ଚାଷୀଙ୍କୁ ଓୟୁଏଟିର ନୂଆବର୍ଷ ଭେଟି: ୫ଟି ଫସଲ ପାଇଁ କଳିଙ୍ଗ ଭେରାଇଟି ବିହନ ଉନ୍ମୋଚିତ

କେନ୍ଦ୍ର ସରକାରଙ୍କ ଅନୁମୋଦନକୁ ଅପେକ୍ଷା

ଭୁବନେଶ୍ବର : ଉତ୍ପାଦନ ବୃଦ୍ଧି ଲକ୍ଷ୍ୟରେ ରାଜ୍ୟର ୫ଟି ଫସଲ ଧାନ, ଆଖୁ, ରାଶି, ଚିନାବାଦାମ ଏବଂ ସୁଆଁର ପାଇଁ କଳିଙ୍ଗ ଭେରାଇଟିର ନୂଆ କିସମ ବିହନ ଭେଟି ଦେଇଛି ଓୟୁଏଟି। ଏ ସଂକ୍ରାନ୍ତରେ ଆବଶ୍ୟକ ବିଧି ବ୍ୟବସ୍ଥା ପୂରଣ ପରେ ଖୁବ୍‌ଶୀଘ୍ର ଚାଷୀଙ୍କ ବ୍ୟବହାରରେ ଆସିପାରିବ ବୋଲି କହିଛନ୍ତି ଓୟୁଏଟି ରିସର୍ଚ୍ଚ ଡିନ୍‌ ଏସ୍‌. ସାହୁ। ଶ୍ରୀ ସାହୁ କହିଛନ୍ତି, ପ୍ରଥମଥର ପାଇଁ ଏକସଙ୍ଗେ ଏତେପ୍ରକାର ବିହନ ଉନ୍ମୋଚିତ ହୋଇଛି। ଏଥିମଧ୍ୟରୁ ଆଖୁ ପାଇଁ ଉନ୍ମୋଚିତ କଳିଙ୍ଗ ଆଖୁ-୩୪୬ ସର୍ବାଧିକ ଅମଳକ୍ଷମ। ସାଧାରଣ ଆଖୁ ବିହନ ୧୨ମାସରେ ହେକ୍ଟର୍‌ ପିଛା ୧୦୫ଟନ୍‌ ଉତ୍ପାଦନ ଦେଇଥାଏ। କଳିଙ୍ଗ ଆଖୁ-୩୪୬, ୧୦ ମାସରେ ଅମଳକ୍ଷମ ହେବା ସହ ହେକ୍ଟର୍‌ ପିଛା ୧୧୨ଟନ୍‌ ଉତ୍ପାଦନ ହୋଇପାରିବ।

Free Press Journal

ଧାନ ପାଇଁ କଳିଙ୍ଗ ଧାନ ୧୨୦୪, ୧୨୦୫, ୧୪୦୧, ୧୫୦୧ ଏବଂ ୧୫୦୨ ଉନ୍ମୋଚିତ ହୋଇଛି। ୧୨୦୪ ଚାରିମାସିଆ ମଧ୍ୟମ କିସମ ଧାନ। ସାଧାରଣ ବିହନରେ ହେକ୍ଟର ପିଛା ୪୦ରୁ ୫୦ କ୍ବିଣ୍ଟାଲ ଧାନ ଉତ୍ପାଦନ ହୋଇଥାଏ। କଳିଙ୍ଗ ବିହନର ଏହି ଦୁଇ କିସମରେ ୬୦କ୍ବିଣ୍ଟାଲ ପର୍ଯ୍ୟନ୍ତ ଉତ୍ପାଦନ ହୋଇପାରିବ। ୧୪୦୧ ମଧ୍ୟମ କିସମର ଏବଂ ୧୪୦-୧୪୫ ଦିନ ମଧ୍ୟରେ ଅମଳକ୍ଷମ ହୋଇପାରିବ। ସ୍ବର୍ଣ୍ଣ ଧାନର ବିକଳ୍ପ ଭାବେ ଏହାର ବ୍ୟବହାର କରାଯାଇପାରିବ। ୧୫୦୧ ଏବଂ ୧୫୦୨ ଖାଲ, ଢିପ ଜମିରେ ବ୍ୟବହାର କରାଯାଇପାରିବ।

