ଓଡ଼ିଶାର ପାଣି, ଆନ୍ଧ୍ର ନେଉଛି ଛାଣି; କଳିଙ୍ଗଦଳା ପ୍ରକଳ୍ପ ନିର୍ମାଣ ବେଳର ଚୁକ୍ତି ଭୁଲିଗଲା

ପାତ୍ରପୁର : ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ସୀମାନ୍ତରେ ପୁଣି ଆନ୍ଧ୍ରର ଦାଦାଗିରି ସାମ୍ନାକୁ ଆସିଛି। ଓଡ଼ିଶା ସରକାରଙ୍କ ଦ୍ବାରା ଗୁଡ଼ିଖଳା ତଳିଆ ଜାଗାରେ ପ୍ରଦତ୍ତ ପ୍ରାୟ ୪ ଶହ ଏକର ଜମିରେ ଆନ୍ଧ୍ରପ୍ରଦେଶ ସରକାର କଳିଙ୍ଗଦଳା‌ ପ୍ରକଳ୍ପ ନିର୍ମାଣ କରିଥିଲେ। ଆଉ ଉଭୟ ରାଜ୍ୟ ମଧ୍ୟରେ ସ୍ବାକ୍ଷରିତ ଚୁକ୍ତି ଅନୁସାରେ, ଏହି ପ୍ରକଳ୍ପର ପାଣିକୁ ଆନ୍ଧ୍ର ନିଜର ଜମିକୁ ଛାଡ଼ିବ। ଏହା ବଦଳରେ ସୀମାନ୍ତ ଗ୍ରାମରେ ରାସ୍ତା, ପାଣି, ଶିକ୍ଷା ଓ ସ୍ବାସ୍ଥ୍ୟସେବା ସମେତ ସମସ୍ତ ମୌଳିକ ସୁବିଧା ଯୋଗାଇଦେବ। ହେଲେ ଦୁଃଖର କଥା ହେଲା, କଳିଙ୍ଗଦଳା ପ୍ରକଳ୍ପ ନିର୍ମାଣ କରି ଆନ୍ଧ୍ର ସରକାର ନିଜ ରାଜ୍ୟରେ ସୁନା ଫଳାଉଥିବା ବେଳେ ଚୁକ୍ତିର ସର୍ତ୍ତାବଳୀକୁ ଭୁଲିଯାଇଛନ୍ତି। ଫଳରେ ସୀମାନ୍ତ ଇଲାକାରେ ରହୁଥିବା ବହୁ ଆଦିବାସୀ ନା ଓଡ଼ିଶା ନା ଆନ୍ଧ୍ର ସରକାର, କା‌ହା ଦ୍ବାରା ବି ଉପକୃତ ହୋଇପାରୁନାହାନ୍ତି।

ଓଡ଼ିଶା ଓ ଆନ୍ଧ୍ର ସୀମାନ୍ତ ପାତ୍ରପୁର ବ୍ଲକ୍ ମହେନ୍ଦ୍ରଗିରି ପାଦଦେଶରେ ଅନେକ ଗ୍ରାମ ରହିଛି। ସେହିପରି ବୁରାତାଲ୍‌ ପଞ୍ଚାୟତର ୧୨ ଓ ତୁମ୍ବା ପଞ୍ଚାୟତର ୯ଟି ଆଦିବାସୀଅଧ୍ୟୁଷିତ ଗ୍ରାମ ଆନ୍ଧ୍ର ସୀମାନ୍ତରେ ଅବସ୍ଥିତ। ମିଳିଥିବା ସୂଚନାନୁସାରେ, ୧୯୯୦ରୁ ୧୯୯୫ ମସିହା ମଧ୍ୟରେ ଆନ୍ଧ୍ର ସରକାର ବୁରାତାଲ ପଞ୍ଚାୟତ ଅଧୀନ ଗୁଡ଼ିଖଳା ନିକଟରେ କଳିଙ୍ଗଦଳା ପ୍ରକଳ୍ପ ନିର୍ମାଣ କରିବା ପାଇଁ ଓଡ଼ିଶା ସରକାରଙ୍କ ସହ ଚୁକ୍ତି ସ୍ବାକ୍ଷରିତ କରିଥିଲେ। ଜନତା ମୈଦାନରେ ତତ୍କଳୀନ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌.ଟି.ରାମାରାଓ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ରାଜ୍ୟ ସରକାର ଆନ୍ଧ୍ରପ୍ରଦେଶକୁ ଗୁଡ଼ିଖଳା ନିକଟ ତଳିଆଜାଗାରେ ଏହି ପ୍ରକଳ୍ପ ନିର୍ମାଣ ପାଇଁ ପ୍ରାୟ ୪୦୦ ଏକର ଜମି ଯୋଗାଇଦେଇଥିଲେ।

ତେବେ ଏହାମଧ୍ୟରେ ପ୍ରକଳ୍ପ ନିର୍ମାଣକୁ ପାଖାପାଖି ୨୬ ବର୍ଷରେ ବିତିସାରିଛି। କିନ୍ତୁ ଚୁକ୍ତିନାମାର ସର୍ତ୍ତକୁ ଖୋଲାଖୋଲି ଉଲ୍ଲଂଘନ କରାଯାଇଛି। ଓଡ଼ିଶାର ଜାଗାରେ ଆନ୍ଧ୍ରପ୍ରଦେଶ ପ୍ରକଳ୍ପ ନିର୍ମାଣ କରି ଫାଇଦା ନେଉଛି। ଆଉ ଜମିକୁ ବି ଜଳସେଚିତ କରୁଛି। କିନ୍ତୁ ସର୍ତ୍ତାନୁସାରେ, ସୀମାନ୍ତ ଗ୍ରାମ ଗୁଡ଼ିକରେ ଆନୁଷଙ୍ଗିକ ବିକାଶ ଲାଗି କୌଣସି ପଦ‌କ୍ଷେପ ନିଆଯାଉନି। ଖାଲି ଏତିକି ନୁହେଁ, ସେତେବେଳେ ଏକ ସର୍ବନିମ୍ନ ସେସ୍ ରଖାଯାଇଥିଲା। ତାହା ମଧ୍ୟ ଆଜିପର୍ଯ୍ୟନ୍ତ ଆନ୍ଧ୍ର ସରକାର ଓଡ଼ିଶାକୁ ଯୋଗାଇନାହାନ୍ତି। ସୀମାନ୍ତ ଆଦିବାସୀ ପାଣିଠୁ ଆରମ୍ଭ କରି ଶିକ୍ଷା, ସ୍ବାସ୍ଥ୍ୟ ସବୁ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। ସେମାନେ କାହାକୁ ଗୁହାରି କରିବେ, ଏନେଇ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ଗତ ସପ୍ତାହରେ ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ବେଳେ ବାହୁଦା ନଦୀର ପ୍ରସଙ୍ଗ ସ୍ଥାନିତ ହୋଇଥିଲା। କିନ୍ତୁ କଳିଙ୍ଗଦଳା ପ୍ରକଳ୍ପ ନିର୍ମାଣର ଚୁକ୍ତିକୁ ଆନ୍ଧ୍ର ସରକାର ଭୁଲିଯିବା ପରିତାପର ବିଷୟ ବୋଲି ମତପ୍ରକାଶ ପାଇଛି। ସେହିପରି ଦୁଇ ରାଜ୍ୟର ସରକାର ମହେନ୍ଦ୍ରତନୟା ନଦୀ ଉପରେ ସେତୁ ନିର୍ମାଣ କରୁ ନଥିବାରୁ ଆଦିବାସୀ ସମସ୍ୟା ଭୋଗୁଛନ୍ତି।

ସମ୍ବନ୍ଧିତ ଖବର