କଳିଙ୍ଗନଗର ମହୋତ୍ସବ: ମାରାଥନ୍‌ରେ ହଜାର ହଜାର ପ୍ରତିଯୋଗୀ ସାମିଲ

ଦାନଗଦୀ : ବିଶାଳ ମାରାଥନ୍‌ ସହ ଗୁରୁବାର ସକାଳୁ ଆରମ୍ଭ ହୋଇଛି କଳିଙ୍ଗନଗର ମହୋତ୍ସବ। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରୀତିରଂଜନ ଘଡ଼ାଇ, ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀଙ୍କ ଉପସ୍ଥିତି ମାରାଥନ୍‌ ଦୌଡ଼ାଳିଙ୍କୁ ବେଶ୍‌ ଉତ୍ସାହିତ କରିଥିଲା। ହଜାର ହଜାର ପ୍ରତିଯୋଗୀ ଏହି ମଶାଲ ଦୌଡ଼ରେ ସାମିଲ ହୋଇଥିଲେ। ବିଜୁ ପଟ୍ଟନାୟକ ମାର୍ଗଠାରେ ଥିବା ବିଜୁବାବୁଙ୍କ ସ୍ମରକୀ ପୀଠରୁ ଏହି ମାରାଥନ ଆରମ୍ଭ ହୋଇ ତେଲିବାହାଳି ମହାପାଟ ମହୋତ୍ସବ ପଡ଼ିଆରେ ପହଞ୍ଚିଥିଲା। ଏହି ମାରାଥନ୍‌କୁ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ତଥା ପଦ୍ମଶ୍ରୀ ଦିଲୀପ ତିର୍କୀ ଓ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ ମଶାଲ ଓ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ମହୋତ୍ସବକୁ ଏକ ଷ୍ଟିଲ ହବ୍‌ ଭାବେ ପରିଗଣିତ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଅତିଥି କହିଥିଲେ। ଆମ ରାଜ୍ୟ ଦୁଇଥର ହକି ବିଶ୍ୱକପ୍‌ ଆୟୋଜନ କରିବା ଗୌରବର ବିଷୟ ବୋଲି ଦିଲୀପ ତିର୍କୀ କହିଥିଲେ। ୧୯୯୨ ରେ କଳିଙ୍ଗନଗରରେ ଶିଳ୍ପ ପ୍ରତିଷ୍ଠା ଲକ୍ଷ୍ୟ ନେଇ ବିଜୁବାବୁ ଯେଉଁ ସ୍ବପ୍ନ ଦେଖିଥିଲେ, ତାହା ଆଜି ସାକାର ହୋଇଛି। ଆଗାମୀ ଦିନରେ କଳିଙ୍ଗନଗରରୁ ୩୦ ନିୟୁତ ଟନ୍‌ ଇସ୍ପାତ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି ବୋଲି ମନ୍ତ୍ରୀ ଇଂ. ଘଡ଼ାଇ କହିଥିଲେ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଏସ୍‌. ଟପ୍ପୋ, ଦାନଗଦୀ ବ୍ଲକ ଅଧ୍ୟକ୍ଷା ଅର୍ଚ୍ଚନା ଦାସ, ଉପାଧ୍ୟକ୍ଷ ଅଜୟ ବିନ୍ଧାଣି, ସୁକିନ୍ଦା ବ୍ଲକ ଅଧ୍ୟକ୍ଷ ଦିବ୍ୟରଞ୍ଜନ ବରାଳ, ଉପାଧ୍ୟକ୍ଷା ଭାଗ୍ୟଲଷ୍ମୀ ରାଉତ, ଜିଲ୍ଲାପରିଷଦ ସଭ୍ୟା ସୁଚିତ୍ରା ବିଶ୍ୱାଳ, ଟିନା ହାଇବ୍ରୁ, ସ୍ମୃତିରାଣୀ ରାଉତ, ସୁକିନ୍ଦାର ପୂର୍ବତନ ଅଧ୍ୟକ୍ଷା ପଦ୍ମାବତୀ ଜେନା, ମନ୍ତ୍ରୀଙ୍କ ପ୍ରତିନିଧି ତଥା ଯୁବବିଜେଡି ନିର୍ବାଚନମଣ୍ଡଳୀ ସଭାପତି ପ୍ରଦୀପ କୁମାର ମହାନ୍ତି ଯୋଗଦେଇଥିଲେ। ଏହି ମାରାଥନ୍‌ରେ ବହୁ ସ୍ବେଚ୍ଛାସେବୀ, ମହିଳାଙ୍କ ସମେତ ପ୍ରାୟ ୪ ହଜାର ପ୍ରତିଯୋଗୀ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର