୋଲି ପ୍ରଶ୍ନ କରିଥିଲେ। କହିଥିଲେ ଯେ, ଏବେବି ବହୁ ବିସ୍ଥାପିତ ନିଯୁକ୍ତି ନପାଇ ଘୋର ଦୁର୍ଦିନରେ କାଳତିପାତ କରୁଛନ୍ତି। ଆଗାମୀ ଦିନରେ କାରଖାନା କର୍ତୃପକ୍ଷ ଓ ପ୍ରଶାସନ ଏଥିପ୍ରତି ଉପଯୁକ୍ତ ପଦକ୍ଷେପ ନନିଅନ୍ତି, ତେବେ ଆଦିବାସୀ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଥିଲେ। ଏଥିରେ ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତିର ମୁଖପାତ୍ର ପ୍ରଶାନ୍ତ ପାଇକରାୟ, ସି.ପି.ଆଇ.ଏମ୍‌.ଏଲ୍‌. ନିୟୁ ଡେମୋଗ୍ରାସିର ଭାଲ୍‌ଚନ୍ଦ୍ର ଷଡଙ୍ଗୀ, ଆଦିବାସୀ ମହାସଭାର ନେତା ମାନଗୋବିନ୍ଦ ବେସ୍ରା, ଆର୍ଟ ଅଫ୍‌ ଲିଭିଂ ଓଡିଶାର ମୁଖ୍ୟ ଭୋଳାନାଥ ଜେନା, ୱାରଙ୍ଗଚିତି ଭାଷା ବିଶେଷଜ୍ଞ ଜଗନ୍ନାଥ ହାଁସଦା, ବିସ୍ଥାପିତ ଉନ୍ନୟନ ପରିଷଦର ସଂପାଦକ ବୀରେନ୍‌ ଜାମୁଦା, ବିସ୍ଥାପନ ବିରୋଧ ଜନମଞ୍ଚର ସଂପାଦକ ରବୀନ୍ଦ୍ରକୁମାର ଜାରିକା, ତ୍ରିଲୋଚନ ମହାନ୍ତ, ଗୋବରଘାଟି ସରପଞ୍ଚ ସ୍ୱର୍ଣ୍ଣଲତା ବାନାରା, ଅବଦୁଲ ୱାଲି, ଝରଣା ମହାନ୍ତ, ରବୀନ୍ଦ୍ର ଜେନାମଣି, ଲକ୍ଷ୍ମଣ ଜାମୁଦା, ପୂର୍ଣ୍ଣ ସଏ, ନଟି ଆଙ୍ଗରାଇ, ବିରେନ୍‌ ଟୁଡୁ ପ୍ରମୁଖ ଯୋଗଦେଇ ବିସ୍ଥାପନ ନୀତିକୁ ଘୋର ବିରୋଧ କରିଥିଲେ ।

କାର୍ଯ୍ୟକ୍ରମକୁ ଶନ୍ତଶୃଙ୍ଖଳା ସହ ପାଳନ କରିବା ପାଇଁ ଯାଜପୁର ଏସ୍‌.ପି. ଚରଣ ସିଂ ମିନାଙ୍କ ନେତୃତ୍ୱରେ କଳିଙ୍ଗନଗର ଅତିରିକ୍ତ ଏସ୍‌.ପି. ରାଜକିଶୋର ଦୋରା, ୨ ଜଣ ଡି.ଏସ୍‌.ପି. କେଦାରନାଥ ସାହୁ ଓ ସୁଧାକର ସାହୁ, ୫ ଜଣ ଆଇ.ଆଇ.ସି., ୧୦ଜଣ ଅଫିସର, ୭ ପ୍ଲାଟୁନ୍‌ ଫୋର୍ସ, ୭୦ଜଣ ଗୃହରକ୍ଷୀଙ୍କ ସମେତ ୨ଜଣ ମାଜିଷ୍ଟ୍ରେଟଙ୍କୁ ନିୟୋଜିତ କରାଯାଇଥିଲା।

ସମ୍ବନ୍ଧିତ ଖବର