କଳିଙ୍ଗନଗର ଗୁଳିକାଣ୍ତ: ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତରଙ୍କ ସମ୍ପର୍କରେ ପଦକ୍ଷେପ ନିଅ

କଟକ : କଳିଙ୍ଗନଗର ଗୁଳିକାଣ୍ଡ ଘଟଣାରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତରଙ୍କ ବର୍ଦ୍ଧିତ ହାରରେ ଦରମା ନିର୍ଦ୍ଧାରଣ ଓ ପଦୋନ୍ନତି ପ୍ରସଂଗରେ ପଦକ୍ଷେପ ଗ୍ରହଣ ପାଇଁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରିଟ୍ ପଟିସନକୁ ଆବେଦନ ଭାବେ ଗ୍ରହଣ କରି ଆଇନ ଅନୁସାରେ ଏହି ପ୍ରସଂଗରେ ସ୍ବାସ୍ଥ୍ୟବିଭାଗ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଲକ୍‌ଡାଉନ ଉଠିବାର ଦେଢ଼ମାସ ଭିତରେ ଏହି ପ୍ରସଂଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଡାକ୍ତର ଶାନ୍ତନୁ କୁମାର ସାହୁଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ, ୨୦୦୬ ଜାନୁଆରି ୨ ତାରିଖ ଦିନ ଯାଜପୁର କଳିଙ୍ଗନଗର ଗୁଳିକାଣ୍ତ ଘଟଣାରେ ୧୩ ଜଣ ସାଧାରଣ ଜନତା ପ୍ରାଣ ହରାଇଥିଲେ। ଘଟଣା ଦିନ ରାତିରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁଳିକାଣ୍ତରେ ପ୍ରାଣ ହରାଇଥିବା ୬ ଜଣଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିଲା। ଜଣଙ୍କ ପରିଚୟ ମଳିଥିବାବେଳେ ଅନ୍ୟ ୫ଟି ଶବ ଅଚିହ୍ନା ଥିଲା। ଅଚିହ୍ନା ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ ସମୟରେ ସେମାନଙ୍କ ଦୁଇହାତର ପାପୁଲି କାଟି ରଖା ଯାଇଥିଲା। ପୁଲିସ ଓ ଜିଲ୍ଲା ସ୍ବାସ୍ଥ୍ୟବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଓ ନିର୍ଦ୍ଦେଶରେ ଏପରି କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ମୁଖ୍ୟ ଚିକିତ୍ସାଳ‌ୟରେ ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତରଙ୍କୁ ଏହି ଘଟଣାରେ ବଳି ପକାଯାଇଥିବା ଅଭିଯୋଗ ହୋଇଥିଲା। ଡାକ୍ତରଙ୍କୁ ଚାକିରିରୁ ସରକାର ନିଲମ୍ବନ କରିଥିଲେ।

ଏହାପରେ ଅଦାଲତଙ୍କ ନିର୍ଦ୍ଦେଶରେ ୨୦୦୯ ଜୁନ ମାସରେ ଡାକ୍ତରଙ୍କ ଉପରୁ ନିଲମ୍ବନ ଉଠାଯାଇ ପୁନର୍ବାର ଚାକିରିରେ ଅବସ୍ଥାପିତ କରିଥିଲା। କିନ୍ତୁ ନିଲମ୍ବନ ସମୟରେ ଯେଉଁ ହାରରେ ଡାକ୍ତରଙ୍କୁ ଦରମା ପ୍ରଦାନ କରାଯାଉଥିଲା ନିଲମ୍ବନ ଉଠିବା ପରେ ମଧ୍ୟ ସେମାନଙ୍କୁ ସେହି ଦରମା ପ୍ରଦାନ କରାଯାଇଥିଲା। ପରବର୍ତ୍ତୀ ସମୟରେ ସମାନ ପଦରେ ଥିବା ଡାକ୍ତରଙ୍କୁ ଷଷ୍ଠ ଓ ସପ୍ତମ ବେତନ କମିସନ ହାରରେ ବର୍ଦ୍ଧିତ ଦରମା ପ୍ରଦାନ କରାଯାଇଥିବା ବେଳେ ଆବେଦନକାରୀଙ୍କ କ୍ଷେତ୍ରରେ ଏହା ଲାଗୁ କରାଯାଇ ନଥିଲା। ପୁରୁଣା ହାରରେ ତାଙ୍କୁ ଦରମା ପ୍ରଦାନ କରାଯାଉଛି। ଏଥିସହିତ ପଦୋନ୍ନତି କ୍ଷେତ୍ରରେ ମଧ୍ୟ ଆବେଦନକାରୀଙ୍କୁ ଅବହେଳା କରାଯାଇଥିଲା। ସମକକ୍ଷ ଡାକ୍ତରଙ୍କୁ ପଦୋନ୍ନତି ପ୍ରଦାନ କରାଯାଇଥିବା ବେଳେ ଆବେଦନକାରୀଙ୍କୁ ନିୟମ ଅନୁସାରେ ଉପଯୁକ୍ତ ପଦୋନ୍ନତି ମିଳି ପାରି ନଥିଲା। ସରକାରଙ୍କ ପାତରଅନ୍ତର ନୀତି ବିରୋଧରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଶମ୍ଭୁଚରଣ ନାଥଶର୍ମା ମାମଲା ପରିଚାଳନା କରୁଥିଲେ। ଏଠାରେ ସୂଚନା ଯୋଗ୍ୟ, ସମାନ ପରିସ୍ଥିତିରେ ଥିବା ଡାକ୍ତର ଅନୁପ କୁମାର ନାଥଶର୍ମାଙ୍କ ମାମଲାରେ ହାଇକୋର୍ଟ ପୂର୍ବରୁ ସରକାରଙ୍କ ନିକଟରୁ ଜବାବ ତଲବ କରିଥିଲେ। ଏହି ମାମଲା ଏବେ ବିଚାରାଧୀନ ରହିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Comments are closed.