ଭୁବନେଶ୍ବର: ଭାରତୀୟ ହକି ପାଇଁ କଳିଙ୍ଗ ଷ୍ଟାଡିୟମ୍ ପୁଣି ଥରେ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଛି। ଆଜି ସନ୍ଧ୍ୟାରେ ଏହିଠାରୁ ହିଁ ଭାରତୀୟ ମହିଳା ଓ ପୁରୁଷ ହକି ଦଳ ଆସନ୍ତା ବର୍ଷର ଟୋକିଓ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ଅର୍ଜନ କରି ନେଇଛନ୍ତି। ଏଥିସହ ଭାରତୀୟ ହକି ଇତିହାସରେ ନୂଆ ଫର୍ଦ ଯୋଡ଼ି ହୋଇ ଯାଇଛି। ଏହି ଯୋଗ୍ୟତା ଅର୍ଜନ ଫଳରେ ଭାରତୀୟ ପୁରୁଷ ହକି ଦଳ ୨୦ତମ ଏବ˚ ମହିଳା ଦଳ ତୃତୀୟ ଥର ପାଇଁ ଅଲିମ୍ପିକ୍ସ ଖେଳିବା ପଥ ପରିଷ୍କାର ହୋଇଛି। ଶନିବାର ଭାରତୀୟ ପୁରୁଷ ଦଳ ରୁଷିଆକୁ ୧୧-୩ ( ପ୍ରଥମ ମ୍ୟାଚ୍ ୪-୨, ଦ୍ବିତୀୟ ୭-୧) ଏବ˚ ମହିଳା ଦଳ ଆମେରିକାକୁ ୬-୫ (ପ୍ରଥମ ମ୍ୟାଚ୍ ୫-୧, ଦ୍ବିତୀୟ ୧-୪) ଗୋଲ୍ ବ୍ୟବଧାନରେ ପଛରେ ପକାଇ ଅଲିମ୍ପିକ୍ସ ୨୦୨୦ ଲାଗି ସ୍ଥାନ ପକ୍କା କରି ନେଇଥିଲେ। ୧୯୮୦ ଏବ˚ ୨୦୧୬ ପରେ ୨୦୨୦ରେ ଭାରତୀୟ ପୁରୁଷ ଓ ମହିଳା ହକି ଦଳକୁ ତୃତୀୟ ଥର ପାଇଁ ଏକାଠି ଅଲିମ୍ପିକ୍ସ ଖେଳୁଥିବାର ଦେଖିବାକୁ ମିଳିବ। ଦୁଇ ଦିନରେ ଲଗାତାର ଦୁଇଟି ମ୍ୟାଚ୍ ଖେଳା ଯାଇଥିବା ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟର ଶୁକ୍ରବାର ଖେଳିଥିବା ପ୍ରଥମ ମୁକାବିଲାରେ ଭାରତୀୟ ପୁରୁଷ ଦଳ ରୁଷିଆକୁ ୪-୨ ଗୋଲ୍ରେ ପରାସ୍ତ କରିଥିଲା। ଶନିବାର ଦ୍ବିତୀୟ ତଥା ଶେଷ ମ୍ୟାଚ୍ରେ ଭାରତ ଆହୁରି ଅଧିକ ପରାକ୍ରମ ଦେଖାଇ ରୁଷିଆକୁ ୭-୧ ଗୋଲ୍ର ବୃହତ୍ ବ୍ୟବଧାନରେ ହରାଇଥିଲା। ଫଳରେ ଲଗାତାର ଦ୍ବିତୀୟ ବିଜୟ ସହ ଟୋକିଓ ଅଲିମ୍ପିକ୍ସ ପାଇଁ ସହଜରେ ଯୋଗ୍ୟତା ଅର୍ଜନ କରିଥିଲା। ଦୁଇ ଦିନର ଫଳାଫଳକୁ ମିଶାଇ ଭାରତୀୟ ପୁରୁଷ ଦଳ ୮ ଗୋଲ୍ରେ ଆଗୁଆ ରହିଥିଲା।
ସେପଟେ ମହିଳା ଦଳ ପାଇଁ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିବା ସେତେଟା ସହଜ ହୋଇ ନ ଥିଲା। ଶୁକ୍ରବାର ପ୍ରଥମ ମୁକାବିଲାରେ ଭାରତୀୟ ମହିଳା ୫-୧ ଗୋଲ୍ର ବୃହତ୍ ବ୍ୟବଧାନରେ ଆମେରିକାକୁ ପରାସ୍ତ କରିଥିଲା। ଶନିବାର କିନ୍ତୁ ଆମେରିକା ନାଟକୀୟ ପ୍ରତ୍ୟାବର୍ତନ କରିଥିଲା। ପ୍ରଥମାର୍ଧ ସୁଦ୍ଧା ୪-୦ରେ ଆଗୁଆ ଥିବା ଆମେରିକା ଶେଷ କ୍ବାର୍ଟରରେ ଗୋଟିଏ ଗୋଲ୍ ପାଇଁ ଅଲିମ୍ପିକ୍ସ ଟିକେଟ ହାସଲରୁ ବଞ୍ଚିତ ହୋଇଥିଲା। ଆମେରିକା ଆଜିର ମ୍ୟାଚକୁ ୪-୧ ଗୋଲ୍ରେ ଜିତିବା ସତ୍ତ୍ବେ ଦୁଇ ଦିନର ସ୍କୋରକୁ ମିଶାଇ ଭାରତଠାରୁ ଗୋଟିଏ ଗୋଲ୍ ପଛରେ ରହିଥିଲା। ଭାରତ ଦୁଇଟି ମ୍ୟାଚ୍ରେ ୬ (ପ୍ରଥମ ମ୍ୟାଚରେ ୫, ଦ୍ବିତୀୟରେ ୧) ଗୋଲ୍ ଦେଇଥିଲା ବେଳେ ଆମେରିକା ୫ (ପ୍ରଥମରେ ୧, ଦ୍ବିତୀୟରେ ୪) ଗୋଲ୍ ଦେବାକୁ ସକ୍ଷମ ହୋଇଥିଲା। ଭାରତୀୟ ପୁରୁଷ ଦଳରେ ସ୍ଥାନୀୟ ଖେଳାଳି ଅମିତ ରୋହିଦାସ ଏବ˚ ବୀରେନ୍ଦ୍ର ଲାକ୍ରା ଥିଲେ। ଅନ୍ୟପକ୍ଷରେ ମହିଳା ଦଳରେ ନମିତା ଟପ୍ପୋ, ଲିଲିମା ମିଞ୍ଜ, ଦୀପଗ୍ରେସ୍ ଏକ୍କା ସ୍ଥାନ ପାଇଥିଲେ। ଏମାନେ ସମସ୍ତେ ଅଲିମ୍ପିକ୍ସ ଯୋଗ୍ୟତାରେ ନିଜ ନିଜ ଦାୟିତ୍ବ ଭଲ ଭାବରେ ତୁଲାଇଥିଲେ। ଯାହା ସ୍ଥାନୀୟ ଦର୍ଶକ ଏବ˚ ହକି ପ୍ରେମୀଙ୍କ ଖୁସିକୁ ଦ୍ବିଗୁଣିତ କରିଥିଲା।