ଯାଜପୁର: କଳିଙ୍ଗନଗର ଶିଳ୍ପାଞ୍ଚଳ ଗଠନ କରିବାକୁ ସ୍ବପ୍ନ ଦେଖିଥିଲେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ। ସ୍ବପ୍ନ ସାକାର ବି ହେଲା। ଯାଜପୁର ଜିଲ୍ଲାର କଳିଙ୍ଗନଗର ଏବେ ଦେଶର ଇସ୍ପାତ୍‌ ରାଜଧାନୀ। ଏଠାରେ ୧୬ଟି ବୃହତ୍‌ କାରଖାନା ଗଢ଼ି ଉଠିଛି। ଟାଟା, ଜିନ୍ଦଲ ଭଳି ବଡ଼ବଡ଼ ଶିଳ୍ପସଂସ୍ଥା ଏଠାରେ ଲକ୍ଷାଧିକ କୋଟି ଟଙ୍କାର ପୁଞ୍ଜି ନିବେଶ କରିଛନ୍ତି। ଇତିମଧ୍ୟରେ ଶିଳ୍ପ ସଂଖ୍ୟା ବଢ଼ିଛି। ଶିଳ୍ପର କଳେବର ମଧ୍ୟ ବୃଦ୍ଧିପାଇଛି। ମାତ୍ର ଏଯାଏଁ ଯୋଜନାବଦ୍ଧ ସହର ନିର୍ମାଣ ହୋଇପାରିନି। ଜମି, ଘର ହରାଇଥିବା ବିସ୍ଥାପିତ ଭୂମିପତ୍ରଙ୍କ ସ୍ବପ୍ନ ଚୂରମାର୍‌ ହୋଇଯାଇଛି। କାରଖାନା ଜନିତ ପ୍ରଦୂଷଣରେ ଅଧା ଯାଜପୁର ଯନ୍ତ୍ରଣାରେ ଛଟପଟ ହେଉଛି। ଧୂଳିଧୂଆଁରେ ସୁକିନ୍ଦା, ଦାନଗଦୀ ବ୍ଲକ୍‌ ସମେତ ଏହାର ଆଖପାଖ ଅଞ୍ଚଳ କଲବଲ ହେଉଛନ୍ତି। ଏଠାରେ ବିକାଶ ଭୂଇଁରୁ ଉଠିପାରୁନି।

Advertisment

 ଅନ୍ୟପଟେ କଳିଙ୍ଗନଗରର ସ୍ରଷ୍ଟା (ବିଜୁବାବୁ)ଙ୍କୁ ମଧ୍ୟ ଆଡ଼ ଆଖିରେ ଚାହୁଁନାହାନ୍ତି। ବିଜୁବାବୁ ଯେଉଁ ସ୍ଥାନରେ କଳିଙ୍ଗନଗରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ତାହା ଏବେ ଏକ ପରିତ୍ୟକ୍ତ ଜଂଗଲ ହୋଇଛି। ବିଜୁପାର୍କ ନଷ୍ଟ ହୋଇଯାଇଛି। ଭିତ୍ତିପ୍ରସ୍ତର ସ୍ମାରକୀର ମଧ୍ୟ ରକ୍ଷଣାବେକ୍ଷଣ କରାଯାଉନାହିଁ। ଗୋଟିଏ ଇସ୍ପାତ କାରଖାନା ପାଇଁ ରାଉରକେଲା ସହର ଗଢ଼ିଉଠିଛି। ଏହି ସହର ରାଜ୍ୟର ଏକ ପ୍ରମୁଖ ସହରର ମାନ୍ୟତା ପାଇଛି। ମାତ୍ର ସେହି ତୁଳନାରେ କଳିଙ୍ଗନଗରର ବିକାଶ ହୋଇପାରିଲା ନାହିଁ। ଇଡ୍‌କୋ, ଜେସିଡିଏଲ୍‌, କେଏନ୍‌ଡିଏ ଭଳି ସଂସ୍ଥା ବିକାଶ ପାଇଁ କାର୍ଯ୍ୟ କରୁଥିଲେ ବି କଳିଙ୍ଗନଗର କିଭଳି ଏକ ବ୍ୟବସ୍ଥିତ(ପ୍ଲାନିଂ) ସହର ହୋଇପାରିବ ତା’ର ଯୋଜନା ପ୍ରସ୍ତୁତ କଲେନାହିଁ।

ଗଢ଼ି ଉଠୁଛି ୧୬ ବୃହତ୍‌ ଶିଳ୍ପ, ନାହିଁ ଶିଳ୍ପ ସହର
ସ୍ଥାଣୁ ପାଲଟିଛି ଇଡ୍‌କୋ, ଜେସିଡିଏଲ୍‌, କେଏନ୍‌ଡିଏ 
ପ୍ରଦୂଷଣ ଯନ୍ତ୍ରଣାରେ କଲବଲ ଅଧା ଯାଜପୁର

