କଟକ : କଳିଙ୍ଗନଗର ଗୁଳିକାଣ୍ଡ ଘଟଣାର ବିଚାର ବିଭାଗୀୟ ତଦନ୍ତ ରିପୋର୍ଟ ଦାଖଲ ପାଇଁ ସରକାରଙ୍କୁ ହାଇକୋର୍ଟ ଏକ ସପ୍ତାହ ମହଲତ ପ୍ରଦାନ କରିଛନ୍ତି। ଜଷ୍ଟିସ ପି.କେ.ମହାନ୍ତି କମିସନଙ୍କ ରିପୋର୍ଟ ବନ୍ଦ୍‌ ଲଫାପାରେ ନଭେମ୍ବର ୨୭ ତାରିଖ ସୁଦ୍ଧା ଦାଖଲ ପାଇଁ ହାଇକୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। ଆଜି ଏ ସଂପର୍କିତ ମାମଲାର ଶୁଣାଣି ସମୟରେ ଏହି ରିପୋର୍ଟ ଦାଖଲ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅଧିକ ସମୟ ଲୋଡା ଯାଇଥିଲା। ଜଷ୍ଟିସ ଏସ୍‌.କେ.ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଥି ପାଇଁ ରାଜ୍ୟ ସରକାରଙ୍କୁ ଏକ ସପ୍ତାହ ମହଲତ ପ୍ରଦାନ କରିଛନ୍ତି। ଆବେଦନକାରୀ ଡାକ୍ତର ଏ.କେ.ନାଥଶର୍ମା ଓ ଅନ୍ୟ ୨ଜଣଙ୍କ ପକ୍ଷରୁ ରୁଜୁ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସପ୍ତାହରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଜଗନ୍ନାଥ ପଟ୍ଟନାୟକ ମାମଲା ପରିଚାଳନା କରୁଥିବା ବେଳେ ବିପ୍ଳବ ମହାନ୍ତି, ଟି.କେ.ପଟ୍ଟନାୟକ ଓ ଏସ୍‌.ଏନ୍‌.ଶର୍ମା ତାଙ୍କୁ ସହଯୋଗ କରୁଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ କଳିଙ୍ଗନଗର ଗୁଳିକାଣ୍ଡ ଘଟଣାର ତଦନ୍ତ କରି ଜଷ୍ଟିସ ପି.କେ.ମହାନ୍ତି କମିସନ ୨୦୧୫, ଜୁଲାଇ ୩ରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ।

Advertisment

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୦୬, ଜାନୁଆରି ୨ ତାରିଖ ଦିନ କଳିଙ୍ଗନଗର ଗୁଳିକାଣ୍ଡ ଘଟଣାରେ ୧୩ ଜଣ ସାଧାରଣ ଜନତା ପ୍ରାଣ ହରାଇଥିଲେ। ଘଟଣା ଦିନ ରାତିରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ୬ ଜଣଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିଲା। ଜଣଙ୍କ ପରିଚୟ ମଳିଥିବା ବେଳେ ଅନ୍ୟ ୫ଟି ଶବ ଅଚିହ୍ନା ଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୌଣସି ଏଫଏମଟି ସ୍ପେଶାଲିଷ୍ଟଙ୍କ ଅନୁପସ୍ଥିତିରେ ଅନ୍ୟ ଡାକ୍ତରଙ୍କ ଦ୍ୱାରା ଶବ ବ୍ୟବଚ୍ଛେଦ ପାଇଁ ତତ୍କାଳୀନ ସିଡିଏମଓ ଓ ଏଡିଏମଓ ନିର୍ଦ୍ଦେଶ ଦେଇଥିଲେ। ଅଚିହ୍ନା ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ ସମୟରେ ସେମାନଙ୍କ ଦୁଇ ହାତର ପାପୁଲି କାଟି ରଖା ଯାଇଥିଲା। ପୁଲିସ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଓ ନିର୍ଦ୍ଦେଶରେ ଏପରି କରାଯାଇଥିଲା।

