ଦାନଗଦୀ: ପୁଞ୍ଜିନିବେଶର ପେଣ୍ଠସ୍ଥଳ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଭିତ୍ତିଭୂମି ଦୁର୍ବଳ। ମାଳମାଳ ବୃହତ୍‌ କାରଖାନାକୁ ନେଇ ଗଢ଼ିଉଠିଥିବା ଏହି ଅଞ୍ଚଳ ପାଇଁ ଏବେ ମୁଖ୍ୟ ସମସ୍ୟା ହୋଇଛି ଭିତ୍ତିଭୂମି। ଏବେ ବି ଏହି ଅଞ୍ଚଳ ଉନ୍ନତ ସଡ଼କ ଯୋଗାଯୋଗ, ପୋଲ ନିର୍ମାଣ ଅପେକ୍ଷାରେ ରହିଛି। ୨୦୧୯ ରେ ରାଜ୍ୟର କେବଳ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଜାତୀୟ ଉତ୍ପାଦନ ଓ ନିବେଶ କ୍ଷେତ୍ର (ନିମଜେଡ୍) ଭାବେ ମାନ୍ୟତା ମିଳିଛି। ରାଜ୍ୟ ସରକାରଙ୍କ ନୋଡାଲ ଏଜେନ୍ସି ଇଡ୍‌କୋ ମାଧ୍ୟମରେ ଏହି କ୍ଷେତ୍ରର ୧୬୫.୨୫ ବର୍ଗ କିଲୋମିଟର ପରିବ୍ୟାପ୍ତ ଅଞ୍ଚଳରେ ଭିତ୍ତିଭୂମିକୁ ବିଶ୍ୱସ୍ତରୀୟ ଭାବେ ଆକର୍ଷଣୀୟ କରିବାକୁ ଯୋଜନା ପ୍ରସ୍ତୁତ ହୋଇ ସାରିଛି। ବିଡ଼ମ୍ବନା ଏହି ସ୍ବପ୍ନିଳ ଯୋଜନା କାର୍ଯ୍ୟକାରୀ ହୋଇପାରୁନାହିଁ। କେନ୍ଦ୍ର ସରକାରଙ୍କ ଶିଳ୍ପ ଓ ବାଣିଜ୍ୟ ବିଭାଗର ଅନୁମୋଦନ ସତ୍ତ୍ୱେ ଧାତବ ଶିଳ୍ପର ରାଜଧାନୀ କଳିଙ୍ଗନଗର ଶିଳ୍ପାଞ୍ଚଳର ଦୁରବସ୍ଥା ଚିନ୍ତାଜନକ।

Advertisment

କଳିଙ୍ଗନଗର ଶିଳ୍ପାଞ୍ଚଳରେ ଏବେ ବାର୍ଷିକ ୭ ନିୟୁତ ଟନ ଇସ୍ପାତ ଉତ୍ପାଦନ ହେଉଛି। ଖୁବ୍‌ଶୀଘ୍ର ଏହାକୁ ୧୪ ନିୟୁତ ଟନକୁ ବୃଦ୍ଧି କରାଯିବାକୁ ପ୍ରୟାସ କରାଯାଉଛି। ଶିଳ୍ପ ଉପଯୋଗୀ ଭିତ୍ତିଭୂମି ନଥିବାରୁ ଉତ୍ପାଦନ ବୃଦ୍ଧି କ୍ଷେତ୍ରରେ ଶିଳ୍ପଗୋଷ୍ଠୀ ଯେତିକି ତତ୍ପର ହେବା କଥା ତାହା ଦେଖା ଯାଉନାହିଁ। ଏଠାକୁ ରହିଥିବା ୫୩ ନମ୍ଵର ଜାତୀୟ ରାଜପଥ ଦୀର୍ଘ ବର୍ଷ ଧରି ଜରାଜୀର୍ଣ୍ଣ ଭାବେ ରହି ଆସିଛି। ସବୁଜ ପ୍ରାଧିକରଣଙ୍କ ନିର୍ଦ୍ଦେଶ ପରେ ପ୍ରଶସ୍ତୀକରଣ କାମ ଦୀର୍ଘ ଦିନରୁ ବନ୍ଦ ରହିଛି। ଏହି ରାଜପଥରେ ବ୍ରାହ୍ମଣୀ ନଦୀ ଉପରେ ଦ୍ଵିତୀୟ ସେତୁ ନିର୍ମାଣ ଆରମ୍ଭ ହେଉନାହିଁ। ପୁରୁଣା ସେତୁ ମରାମତି ପାଇଁ ଏବେ ମାସେ ବନ୍ଦ ରହିଛି। ଏହା ଯେକୌଣସି ସମୟରେ ଗଳି ପଡ଼ିବାର ଆଶଙ୍କା ରହିଛି। ଡୁବୁରିଠାରୁ ମିଲିଟାରି ଛକ ପର୍ଯ୍ୟନ୍ତ ହେବାକୁ ଥିବା ୬ ଥାକିଆ ରାସ୍ତା ନିର୍ମାଣ ମଧ୍ୟ ଅଧାରୁ ବନ୍ଦ ହୋଇଯାଇଛି। ମାନପୁର ନିକଟରେ ନିର୍ମାଣାଧୀନ ଦ୍ୱିତୀୟ ରେଲ ଓଭରବ୍ରିଜ କାମ ଏତେ ଧିମା ଗତିରେ ଚାଲିଛି ଯେ କେବେ ସରିବ ତାହା ଜଣାପଡ଼ୁନାହିଁ। ରହିଥିବା ସଂକୀର୍ଣ୍ଣ ପୋଲଟି ମଧ୍ୟ ବିପଦସଙ୍କୁଳ ଅବସ୍ଥାକୁ ଚାଲିଆସିଲାଣି। ଏଭଳି ଦୁର୍ବଳ ଭିତ୍ତିଭୂମି ଉପରେ କଳିଙ୍ଗନଗର ଶିଳ୍ପାଞ୍ଚଳର ଭାଗ୍ୟ ଦୋଦୁଲ୍ୟମାନ ସ୍ଥିତିରେ ଛିଡ଼ାହୋଇଛି।

ଏହି ଶିଳ୍ପାଞ୍ଚଳରେ ଏବେ ଟାଟା ଷ୍ଟିଲ, ଟାଟା ମାଇନିଂ, ଟାଟା ଲଙ୍ଗ୍ ପ୍ରଡକ୍ଟ, ଜିନ୍ଦଲ ଷ୍ଟେନଲେସ୍‌, ଭିସା ଷ୍ଟିଲ, ବିଆର୍‌ପିଏଲ, ମଇଥାନ, ଜେଏସଡବ୍ଲ୍ୟୁ, ସାଗର ସିମେଣ୍ଟ, ନ୍ୟୁ ଭିସ୍ତା, ୟାଜଦାନୀ ଭଳି ଅନେକ କଂପାନି ଶିଳ୍ପ ସ୍ଥାପନ କରି ଉତ୍ପାଦନ କରୁଛନ୍ତି। ଆଗକୁ ଆହୁରି ୩୫ ରୁ ଊର୍ଦ୍ଧ୍ବ ଶିଳ୍ପସଂସ୍ଥା ଓ ଡାଉନ ଷ୍ଟ୍ରିମ୍ ଶିଳ୍ପ ସ୍ଥାପନ ନେଇ ଯୋଜନା ପ୍ରସ୍ତୁତ ହେଉଛି। ରାଜ୍ୟର ବିକାଶ ପାଇଁ ଶିଳ୍ପର ଆବଶ୍ୟକତାକୁ ସରକାର ଗୁରୁତ୍ବ ଦେଇ ଦେଶବିଦେଶରେ ନିବେଶକ ସମ୍ମିଳନୀ କରି ଶିଳ୍ପପତିଙ୍କୁ ଆମନ୍ତ୍ରଣ କରୁଛନ୍ତି। ଶିଳ୍ପ ଉପଯୋଗୀ ଭିତ୍ତିଭୂମି ପ୍ରସ୍ତୁତ ନଥିଲେ ମଧ୍ୟ ‘ମେକ୍‌ ଇନ୍‌ ଓଡ଼ିଶା’ ପ୍ରଚାରପ୍ରସାରରେ ଆଖି ଝଲସୁଛି।

ଅପରପକ୍ଷେ କଳିଙ୍ଗନଗରକୁ ଶିଳ୍ପ ଉପଯୋଗୀ କ୍ଷେତ୍ର ଭାବେ ପ୍ରସ୍ତୁତ କରିବାକୁ ରାଜ୍ୟ ସରକାର ଇଡ୍‌କୋର ୱାପକସ୍ ନାମକ ପରାମର୍ଶଦାତା ସଂସ୍ଥା ଜରିଆରେ ନୀଳ ନକ୍ସା ପ୍ରସ୍ତୁତ କରିଥିଲେ। ଏଥିରେ ୧୦ ହଜାର କୋଟିରୁ ଅଧିକ ଟଙ୍କା ବିନିଯୋଗରେ ଶିଳ୍ପାଞ୍ଚଳର ସମୃଦ୍ଧ ଚିତ୍ର ଆଙ୍କିବାକୁ ଯୋଜନା ରହିଥିଲା। ରେଳପଥ, ଉନ୍ନତ ସଡ଼କ, କଠିନ ବର୍ଜ୍ୟ ପରିଚାଳନା, ବାୟୁ ଭିତ୍ତିଭୂମି ଓ ଶିଳ୍ପ ବର୍ଜ୍ୟ ଜଳ ପରିଚାଳନା ପାଇଁ ସ୍ଵତନ୍ତ୍ର ନିଷ୍କାସନ ପଥ (ଡ୍ରେନେଜ) ନିର୍ମାଣ ପାଇଁ ଏଥିରେ ଯୋଜନା ରହିଥିଲା। ଏହି ଯୋଜନା ମଧ୍ୟ ଅଟକିଛି।

ରାଜ୍ୟ ସରକାର ଅନ୍ତତଃ ଏହି ଶିଳ୍ପାଞ୍ଚଳର ଭିତ୍ତିଭୂମି ସୁଦୃଢ଼ କରିବା ଦିଗରେ ତ୍ବରିତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।