ରାଶି ପାଇଁ ଆସୁଥିବା ଏହି ନୂଆ ପ୍ରକାର ବିହନ ୩-୧ କ୍ରିମ୍‌ ରଙ୍ଗର। ୮୦ରୁ ୮୫ଦିନରେ ଏହା ଅମଳକ୍ଷମ ହେବ। ହେକ୍ଟର୍‌ ପିଛା ୬ କ୍ବିଣ୍ଟାଲ ଉତ୍ପାଦିତ ହୋଇପାରିବ। ଚିନାବାଦାମ ପାଇଁ ଉନ୍ମୋଚିତ କଳିଙ୍ଗ ଚିନାବାଦାମ ୧୦୧ ବିହନ ୧୨୫ରୁ ୧୩୦ ଦିନ ମଧ୍ୟରେ ଉତ୍ପାଦିତ ହେବ। ଏହା ଖରିଫରେ ହେକ୍ଟର୍‌ ପିଛା ୧୮.୫ କ୍ବିଣ୍ଟାଲ ଏବଂ ରବିରେ ୨୨.୩୪ କ୍ବିଣ୍ଟାଲ ଚିନାବାଦାମ ଦେଇ ପାରିବ। ସାଧାରଣ ଚିନାବାଦାମ ବିହନ ହେକ୍ଟର୍‌ ପିଛା ୧୫.୨୦ କ୍ବିଣ୍ଟାଲ ଉତ୍ପାଦନ ହୋଇଥାଏ। ସୁଆଁର ପାଇଁ ଉନ୍ମୋଚିତ କଳିଙ୍ଗ ସୁଆଁର ୨୧୭ ଚାଷୀଙ୍କ ପାଇଁ ବେଶ୍‌ ଉପଯୋଗୀ ହୋଇପାରିବ।
ଡିନ୍‌ ଶ୍ରୀ ସାହୁଙ୍କ କହିବାନୁସାରେ, ବର୍ତ୍ତମାନ ଯେଉଁଭଳି ଭାବେ ଜଳବାୟୁ ପରିବର୍ତ୍ତନ ହେଉଛି, ପ୍ରତି ୧୦ ବର୍ଷରେ ଥରେ ନୂଆପ୍ରକାର ବିହନ ବଜାରକୁ ଆସିବା ଉଚିତ। ନଚେତ ରୋଗ, ପୋକ ଲାଗିବା ସହ ମରୁଡ଼ି ଏବଂ ବର୍ଷାରେ ଚାଷୀ କ୍ଷତିଗ୍ରସ୍ତ ହେବେ। ଉପରୋକ୍ତ ନୂତନ ବିହନ କିସମ ଉଦ୍ଭାବନ ପାଇଁ ୫ରୁ ୬ବର୍ଷ ପର୍ଯ୍ୟନ୍ତ ଗବେଷଣା କରାଯାଇଛି। ଏକ ବର୍ଷ ନିଜ ରାଜ୍ୟ ଏବଂ ପରବର୍ତ୍ତୀ ସମୟରେ ଟ୍ରାଏଲ ପାଇଁ ଅନ୍ୟ ରାଜ୍ୟକୁ ପଠାଯାଇଛି। ଏହି ବିହନ ଜରିଆରେ ଉତ୍ପାଦନ ବଢ଼ିବା ସହ ଖର୍ଚ ମଧ୍ୟ ବଢ଼ିବ।

The Hans India

ମିଲେଟ୍‌ ମିସନ୍‌ରେ ଲାଗିବ ଅର୍ଜୁନ ଏବଂ କାଳୁଆ
ମିଲେଟ ମିସନ୍‌ରେ ଲାଗିବ ମାଣ୍ଡିଆ ପାଇଁ ଓୟୁଏଟି ଉଦ୍ଭାବନ କରିଥିବା ଅର୍ଜୁନ ଏବଂ କାଳୁଆ। ଓୟୁଏଟିର ସୂଚନା ଅନୁସାରେ, ପାରମ୍ପରିକ ସ୍ଥାନୀୟ ବିହନରୁ ୮ରୁ୧୦ କ୍ବିଣ୍ଟାଲ ମାଣ୍ଡିଆ ଉତ୍ପାଦିତ ହୋଇପାରୁଛି। ଅର୍ଜୁନ ଜରିଆରେ ୨୫କ୍ବିଣ୍ଟାଲ ଏବଂ କାଳୁଆ ଜରିଆରେ ୧୮କ୍ବିଣ୍ଟାଲ ମାଣ୍ଡିଆ ଉତ୍ପାଦିତ ହୋଇପାରିବ। ତେଣୁ ରାଜ୍ୟ ସରକାରଙ୍କ ମିଲେଟ୍‌ ମିସନ୍‌ରେ ଏହାକୁ ସାମିଲ କରିବା ପାଇଁ ଆଗ୍ରହ ପ୍ରକାଶ କରାଯାଇଛି।

ସୂଚନା ଅନୁଯାୟୀ, ରାଜ୍ୟରେ ୧.୫ଲକ୍ଷ ହେକ୍ଟର ଜମିରେ ମିଲେଟ୍‌ ଚାଷ ହେଉଛି। ମିଲେଟ୍‌ ମିସନ୍‌ରେ ୬୩ହଜାର ହେକ୍ଟର୍‌ରେ ଏହି ଚାଷ କରାଯାଉଛି। ଗଞ୍ଜାମ, ଗଜପତି, କୋରାପୁଟ, ନବରଙ୍ଗପୁର, କନ୍ଧମାଳ ଏବଂ ରାୟଗଡ଼ା‌ରେ ମିଲେଟ୍‌ ଚାଷ ଭଲ ହୁଏ। ଓୟୁଏଟି ପକ୍ଷରୁ ଅର୍ଜୁନକୁ ୨୦୧୫ମସିହା ଏବଂ କାଳୁଆକୁ ୨୦୨୦ ମସିହାରେ ଉଦ୍ଭାବନ କରାଯାଇଥିଲା। କିଛି ଚାଷୀ ଓୟୁଏଟିରୁ ଏହାକୁ ନେଇ ବ୍ୟବହାର କରୁଥିଲେ। ସରକାରଙ୍କ ଯୋଜନାରେ ସାମିଲ କରାଯାଇନଥିଲା।

ସମ୍ବନ୍ଧିତ ଖବର