ଭୁବନେଶ୍ବର : ଚଳିତ ସାଧାରଣ ନିର୍ବାଚନ ପାଇଁ କଳିଙ୍ଗ ସେନା ପକ୍ଷରୁ ନିର୍ବାଚନୀ ଇସ୍ତାହାର ଉନ୍ମୋଚିତ ହୋଇଯାଇଛି। ଉତ୍କଳ ସାମ୍ବାଦିକ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେନା ସୁପ୍ରିମୋ ହେମନ୍ତ ରଥ ଇସ୍ତାହାରକୁ ଉନ୍ମୋଚନ କରିଥିଲେ। ଏଥିରେ ରାଜ୍ୟର ଯୁବବର୍ଗ, ଓଡ଼ିଆ ଭାଷା, ଓଡ଼ିଆ ବ୍ୟବସାୟୀ, ୱାର୍ଡେମମ୍ବର, କୃଷକ ଓ ନାରୀ ସୁରକ୍ଷା ଉପରେ ଗୁରୁତ୍ବାରୋପ କରାଯାଇଛି। ଏଥିରେ କୁହାଯାଇଛି, ବିଭିନ୍ନ ଶିଳ୍ପ ସଂସ୍ଥା ଓ ଖଣି କମ୍ପାନି ଉପରେ ବିଭିନ୍ନ କର ବାବଦକୁ ବାକି ଥିବା ୮୫ ହଜାର କୋଟି ଟଙ୍କା ଆଦାୟ କରାଯାଇ ଓଡ଼ିଶାକୁ ଋଣମୁକ୍ତ କରାଯିବ। ଶିଳ୍ପ ମାଧ୍ୟମରେ ଆତ୍ମନିର୍ଭରଶୀଳ ହେବାକୁ ଚାହୁଁଥିବା ପ୍ରତ୍ୟେକ ଓଡ଼ିଆ ଯୁବକ, ଯୁବତୀ ଓ ମହିଳାଙ୍କୁ ୫ ଏକର ଜମି ଲିଜ୍ ସୂତ୍ରରେ ଯୋଗାଇ ଦିଆଯିବା ସହ କମ୍ ସୁଧ ହାରରେ ବ୍ୟାଙ୍କରୁ ଋଣ ପ୍ରଦାନ କରାଯିବ। କୃଷି ମାଧ୍ୟମରେ ଆତ୍ମନିର୍ଭରଶୀଳ ହେବାକୁ ଚାହୁଁଥିବା ଓଡ଼ିଆ ଯୁବକ, ଯୁବତୀଙ୍କୁ କୃଷି ଶିଳ୍ପାଞ୍ଚଳ ଗଠନ କରି ଜମି ଲିଜ୍ ଦିଆଯିବା ସହ ଅତ୍ୟାଧୁନିକ କୃଷି ଉପକରଣ ଯୋଗାଇ ଦିଆଯିବ। ଓଡ଼ିଶାରେ ଥିବା ବିଭିନ୍ନ ଖଣିଜ ସମ୍ପଦକୁ ଲିଜ୍ ସୂତ୍ରରେ ନେଇଥିବା ବଡ଼ ବଡ଼ କମ୍ପାନିଗୁଡ଼ିକର ଲିଜ୍ ବାତିଲ କରି ସରକାରଙ୍କ ମାଧ୍ୟମରେ ସ୍ଥାନୀୟ ଓଡ଼ିଆ ଯୁବକମାନଙ୍କୁ ଉକ୍ତ ଖଣିଗୁଡ଼ିକୁ ଭାଗ ଭାଗ କରି ଲିଜ୍ ସୂତ୍ରରେ ପ୍ରଦାନ କରାଯିବ। ୱାର୍ଡମେମ୍ବରମାନଙ୍କୁ ମାସିକ ଭତ୍ତା ୫ ହଜାର ଟଙ୍କା ଓ ବିଧାୟକମାନଙ୍କ ପରି ୱାର୍ଡମେମ୍ବରମାନଙ୍କୁ ୱାର୍ଡର ଉନ୍ନୟନ ପାଇଁ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ବଙ୍ଗୋପସାଗରର ନାମକରଣକୁ ପରିବର୍ତ୍ତନ କରି ପୁରାତନ ନାମ ‘କଳିଙ୍ଗସାଗର’ ନାମକରଣ କରାଯିବ। ଇସ୍ତାହାର ଉନ୍ମୋଚନ ଉତ୍ସବରେ କଳିଙ୍ଗ ସେନାର ସାଧାରଣ ସମ୍ପାଦକ ତଥା ପୁରୀ ଲୋକସଭା ପ୍ରାର୍ଥୀ ସବ୍ୟସାଚ୍ଚୀ ମହାପାତ୍ର, ଘଷିପୁରା ପ୍ରାର୍ଥୀ ଜଗବନ୍ଧୁ ମହାନ୍ତ, ବିଜୟ ରାଜ, ସୁଶାନ୍ତ ସାହୁ, ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ଭକ୍ତଶେଖର ରାୟ, ଏକାମ୍ର ବିଧାୟକ ପ୍ରାର୍ଥୀ ଦୀପ୍ତିମୟୀ ମହାପାତ୍ର, ମଧ୍ୟ ଭୁବନେଶ୍ବର ପ୍ରାର୍ଥୀ ସୁଭଦ୍ରା ମିଶ୍ର ଓ ଉତ୍ତର ଭୁବନେଶ୍ବର ପ୍ରାର୍ଥୀ ପ୍ରଦୀପ କୁମାର ସାହୁଙ୍କ ସେମତ ବହୁ ନେତା ଉପସ୍ଥିତ ଥିଲେ।
କଳିଙ୍ଗ ସେନାର ନିର୍ବାଚନ ଇସ୍ତାହାର ଉନ୍ମୋଚିତ
/sambad/media/post_attachments/wp-content/uploads/2019/04/kalinga.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)