ତଦନ୍ତ କମିସନଙ୍କ ରିପୋର୍ଟ ଆଧାରରେ କି ପଦକ୍ଷେପ ନେଇଛ?

କଳିଙ୍ଗନଗର ଗୁଳିକାଣ୍ଡ ମାମଲାରେ ସରକାରଙ୍କୁ ହାଇକୋର୍ଟଙ୍କ ପ୍ରଶ୍ନ

କଟକ : କଳିଙ୍ଗନଗର ଗୁଳିକାଣ୍ଡ ଘଟଣାରେ ଜଷ୍ଟିସ୍‌ ପି.କେ.ମହାନ୍ତି କମିସନ ଯେଉଁ ରିପୋର୍ଟ ଦେଇଛନ୍ତି, ତାହା ଉପରେ କି ପଦକ୍ଷେପ ନେଇଛ ଜଣାଅ। ଆଜି ରାଜ୍ୟ ସରକାରଙ୍କୁ ଏ ପ୍ରକାର ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଜଷ୍ଟିସ ପି.କେ.ମହାନ୍ତି କମିସନ୍‌ ସରକାରଙ୍କୁ ୨୦୧୫, ଜୁଲାଇ ୩ରେ ରିପୋର୍ଟ ପ୍ରଦାନ କରିଥିଲେ। ସେହି ରିପୋର୍ଟ ମିଳିବା ପରେ ସରକାର ଏହି ଘଟଣାରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସେ ସଂପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏସ୍‌.କେ.ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଡାକ୍ତର ଏ.କେ.ନାଥଶର୍ମା ଓ ଅନ୍ୟ ଦୁଇ ଡାକ୍ତରଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ପି.କେ.ମହାନ୍ତି କମିସନଙ୍କ ରିପୋର୍ଟ ବନ୍ଦ୍‌ ଲଫାପାରେ ନଭେମ୍ବର ୨୭ ତାରିଖ ସୁଦ୍ଧା ଦାଖଲ ପାଇଁ ହାଇକୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ମାମଲାର ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ଏଥି ପାଇଁ ଅଧିକ ସମୟ ଲୋଡା ଯାଇଥିଲା। ଆସନ୍ତା ୧୩ ତାରିଖ ସୁଦ୍ଧା ଜଷ୍ଟିସ ପି.କେ.ମହାନ୍ତି କମିସନଙ୍କ ରିପୋର୍ଟ ଦାଖଲ ପାଇଁ ସରକାରଙ୍କୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୦୬, ଜାନୁଆରି ୨ ତାରିଖ ଦିନ କଳିଙ୍ଗନଗର ଗୁଳିକାଣ୍ଡ ଘଟଣାରେ ୧୩ ଜଣ ସାଧାରଣ ଜନତା ପ୍ରାଣ ହରାଇଥିଲେ। ଘଟଣା ଦିନ ରାତିରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ୬ ଜଣଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିଲା। ଜଣଙ୍କ ପରିଚୟ ମଳିଥିବା ବେଳେ ଅନ୍ୟ ୫ଟି ଶବ ଅଚିହ୍ନା ଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୌଣସି ଏଫଏମଟି ସ୍ପେଶାଲିଷ୍ଟଙ୍କ ଅନୁପସ୍ଥିତିରେ ଅନ୍ୟ ଡାକ୍ତରଙ୍କ ଦ୍ୱାରା ଶବ ବ୍ୟବଚ୍ଛେଦ ପାଇଁ ତତ୍କାଳୀନ ସିଡିଏମଓ ଓ ଏଡିଏମଓ ନିର୍ଦ୍ଦେଶ ଦେଇଥିଲେ। ଅଚିହ୍ନା ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ ସମୟରେ ସେମାନଙ୍କ ଦୁଇ ହାତର ପାପୁଲି କାଟି ରଖା ଯାଇଥିଲା। ପୁଲିସ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଓ ନିର୍ଦ୍ଦେଶରେ ଏପରି କରାଯାଇଥିଲା।

ରାତିରେ ଶବ ବ୍ୟବଚ୍ଛେଦ ଓ ପାପୁଲି କଟା ଘଟଣାକୁ ନେଇ ୨୦୦୬, ଜାନୁଆରି ୧ରେ ଆବେଦନକାରୀ ଓ ଅନ୍ୟ ଡାକ୍ତରଙ୍କୁ ନିଲମ୍ବିତ କରାଯାଇଥିଲା। ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଥିଲା। ବିଭାଗୀୟ ତଦନ୍ତ ସମୟରେ ତଦନ୍ତକାରୀ ଅଧିକାରୀ ତଥା ଏସସିବି ମେଡିକାଲ କଲେଜର ଏଫଏମଟି ବିଭାଗ ଆସୋସିଏଟ୍‌ ପ୍ରଫେସର ପ୍ରଦାନ କରିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା ଯେ ସେ ଦିନ ଶବ ବ୍ୟବଚ୍ଛେଦ ସମୟରେ କୌଣସି ନିୟମ ଉଲ୍ଲଘଂନ ହୋଇ ନଥିଲା। ଏପରି ପରିସ୍ଥିତିରେ ପୂର୍ବରୁ ଅନୁସରଣ କରାଯାଉଥିବା ପ୍ରକ୍ରିୟା ଅନୁସାରେ ସେ ଦିନ ଶବ ଗଡିକର ପାପୁଲି କାଟି ସଂରକ୍ଷିତ କରାଯାଇଥିଲା।

ଅନ୍ୟପକ୍ଷରେ ରାଜ୍ୟ ମାନବାଧିକାର କମିସନ୍‌ ଏ ନେଇ କରିଥିବା ତଦନ୍ତ ରିପୋର୍ଟରେ ଶବ ବ୍ୟବଚ୍ଛେଦ ପ୍ରକ୍ରିୟାରେ ଅନିୟମିତତା ହୋଇଥିବା କଥା ଉଲ୍ଲେଖ କରିଥିଲେ। ବିଭାଗୀୟ ତଦନ୍ତ ରିପୋର୍ଟକୁ ଅଣଦେଖା କରି ସ୍ୱାସ୍ଥ୍ୟ ବିଭାଗ ମାନବାଧିକାର କମିସନ୍‌ଙ୍କ ରିପୋର୍ଟ ଆଧାରରେ ଆବେଦନକାରୀ ଓ ଅନ୍ୟ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପଦକ୍ଷେପ ନେଇଥିଲା। ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଦର୍ଶାଇଥିଲେ ଯେ ମାନବାଧିକାର କମିସନଙ୍କ ରିପୋର୍ଟର ନକଲ ତାଙ୍କୁ ପ୍ରଦାନ କରାଯାଇ ନଥିଲା। ଏଥି ସହିତ ମାନବାଧିକାର କମିସନଙ୍କ ରିପୋର୍ଟ ବିଶେଷଜ୍ଞଙ୍କ ମତାମତ ଆଧାରରେ ପ୍ରସ୍ତୁତ ହୋଇ ନଥିଲା। ଅନ୍ୟପକ୍ଷରେ ପୂର୍ବରୁ ବିଭାଗୀୟ ତଦନ୍ତ ସମୟରେ ଏସ୍‌ସିବି ମେଡିକାଲର ବରିଷ୍ଠ ଡାକ୍ତର ପ୍ରଦାନ କରିଥିବା ରିପୋର୍ଟ ଜଣେ ବିଶେଷଜ୍ଞଙ୍କ ରିପୋର୍ଟ। ଏପରି ପରିସ୍ଥିତିରେ ମାନବାଧିକାର କମିସନଙ୍କ ୨୦୦୮, ସେପ୍ଟେମ୍ବର ୯ର ରିପୋର୍ଟ ଗ୍ରହଣୀୟ ନୁହେଁ ଓ ରଦ୍ଦ ହେବା ଯୋଗ୍ୟ ବୋଲି ଡାକ୍ତର ଏ.କେ.ନାଥଶର୍ମା ଓ ଅନ୍ୟ ୨ଜଣଙ୍କ ପକ୍ଷରୁ ରୁଜୁ ମାମଲାରେ ଦର୍ଶାଯାଇଥିଲା।

ସମ୍ବନ୍ଧିତ ଖବର