ଯୁବ ଗୋଷ୍ଠୀଙ୍କ ସ୍ବାର୍ଥ ପାଇଁ କଳିଙ୍ଗ ସେନାର ଲଢ଼େଇ ଜାରି ରହିବ

ସେନାର ଅଷ୍ଟାଦଶ ପ୍ରତିଷ୍ଠା ଦିବସ

ଭୁବନେଶ୍ବର : କଳିଙ୍ଗ ସେନାର ଅଷ୍ଟାଦଶ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ପିଏମ୍‌ଜି ଛକରେ ଆୟୋଜିତ ଏହି ସମାରୋହରେ ଦଳୀୟ କର୍ମୀଙ୍କୁ ଉଦ୍‌ବୋଧନ ଦେଇ ସେନା ସୁପ୍ରିମୋ ହେମନ୍ତ ରଥ କହିଲେ, ରାଜ୍ୟର ଯୁବ ସମାଜର ସ୍ବାର୍ଥ ରକ୍ଷା ପାଇଁ କଳିଙ୍ଗ ସେନା ତାହାର ଲଢ଼େଇ ଜାରି ରଖିବ। ଅନ୍ୟ ରାଜନୈତିକ ଦଳଗୁଡ଼ିକ ପରି କୁମ୍ଭୀର କାନ୍ଦଣା ନ କାନ୍ଦି ବାସ୍ତବରେ ରାଜ୍ୟର ଯୁବକ, ଯୁବତୀ କିପରି ନିଯୁକ୍ତି ସୁଯୋଗ ପାଇବେ, ସେଥି ପାଇଁ ଆଗାମୀ ଦିନରେ ଲଢ଼େଇକୁ ଆହୁରି ତୀବ୍ର କରାଯିବ। କଳିଙ୍ଗ ସେନା ଯୁବବର୍ଗର ସ୍ବାର୍ଥ ସହ ଓଡ଼ିଆଙ୍କ ଅସ୍ମିତା ପାଇଁ ଲଢ଼େଇ କରୁଛି। କ୍ଷମତା ଠାରୁ ଦୂରରେ ଥିଲେ ବି ତାହାର ଦୀର୍ଘ ଲଢ଼େଇ ଜାରି ରଖିଛି। ଆଗାମୀ ନିର୍ବାଚନରେ ଦଳ ପ୍ରତି ନିର୍ବାଚନମଣ୍ଡଳୀରେ ଯୁବବର୍ଗଙ୍କୁ ପ୍ରାର୍ଥୀ କରିବ ବୋଲି ଶ୍ରୀ ରଥ ଘୋଷଣା କରିଥିଲେ। ସେନାର ପ୍ରାର୍ଥୀମାନେ ଲୋକଙ୍କ ନିକଟକୁ ଯାଇ ରାଜନୈତିକ ନେତାଙ୍କ ଅସଲ ମୁଖା ଖୋଲିବେ ବୋଲି ସେ କହିଥିଲେ। ସେନାର ସାଧାରଣ ସମ୍ପାଦକ ସବ୍ୟସାଚ୍ଚୀ ମହାପାତ୍ର ସ୍ବାଗତ ଭାଷଣ ଦେଇଥିଲା ବେଳେ ଜଗବନ୍ଧୁ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ସେନାର ଆନ୍ଦୋଳନ କମିଟି ଅଧ୍ୟକ୍ଷ ବିଜୟ ରାଜଙ୍କ ନେତୃତ୍ବରେ ଶତାଧିକ କଳିଙ୍ଗ ସୈନିକ ରେଳଷ୍ଟେସନ୍‌ରୁ ପିଏମ୍‌ଜି ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ଆସି ଶାହାରୁଖ୍ ଖାନ୍‌ଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ। ୧୮ ବର୍ଷ ତଳେ ଶାହାରୁଖ୍‌ ‘ଅଶୋକା’ ଚଳଚ୍ଚିତ୍ର ଜରିଆରେ ଓଡ଼ିଆଙ୍କୁ ଅପମାନିତ କରିଥିଲେ। କିନ୍ତୁ ତାଙ୍କୁ ହକି ବିଶ୍ବକପ୍‌ରେ ରାଜ୍ୟ ସରକାର ଅତିଥି କରିବାକୁ ସଙ୍କୋଚ ପ୍ରକାଶ କରୁ ନ ଥିବାରୁ ସେନା ପକ୍ଷରୁ ସମାଲୋଚନା କରାଯାଇଥିଲା।

ସମ୍ବନ୍ଧିତ ଖବର