ଭଞ୍ଜନଗର/ବ୍ରହ୍ମପୁର : ବସ୍‌ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ନଥିଲା। କ୍ଷମତାଠାରୁ ଅଧିକ ସଂଖ୍ୟାରେ ଯାତ୍ରୀ ଥିଲେ। ଅନ୍ତଃରାଜ୍ୟ ପ୍ରବେଶ ପଥରେ ବି ଯାଞ୍ଚ ହୋଇନଥିଲା। ଶେଷରେ, ବ୍ରେକ୍‌ଫେଲ୍‌ ଯୋଗୁ ଦୁର୍ଘଟଣା ଘଟିଲା। ଯେଉଁଥିପାଇଁ କଳିଙ୍ଗା ଘାଟିରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୪୦ରୁ ଅଧିକ ଆହତ ହୋଇଥିଲେ। ତଦନ୍ତକାରୀ ଟିମ୍‌ ଏହିଭଳି ଏକ ତଥ୍ୟ ସଂଗ୍ରହ କରିଛି। ଏହାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ବହୀନତା ବି ପଦାରେ ପଡ଼ିଛି।

Advertisment

ରାଜ୍ୟ ପରିବହନ ବିଭାଗ ଟିମ୍‌ ତଦନ୍ତ
ଏମ୍‌କେସିଜିରେ ପଶ୍ଚିମବଙ୍ଗ ସରକାରଙ୍କ ୪ ଜଣିଆ ଟିମ୍‌

publive-image

ଗତ ୨୪ ତାରିଖରେ ବିଳମ୍ବିତ ରାତିରେ ଗଞ୍ଜାମ-କନ୍ଧମାଳ ସୀମାନ୍ତ ଭଞ୍ଜନଗର ଥାନା ଅଧୀନ ଦୁର୍ଗାପ୍ରସାଦ ଘାଟିରେ ଏହି ଦୁର୍ଘଟଣା ଘଟିଥିଲା। ଏହି ମର୍ମନ୍ତୁଦ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର। ଏହିକ୍ରମରେ ରାଜ୍ୟ ସଡ଼କ ଓ ପରିବହନ ପ୍ରାଧିକରଣ ବିଭାଗର ଟିମ୍‌ ଦୁର୍ଘଟଣାସ୍ଥଳକୁ ଆସି ତନ୍ନତନ୍ନ ଯାଞ୍ଚ କରିଥିଲେ। କଟକ ଏସ୍‌ଟିଏର ରୋଡ୍ ସେଫ୍ଟି ଏକ୍ସପର୍ଟ ଉମେଶ ସଙ୍ଗୁଆନ୍‌ଙ୍କ ନେତୃତ୍ବରେ ଦୀପକ ପଣ୍ଡା, ସରୋଜ କୁମାର ନାୟକ, ଭଞ୍ଜନଗର ଆରଟିଓ ଭାଗୀରଥି ନାୟକ ଏବଂ ଏମ୍‌ଭିଆଇ ନେତ୍ରାନନ୍ଦ ମିଶ୍ର ପ୍ରମୁଖ ଘଟଣାସ୍ଥଳକୁ ଆସି ଯାଞ୍ଚ୍ କରିଥିଲେ। ଏହାପୂର୍ବରୁ କନ୍ଧମାଳ ଆର୍‌ଟିଓ ଘାଟିରେ ଦେଖାଦେଉଥିବା ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ। ବସ୍‌ର ବେଗ ସହିତ ପାରିପାର୍ଶ୍ବିକ ସ୍ଥିତି ଆଦି ସଂପର୍କ‌ରେ ତଥ୍ୟ ସଂଗ୍ରହ କରିଥିଲେ। ଏଥିସହ ଥାନାରୁ ବସ୍‌ର ସମସ୍ତ ଆନୁଷଙ୍ଗିକ କାଗଜପତ୍ର ସଂଗ୍ରହ କରିଥିଲେ।
ଏହି ଟିମ୍ ମଧ୍ୟ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ବସ୍‌ଟି ଓଲଟିବା ଆଗରୁ ଦ୍ରୁତ ଗତିରେ ଆସି ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇଥିଲା। ୫୦ ମିଟର ଦୂର ଘୋଷାଡ଼ି ହୋଇ ଯିବା ପରେ ଓଲଟି ପଡ଼ିଥିବା ଜାଣିବାକୁ ଟିମ୍ ଜାଣିବାକୁ ପାଇଥିଲେ।

ଅନ୍ୟପକ୍ଷରେ, ଏମ୍‌କେସିଜିରେ ଚିକିତ୍ସାଧୀନ ଗୁରୁତରଙ୍କୁ ପଶ୍ଚିମବଙ୍ଗ ସରକାରଙ୍କ ପ୍ରତିନିଧି ଦଳ ସାକ୍ଷାତ କରି ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ।