କଳିଙ୍ଗ ଷ୍ଟୁଡିଓ ଜାଗାକୁ ନେଇ ବିବାଦ

ଭୁବନେଶ୍ୱର : କଳିଙ୍ଗ ଷ୍ଟୁଡିଓର ଅବ୍ୟବହୃତ ଜାଗାରେ ସ୍ପୋର୍ଟସ୍‌ କମ୍ପ୍ଲେକ୍ସ ନିର୍ମାଣ ପାଇଁ କ୍ରୀଡ଼ା ବିଭାଗର ପ୍ରସ୍ତାବକୁ ନେଇ ବିବାଦ ସୃଷ୍ଟି ହୋଇଛି। ଦୁଇ ଦିନ ତଳେ ଏ ନେଇ କ୍ରୀଡ଼ା ବିଭାଗର ସଚିବ ସାଧାରଣ ପ୍ରଶାସନ ବିଭାଗକୁ ଚିଠି ଲେଖି ପ୍ରସ୍ତାବ ଦେଇଥିଲେ। ଏହା ଜଣାପଡ଼ିବା ପରେ ରାଜ୍ୟ ଚଳଚ୍ଚିତ୍ର ଜଗତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଓଡ଼ିଆ ଚଳଚ୍ଚିତ୍ର ଜଗତର ଅନେକ ସ୍ମୃତିକୁ ତୋଳି ଧରିଥିବା କଳିଙ୍ଗ ଷ୍ଟୁଡିଓ ୧୯୯୯ ବାତ୍ୟା ବେଳେ ଭାଙ୍ଗିରୁଜି ଯାଇଥିଲା। ତାହା ପରେ ଏହାର ପୁନରୁଦ୍ଧାର ପାଇଁ ସରକାର ବିଭିନ୍ନ ସମୟରେ ଅର୍ଥ ମଞ୍ଜୁର କରିଥିଲେ ବି କାମ ଆଗେଇ ପାରି ନ ଥିଲା। ବିଭିନ୍ନ ସମୟରେ ସରକାରଙ୍କ ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ହିଁ ରହିଯାଇଥିଲା। ଏବେ ଷ୍ଟୁଡିଓ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ୨୦ ବର୍ଷ ହେଲା ପୁନରୁଦ୍ଧାର ଅପେକ୍ଷାରେ ଥିବା ଏହି ଷ୍ଟୁଡିଓର ଜମିକୁ ଅନ୍ୟ ପ୍ରକଳ୍ପ ପାଇଁ ଦେବାର ପ୍ରସ୍ତାବକୁ ଗ୍ରହଣ କରିପାରି ନାହାନ୍ତି ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ଓ ଚଳଚ୍ଚିତ୍ର ପ୍ରେମୀମାନେ। ପ୍ରଯୋଜକଙ୍କ ଠାରୁ ଆରମ୍ଭ କରି ନିର୍ଦ୍ଦେଶକ, ଅଭିନେତା, ଅଭିନେତ୍ରୀ ସମସ୍ତେ ଏହି ପ୍ରସ୍ତାବକୁ ବିରୋଧ କରୁଛନ୍ତି।

ଆଜି ଏହି ପ୍ରସଙ୍ଗରେ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ଵିଟ୍‌ କରି ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, କଳିଙ୍ଗ ଷ୍ଟୁଡିଓ ସହ ରାଜ୍ୟର କଳାକାର ଓ କଳାପ୍ରେମୀମାନଙ୍କର ନିବିଡ଼ ଭାବାବେଗର ସମ୍ପର୍କ ରହିଛି। ମହାବାତ୍ୟା ପରେ ଭାଙ୍ଗିରୁଜି ଯାଇଥିବା ଏହି ଷ୍ଟୁଡିଓର ପୁନରୁଦ୍ଧାର ନ ହେଲେ ମଧ୍ୟ ଏହା ଓଡ଼ିଆ କଳାଜଗତ ପାଇଁ ଏକ ଆତ୍ମପରିଚୟର ଚିହ୍ନ ଭାବେ ରହିଆସିଛି। ତେଣୁ କଳାଜଗତ ପାଇଁ କଳିଙ୍ଗ ଷ୍ଟୁଡିଓକୁ ଆହୁରି ସୁନ୍ଦର କରି ଗଢ଼ି ତୋଳିବାର ଆବଶ୍ୟକତା ରହିଛି। ଏହି ଷ୍ଟୁଡିଓକୁ ନୂଆ ରୂପରେ ଓ ନୂଆ ଜ୍ଞାନକୌଶଳ ମାଧ୍ୟମରେ ଆଗାମୀ ଦିନରେ ଓଡ଼ିଆ କଳା ଜଗତର ପରିଚୟ ଭାବେ ଠିଆ କରିବା ପାଇଁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ସହ ବ୍ୟକ୍ତିଗତ ଭାବେ କଥା ହେବେ ବୋଲି କହିଛନ୍ତି ଶ୍ରୀ ପ୍ରଧାନ। ସେହିପରି ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇ ପ୍ରସ୍ତାବକୁ ବିରୋଧ କରାଯାଇଛି। ଅଭିନେତାରୁ ବିଜେପି ନେତା ପାଲଟିଥିବା କଳାକାରମାନେ ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ସେମାନେ କହିଛନ୍ତି, କ୍ରୀଡ଼ା ବିଭାଗ ପକ୍ଷରୁ ସାଧାରଣ ପ୍ରଶାସନ ବିଭାଗକୁ ଏ ନେଇ ଚିଠି ଲେଖାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହି ଚିଠିରେ ପୂରା ଓଡ଼ିଆ ଚଳଚ୍ଚିତ୍ର ଜଗତ ଚିନ୍ତିତ ହୋଇପଡ଼ିଛି।

କଳିଙ୍ଗ ଷ୍ଟୁଡିଓକୁ ପୁନରୁଦ୍ଧାର କରିବା ପରିବର୍ତ୍ତେ ସେହି ଜାଗାକୁ ବାଣ୍ଟିବାକୁ ପ୍ରୟାସ କରୁଛନ୍ତି। ରାଜ୍ୟ ସରକାର କଳିଙ୍ଗ ଷ୍ଟୁଡିଓକୁ ପୁନରୁଦ୍ଧାର କରିବେ ବୋଲି ବାରମ୍ବାର କଳାକାରମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ବି ତାହା ପାଳନ କରିନାହାନ୍ତି। ୨୨ ଏକର ଜମି ବିଶିଷ୍ଟ କଳିଙ୍ଗ ଷ୍ଟୁଡିଓରେ ଫିଲ୍ମ ନିର୍ମାଣ କରିବା ପାଇଁ ସ୍ଥାନ ଯଥେଷ୍ଟ ନୁହେଁ। ତେଣୁ ପରିସୀମା ବୃଦ୍ଧି କରିବା ବଦଳରେ ଷ୍ଟୁଡିଓର ଜାଗାକୁ ଅନ୍ୟ କାମ ପାଇଁ ବ୍ୟବହାର କରିବାକୁ ଦେବା ଦୁର୍ଭାଗ୍ୟର ବିଷୟ। ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ମିହିର ଦାସ, ଅପରାଜିତା ମହାନ୍ତି, ଶ୍ରୀତମ ଦାସ, ପିଙ୍କି ପ୍ରଧାନ, ଅନୁ ଚୌଧୁରୀ ଓ ପଞ୍ଚାନନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ବିଜେପିର ପ୍ରତିକ୍ରିୟା ଉପରେ ଶାସକ ବିଜୁ ଜନତା ଦଳ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ। ତେବେ ଏହି ପ୍ରସ୍ତାବ ଦେଇଥିବା କ୍ରୀଡ଼ା ସଚିବ ବିଶାଲ ଦେବ ଆଜି ଗଣମାଧ୍ୟମରେ ନିଜ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଦୀର୍ଘ ଦିନ ଅବ୍ୟବହୃତ ଅବସ୍ଥାରେ ଥିବା କଳିଙ୍ଗ ଷ୍ଟୁଡିଓର କିଛି ଜାଗାକୁ ସ୍ପୋର୍ଟସ୍‌ କମ୍ପ୍ଲେକ୍ସ ପାଇଁ ଦେବାକୁ ଆମେ ସାଧାରଣ ପ୍ରଶାସନ ବିଭାଗକୁ କେବଳ ପ୍ରସ୍ତାବ ଦେଇଛୁ। ଏହା ପ୍ରାଥମିକ ସ୍ତରରେ ରହିଛି। ଏ ନେଇ ସରକାର କୌଣସି ନିଷ୍ପତ୍ତି ନେଇନାହାନ୍ତି। ତେଣୁ ଏକ ପ୍ରସ୍ତାବକୁ ନେଇ ଅଯଥା ବିବାଦ କରାଯାଉଛି ବୋଲି ସଚିବ କହିଛନ୍ତି।

ସମ୍ବନ୍ଧିତ ଖବର