ପ୍ରହରାଜ ଚାଲେଞ୍ଜ ସିଲ୍ଡ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ ହେଲା କଳିଙ୍ଗ ସ୍ପୋର୍ଟିଂ

ଖୋର୍ଦ୍ଧା: ଖୋର୍ଦ୍ଧା କ୍ରୀଡ଼ା ସଂସଦ ପକ୍ଷରୁ ସ୍ଥାନୀୟ ମିନି ଷ୍ଟାଡିୟମରେ ଚାଲିଥିବା ପ୍ରହରାଜ ଚାଲେଞ୍ଜ ସିଲ୍ଡ ଫୁଟବଲ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଅନ୍ତିମ ମ୍ୟାଚରେ କଟକର ମା’ ଭୂଆଶୁଣୀ ବିଡାନାସୀ କ୍ଲବକୁ ହରାଇ ଭୁବନେଶ୍ୱରର କଳିଙ୍ଗ ସ୍ପୋର୍ଟିଂ ଚଳିତବର୍ଷର ଚାମ୍ପିଅନ ହୋଇଛି। ଆଜିର ମ୍ୟାଚ ସମ୍ପୂର୍ଣ୍ଣ ଭାବେ ଅନିର୍ଣ୍ଣାୟକ ଥିଲା। ମ୍ୟାଚରେ ଉଭୟ ଭାଗରେ ଉଭୟ ଦଳର ଖେଳାଳୀ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ। ଖେଳ ଶେଷ ସୁଦ୍ଧା କେହି କାହାରି ବିପକ୍ଷରେ ଗୋଲ କରିବାରେ ସକ୍ଷମ ହୋଇ ପାରିନଥିଲେ। ଶେଷରେ ଟାଇବ୍ରେକରରେ ଭୁବନେଶ୍ୱର ଦଳ ୪-୩ରେ କଟକ ଦଳକୁ ପରାଜିତ କରିଥିଲା। ରେଫରୀ ଓ ଲାଇନ୍ସମ୍ୟାନ ଭାବେ ଅଶୋକ କୁମାର କଅଁର, ପ୍ରଫୁଲ୍ଲ କୁମାର ବେହେରା, ମନୋରଞ୍ଜନ ଖୁଣ୍ଟିଆ ଓ ଅବ୍ଦୁଲ ଅହମ୍ମଦ ମ୍ୟାଚ ପରିଚାଳନା କରିଥିଲେ।

ପୁରସ୍କାର ବିତରଣୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବେ କାଳୀଶଙ୍କର ରାଉତରାୟ, ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ଜ୍ୟୋତିପ୍ରକାଶ ମହାନ୍ତି, ଅନିଲ କୁମାର ସାହୁ, ହବିବ୍ ବକ୍ସ, ମହମ୍ମଦ ଖୁଦୁସ୍ ଓ ଡାନିଏଲ୍ ନାଏକ ପ୍ରମୁଖ ଯୋଗ ଦେଇଥିଲେ। ଅନୁଷ୍ଠାନର ସାଧାରଣ ସଂପାଦକ ଉପେନ୍ଦ୍ର ନାଥ ଦାସ ବିବରଣୀ ପାଠ କରିଥଲେ।

ସମ୍ବନ୍ଧିତ ଖବର