ପ୍ରକାଶ ଯେ, ୧୯୯୨ ମେ୧୦ରେ  ଯାଜପୁର ଜିଲ୍ଲାର କଳିଙ୍ଗନଗରକୁ ଶିଳ୍ପାଞ୍ଚଳ ଭାବେ ଗଢ଼ି ତୋଳିବା ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଯଖପୁରା ନିକଟରେ ୩ଟି କଦମ୍ବଗଛ ଲଗାଇ ସ୍ବରାଜ ପଲ୍‌ଙ୍କ ଦ୍ବାରା ଦ୍ବିତୀୟ ଇସ୍ପାତ୍‌ କାରଖାନା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସେଠାରେ ବିଜୁ ପଟ୍ଟନାୟକ ପାର୍କ ନିର୍ମାଣ ହୋଇଥିଲା। ହେଲେ ଶିଳ୍ପପତି ସ୍ବରାଜ ପଲ୍‌ କଳିଙ୍ଗନଗରରେ ଶିଳ୍ପ ପ୍ରତିଷ୍ଠା ପ୍ରତିଶ୍ରୁତିରୁ ଓହରି ଯାଇଥିଲେ। ପର୍ଯ୍ୟାୟ କ୍ରମେ ଏଠାରେ ଗୋଟିଏ ଇସ୍ପାତ କାରଖାନା ପରିବର୍ତ୍ତେ ୧୬ଟି ବୃହତ୍‌ ଶିଳ୍ପ ମୁଣ୍ଡଟେକିଛି। ବ୍ରାହ୍ମଣୀ ନଦୀର ପାଣି ଓ ଏହାର ବାମପାର୍ଶ୍ବରେ ବିସ୍ତାରିତ ଶହଶହ ଏକର ଜମି, ନିକଟରେ ‌ଦୈତାରୀ ଲୁହାପଥର ଖଣି, କାଳିଆପାଣିର କ୍ରୋମ୍‌ ଉପତ୍ୟକା ଓ ପଡ଼ୋଶୀ କେନ୍ଦୁଝର ଜିଲ୍ଲାର ଲୁହାପଥରକୁ ଦୃଷ୍ଟିରେ ରଖି ବିଜୁ ପଟ୍ଟନାୟକ ଏଠାରେ ବିପୁଳ ସମ୍ଭାବନାର ସ୍ବପ୍ନ ଦେଖିଥିଲେ। ତାହା ଏବେ ବାସ୍ତବ ରୂପ ନେଇଛି। କଳିଙ୍ଗନଗର ଶିଳ୍ପାଞ୍ଚଳ ଆଜି ଇସ୍ପାତ ରାଜଧାନୀରେ ପରିଣତ ହୋଇଛି। ମାତ୍ର ଦିଗହରା ଯୋଜନା ଯୋଗୁଁ କଳିଙ୍ଗନଗର ଅଞ୍ଚଳବାସୀଙ୍କ ସାମଗ୍ରିକ ବିକାଶ ଅଣ୍ଠେଇ ପଡ଼ିଛି।

 ଶିଳ୍ପ ସଂଖ୍ୟା ବୃଦ୍ଧି ଯୋଗୁଁ ପ୍ରଦୂଷଣ, ବିସ୍ଥାପନ ବଢ଼ିଛି। ବେକାରୀ ସମସ୍ୟାର ସମାଧାନ ହୋଇପାରି ନାହିଁ। ଅଞ୍ଚଳକୁ ସ୍ବତନ୍ତ୍ର ପରିଚୟ ଦେଇଥିବା ଜନନାୟକଙ୍କ ଭିତ୍ତିପ୍ରସ୍ତର ସ୍ମାରକୀର ରକ୍ଷଣାବେକ୍ଷଣ କରିବାରେ ପ୍ରଶାସନ ବିଫଳ ହୋଇଛି। ଭିତ୍ତିପ୍ରସ୍ତର ଫଳକ ଭୁଶୁଡ଼ିବାକୁ ବସିଛି। ବିଜୁ ପଟ୍ଟନାୟକଙ୍କ ନାମଫଳକରୁ ଅଧା ଅକ୍ଷର ନଷ୍ଟ ହୋଇଗଲାଣି। ପାର୍କଟି ପରିତ୍ୟକ୍ତ। ଏଠାରେ ୨୦୧୮ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିତା ବିଜୁ ପଟ୍ଟନାୟକଙ୍କ କଦମ୍ବ ଗଛ ବଦଳରେ ପାସ୍ତା ଗଛ ଲଗାଇଥିଲେ। ତାହା ବି ଆଜି ନାହିଁ। ଅଞ୍ଚଳର ବିକାଶ ପାଇଁ ଥିବା କେଏନ୍‌ଡିଏ, ଜେସିଡିଏଲ ଓ ଇଡ୍‌କୋ ଭଳି ଏକାଧିକ ସରକାରୀ ସଂସ୍ଥା କାଗଜପତ୍ରରେ କାମ କରୁଛନ୍ତି। ଶିଳ୍ପପତିଙ୍କ ସ୍ବାର୍ଥ ବ୍ୟତୀତ ଅଞ୍ଚଳବାସୀଙ୍କର ବିକାଶ ପ୍ରତି ଉକ୍ତ ସଂସ୍ଥାର ଅଧିକାରୀ ଦୃଷ୍ଟି ଦେଉନାହାନ୍ତି। ଯେଉଁଥି ପାଇଁ କଳିଙ୍ଗନଗର ଏବେ ଶ୍ରୀହୀନ। ଶିଳ୍ପାୟନ ବିରୋଧରେ ଜନମତ ବୃଦ୍ଧି ପାଉଥିବା ବେ‌ଳେ ଆଞ୍ଚଳିକ ଅବ୍ୟବସ୍ଥାକୁ ଲକ୍ଷ୍ୟକରି ଶିଳ୍ପ ସ୍ଥାପନ ପାଇଁ ବିଦେଶୀ ଶିଳ୍ପପତିମାନେ ଦ୍ବିଧାରେ ପଡ଼ୁଛନ୍ତି। କଳିଙ୍ଗନଗର ଅଞ୍ଚଳର ସମୂହ ବିକାଶ ପ୍ରତି ଶିଳ୍ପପତି, ଲୋକ ପ୍ରତିନିଧି ଓ ସରକାରୀକଳ ଦୃଷ୍ଟି ଦେବାକୁ ଦାବି ହୋଇଛି।