ରାତିରେ ଶବ ବ୍ୟବଚ୍ଛେଦ ଓ ପାପୁଲି କଟା ଘଟଣାକୁ ନେଇ ୨୦୦୬, ଜାନୁଆରି ୫ରେ ଆବେଦନକାରୀ ଓ ଅନ୍ୟ ଡାକ୍ତରଙ୍କୁ ନିଲମ୍ବିତ କରାଯାଇଥିଲା ଓ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଥିଲା। ବିଭାଗୀୟ ତଦନ୍ତ ସମୟରେ ତଦନ୍ତକାରୀ ଅଧିକାରୀ ତଥା ଏସସିବି ମେଡିକାଲ କଲେଜର ଏଫଏମଟି ବିଭାଗ ଆସୋସିଏଟ୍‌ ପ୍ରଫେସର ପ୍ରଦାନ କରିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା ଯେ ସେ ଦିନ ଶବ ବ୍ୟବଚ୍ଛେଦ ସମୟରେ କୌଣସି ନିୟମ ଉଲ୍ଲଂଘନ ହୋଇ ନଥିଲା। ପୂର୍ବରୁ ଅନୁସରଣ କରାଯାଉଥିବା ପ୍ରକ୍ରିୟା ଅନୁସାରେ ସେ ଦିନ ପାପୁଲି କାଟି ସଂରକ୍ଷିତ କରାଯାଇଥିଲା।

ଅନ୍ୟପକ୍ଷରେ ରାଜ୍ୟ ମାନବାଧିକାର କମିସନ୍‌ ଏ ନେଇ କରିଥିବା ତଦନ୍ତ ରିପୋର୍ଟରେ ଶବ ବ୍ୟବଚ୍ଛେଦ ପ୍ରକ୍ରିୟାରେ ଅନିୟମିତତା ହୋଇଥିବା କଥା ଉଲ୍ଲେଖ କରିଥିଲେ। ବିଭାଗୀୟ ତଦନ୍ତ ରିପୋର୍ଟକୁ ଅଣଦେଖା କରି ସ୍ୱାସ୍ଥ୍ୟ ବିଭାଗ ମାନବାଧିକାର କମିସନ୍‌ଙ୍କ ରିପୋର୍ଟ ଆଧାରରେ ଆବେଦନକାରୀ ଓ ଅନ୍ୟ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପଦକ୍ଷେପ ନେଇଥିଲା। ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଦର୍ଶାଇଥିଲେ ଯେ ମାନବାଧିକାର କମିସନଙ୍କ ରିପୋର୍ଟର ନକଲ ତାଙ୍କୁ ପ୍ରଦାନ କରାଯାଇ ନଥିଲା। ଏଥି ସହିତ ମାନବାଧିକାର କମିସନଙ୍କ ରିପୋର୍ଟ ବିଶେଷଜ୍ଞଙ୍କ ମତାମତ ଆଧାରରେ ପ୍ରସ୍ତୁତ ହୋଇ ନଥିଲା। ଅନ୍ୟପକ୍ଷରେ ପୂର୍ବରୁ ବିଭାଗୀୟ ତଦନ୍ତ ସମୟରେ ଏସସିବି ମେଡିକାଲର ବରିଷ୍ଠ ଡାକ୍ତର ପ୍ରଦାନ କରିଥିବା ରିପୋର୍ଟ ଜଣେ ବିଶେଷଜ୍ଞଙ୍କ ରିପୋର୍ଟ। ଏପରି ପରିସ୍ଥିତିରେ ମାନବାଧିକାର କମିସନଙ୍କ ୨୦୦୮, ସେପ୍ଟେମ୍ବର ୯ର ରିପୋର୍ଟ ଗ୍ରହଣୀୟ ନୁହେଁ ଓ ରଦ୍ଦ ହେବା ଯୋଗ୍ୟ ବୋଲି ଆବେଦନକରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା।