କଳିଙ୍ଗ ଷ୍ଟୁଡିଓର ପୁନରୁଦ୍ଧାର ଓ ନବୀକରଣ କାର୍ଯ୍ୟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟ ଚଳଚ୍ଚିତ୍ର ନିଗମ ପରିଚାଳିତ  କଳିଙ୍ଗ ଷ୍ଟୁଡିଓର ହେବ ନବକଳେବର। ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିବା କଳିଙ୍ଗ ଷ୍ଟୁଡିଓର ପୁନରୁଦ୍ଧାର କରାଯିବ । କଳିଙ୍ଗ ଷ୍ଟୁଡିଓ ପରିସରରେ ପହଞ୍ଚି  ଏହାର ପୁନରୁଦ୍ଧାର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ସହ ନବୀକରଣ କାର୍ଯ୍ୟ ପାଇଁ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳିଙ୍ଗ ଷ୍ଟୁଡିଓକୁ ବିଶ୍ୱସ୍ତରୀୟ ଫିଲ୍ମ ଷ୍ଟୁଡିଓ ଭାବେ ଗଢି ତୋଳିବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର ଓ ଏଥିଲାଗି ୨ ଶହ କୋଟି ଟଙ୍କା ମଞ୍ଜୁର କରିଛନ୍ତି ରାଜ୍ୟ ସରକାର ।

ଏହି ଶିଳାନ୍ୟାସ ଉତ୍ସବରେ ଶକ୍ତି ଓ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମେତ ଓଡ଼ିଶା ଫିଲ୍ମ ଉନ୍ନୟନ ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ, ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର,  ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି, ସବ୍ୟସାଚୀ ମିଶ୍ର ଓ ଆକାଶ ଦାସ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ପୂର୍ବରୁ ରାଜ୍ୟର ଅଧିକାଂଶ ଫିଲ୍ମ କଳିଙ୍ଗ ଷ୍ଟୁଡିଓରେ ସୁଟିଂ ହେଉଥିଲା । ଫିଲ୍ମ ନିର୍ମାଣ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ରହିଥିବାରୁ ବାହାର ରାଜ୍ୟକୁ କିମ୍ବା ବିଦେଶ ଯିବାକୁ ପଡୁ ନଥିଲା । କିନ୍ତୁ ୧୯୯୯ ମସିହା ମହାବାତ୍ୟା କଳିଙ୍ଗ ଷ୍ଟୁଡିଓକୁ ଛାରଖାର କରି ଦେଇଥିଲା । ଭୁଷୁଡି ପଡିଥିଲା କଳିଙ୍ଗ ଷ୍ଟୁଡିଓର ଭିତ୍ତିଭୂମି । ଫିଲ୍ମ ସୁଟିଂ ପାଇଁ ସେଭଳି ଆଉ ପରିବେଶ ନଥିଲା । ବଣ ବୁଦା ଚାରି ଆଡକୁ ମାଡିଯିବା ସହ ଷ୍ଟୁଡିଓ ଭିତରେ ଆଡ୍ଡା ଜମାଇଲେ ଗାଇ ଗୋରୁ । କିନ୍ତୁ ଏବେ ପୁଣିଥରେ କଳିଙ୍ଗ ଷ୍ଟୁଡିଓ ଜୀବନ୍ୟାସ ପାଇବାକୁ ଯାଉଛି । ଆଉ ଏହାକୁ ନୂଆ ଜୀବନ ଦେବା ନବୀନ ଉଠାଇଛନ୍ତି ବଡ଼ ପଦକ୍ଷେପ, ଯାହାକୁ ସିନେ କଳାକାର ପ୍ରଂଶସା କରିଛନ୍ତି ।

ସମ୍ବନ୍ଧିତ ଖବର