କଳିଙ୍ଗନଗର ମହୋତ୍ସବ ଉଦ୍‌ଯାପିତ

ଯାଜପୁର/ଦାନଗଦୀ: ରାଜ୍ୟର ସର୍ବବୃହତ୍‌ ଶିଳ୍ପାଞ୍ଚଳ କଳିଙ୍ଗନଗର ଦେଶ ନୁହେଁ ଏସିଆ ମହାଦେଶର ଉଜ୍ଜ୍ବଳ ଭବିଷ୍ୟତର କେନ୍ଦ୍ରବିନ୍ଦୁ ହେବାକୁ ଯାଉଛି। ବାଣିଜ୍ୟ ସାମ୍ରାଜ୍ୟର କେନ୍ଦ୍ର କଳିଙ୍ଗନଗର ଶିଳ୍ପାଞ୍ଚଳ‌ରେ ନିଜନିଜ ଶିଳ୍ପ ପ୍ରତିଷ୍ଠା ପାଇଁ ଶିଳ୍ପପତିମାନଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଏହାର ସୁଯୋଗ ଆମେ କୌଣସି ପ୍ରକାର ହାତଛଡ଼ା କରିବା ଉଚିତ ନୁହେଁ ବୋଲି ଶିଳ୍ପ ଓ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ ଆଜି ଷ୍ଟିଲ୍ କନକ୍ଲେଭ୍-୨୦୨୩ର ଉଦ୍‌ଯାପନ ଉତ୍ସବର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି।

ଦାନଗଦୀ ବ୍ଲକ୍‌ ମଙ୍ଗଳପୁର ପଞ୍ଚାୟତର ମା’ ମହାପାଟ ପଡ଼ିଆରେ ୫ଦିନ ବ୍ୟାପୀ ଚାଲିଥିବା ଷ୍ଟିଲ୍ କନକ୍ଲେଭ୍-୨୦୨୩ ମହୋତ୍ସବ ଆଜି ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଛି। ଉତ୍ସବର ମୁଖ୍ୟ ଅତିଥି ଶ୍ରୀ ଦେବ କହିଛନ୍ତି ୨୦୩୬ରେ ଆମ ରାଜ୍ୟ ପ୍ରତି‌ଷ୍ଠାର ଶହେ ବର୍ଷ ପୂର୍ତ୍ତି ପାଳନକୁ ଲକ୍ଷ୍ୟ କରି ଓଡ଼ିଶାକୁ ବିକାଶର ସବୁ‌ କ୍ଷେତ୍ରରେ ଏକ ନମ୍ବର କରିବା ପାଇଁ ରାଜ୍ୟ ସରକାର ଖସଡ଼ା ପ୍ରସ୍ତୁତ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିକାଶର ଧାରାକୁ ତ୍ବରାନ୍ବିତ କରାଯାଉଛି। ପାରାଦୀପ ଓ ସର୍ବାଧିକ ଗଭୀର ଧାମରା ବନ୍ଦର ସହିତ ଭଦ୍ରକକୁ ବୟନଶିଳ୍ପ ପାର୍କର କେନ୍ଦ୍ରରେ ଥିବା କଳିଙ୍ଗନଗର ଭବିଷ୍ୟତ ବେଶ ଉଜ୍ଜ୍ବଳ। ଏଥି ମଧ୍ୟରେ ୨୨ଟି ଶିଳ୍ପ କଳିଙ୍ଗନଗରକୁ ଆସିଥିବା ବେଳେ ୭୨ଶିଳ୍ପ ଏହି ଅଞ୍ଚଳକୁ ଆସିବା ପାଇଁ ଆବେଦନ କରିଛନ୍ତି ବୋଲି ଶିଳ୍ପମନ୍ତ୍ରୀ ଶ୍ରୀ ଦେବ କହିଛନ୍ତି।

ଦେଶରୁ ୨୪୦ ମିଲିୟନ ଟନ ଇସ୍ପାତ ୨୦୩୦ ମସିହା ସୁଦ୍ଧା ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ ସେଥିରୁ ୧ଶହ ମିଲିୟନ ଟନ ଓଡ଼ିଶାରୁ ଉତ୍ପାଦନ ହେବ। ସେଥିରୁ ସିଂହଭାଗ କଳିଙ୍ଗନଗର ଯୋଗାଇବ ବୋଲି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପ୍ରଦୂଷଣ ଓ ଜମି ଅଧିଗ୍ରହଣକୁ ନେଇ ବିରୋଧ କଲେ ବିକାଶ ଅଟକିଯିବ। ବିଜୁବାବୁଙ୍କ କଦମ୍ବଗଛ ଲଗାଇ ‌ଯେଉଁ ବିକାଶ ଧାରା ଆରମ୍ଭ କରିଥିଲେ। ତାହା ଏବେ ଶିଖରରେ ପହଞ୍ଚିବାକୁ ଯାଇଛି ବୋଲି ମନ୍ତ୍ରୀ କହିଥିଲେ। ସମ୍ମାନିତ ଅତିଥି ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ କହିଲେ ଉତ୍ସବ ମାଧ୍ୟମରେ ମନୋରଞ୍ଜନ ସହିତ ପରିବର୍ତ୍ତନ ସ୍ଥିତି, ଅର୍ଥନୀତି କ୍ଷେତ୍ରର ଅଗ୍ରଗତି ପ୍ରତିଫଳିତ ହୋଇଥାଏ। ଆମ ରାଜ୍ୟର ଅନ୍ୟନାମ ଥିଲା କଳିଙ୍ଗ। କଳିଙ୍ଗକୁ ବିଶ୍ବସ୍ତ‌ରରେ ପହଞ୍ଚାଇବାକୁ ପାଇଁ ବିଜୁବାବୁ ସବୁ କ୍ଷେତ୍ରରେ ଉଦ୍ୟମ ଆରମ୍ଭ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ପୂର୍ବତନ ଅର୍ଥମନ୍ତ୍ରୀ ଡକ୍ଟର ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ କହିଲେ, ଶିଳ୍ପ ଓ ଖଣିଜ ସମ୍ପଦର ସୁବିନିଯୋଗ ହୋଇପାରିଲେ ଅର୍ଥନୀତି ବିକଶିତ ‌ହୋଇପାରିବ। ୨୦୦୦ ପୂର୍ବରୁ ରାଜ୍ୟର ବଜେଟ ମାତ୍ର ୧୦ହଜାର କୋଟି ଟଙ୍କା ମଧ୍ୟରେ ସୀମିତ ରହୁଥିବା ବ‌େଳେ ଏବେ ୨ଲକ୍ଷ କୋଟିକୁ ଅତିକ୍ରମ କରିଛି। ପୁଞ୍ଜିପତିମାନେ ଏବେ ଓଡ଼ିଶାମୁହାଁ। ଶିଳ୍ପ ବିକାଶ ସହିତ ଭିତ୍ତିଭୂମି ଓ ସ୍ଥାନୀୟ ଅଞ୍ଚଳର ସମସ୍ୟା ସାମାଧାନ କରିବାକୁ ଶିଳ୍ପମନ୍ତ୍ରୀ ଧ୍ୟାନ ଦେବାକୁ ଡକ୍ଟର ଘଡ଼ାଇ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର