ଭଦ୍ରକ: ଗତକାଲି ଠାରୁ ଭଦ୍ରକରେ ପ୍ରସିଦ୍ଧ କାଳୀପୂଜା ଆରମ୍ଭ ହୋଇଛି। କାଳୀପୂଜା ପାଇଁ ଉତ୍ସବ ମୁଖର ହୋଇଛି ଭଦ୍ରକ ସହର ଠାରୁ ଗାଁ। ମା’ଭଦ୍ରକାଳୀ ପୀଠ, ମା’ପଥରକାଳୀ ପୀଠ, ମା’ ଦକ୍ଷିଣେଶ୍ବର କାଳୀ ପୀଠ, ମା’କୁଣ୍ଡିକାଳୀ ପୀଠରେ କାଳୀପୂଜା ଧୂମ୍ଧାମ୍ରେ ପାଳନ କରାଯାଇଛି। ଚରମ୍ପାର ପ୍ରସିଦ୍ଧ କାଳୀପୂଜା ନିଆରା ଆକର୍ଷଣ ଆଣିଛି। ଚରମ୍ପାର ପଥରକାଳୀ ପୂଜା କମିଟି ପକ୍ଷରୁ ମା’କାଳୀଙ୍କର ମେଢ ବେଶ୍ ଆକର୍ଷଣୀୟ ହୋଇଛି। ଗତକାଲି ଏଠାରେ ଯଥାରୀତି ପୂଜାର୍ଚ୍ଚନା କରାଯାଇଛି। ସେହିପରି ମା’ ଭଦ୍ରକାଳୀ ପୀଠରେ ଗତକାଲି ସକାଳେ କଳସ ଶୋଭାଯାତ୍ରା ହୋଇଥିଲା। ପ୍ରଥମ ଦିନରେ ମା’ ଭଦ୍ରକାଳୀ ବେଦମାତା ବେଶରେ ପୂଜା ପାଇଥିବା ବେଳେ ଆଜି ଦ୍ଵିତୀୟ ଦିନରେ ମା’ ଭଦ୍ରକାଳୀ ମହାକାଳୀ ବେଶରେ ପୂଜା ପାଇଛନ୍ତି। ସୂର୍ଯ୍ୟପରାଗ ଥିବାରୁ ମା’ ଭଦ୍ରକାଳୀ ଭୋର ୪ଟାରୁ ପୂଜା ପାଇଛନ୍ତି। ମା’ଙ୍କ ମହାକାଳୀ ବେଶ ଦର୍ଶନ ପାଇଁ ହଜାର ହଜାର ଭକ୍ତ ରୁଣ୍ଡ ହୋଇଥାନ୍ତେ।
ମାତ୍ର ସୂର୍ଯ୍ୟପରାଗ କଟକଣା ପାଇଁ ସମସ୍ତ ନୀତିକାନ୍ତି ଓ ପୂଜାର୍ଚ୍ଚନା ବନ୍ଦ ରହିଛି। ଆସନ୍ତାକାଲି ତୃତୀୟ ଦିନରେ ମା’ଭଦ୍ରକାଳୀ ରାଜରାଜେଶ୍ୱରୀ ବେଶରେ ପୂଜା ପାଇବେ। ପ୍ରଥମ ଦିନରେ ମାଙ୍କ ପୂଜା ପାଇଁ ହଜାର ହଜାର ଭକ୍ତ ମା’ଙ୍କ ମନ୍ଦିରକୁ ଆସି ପୂଜାର୍ଚ୍ଚନା କରିବା ସହ ଦୀପଦାନ କରିଥିଲେ। ମା’ଙ୍କ ପୀଠରେ ୭ ଦିନ ଧରି ପୂଜା ଚାଲିବ। ସାତ ଦିନରେ ସାତଟି ବେଶରେ ମା ଭଦ୍ରକାଳୀ ପୂଜା ପାଇବେ। ସେହିପରି ଚରମ୍ପାର ଟ୍ରାଫିକ୍ କାଳୀମେଢ, ପିଡବ୍ଲୁଡି କାଳୀମେଢ, ଡଗରାସାହି କାଳୀ ମେଢ, ପାଟଣାସାହି କାଳୀମେଢ, ଚରମ୍ପା ସ୍କୁଲ ରୋଡ କାଳୀମେଢ, ବାସନ୍ତୀ ଦୁର୍ଗା କାଳୀ ମେଢ, ଏରେଇ କାଳୀ ମେଢ, ପଥରଆଡି କାଳୀମେଢ, ବାଇପାସ୍ କାଳୀ ମେଢ଼, କୁଆଁଶ ଛକ ଶନିମନ୍ଦିର କାଳୀମେଢ, ବାଗୁରାଇ, ବରପଦା କାଳୀ ମେଢର ପୂଜା ଉତ୍ସବ ମହାସମାରୋହରେ ପାଳିତ ହେଉଛି। ସେହିପରି ଭଦ୍ରକର ନୂଆ ବସ୍ଷ୍ଟାଣ୍ଡ ଛକ ନିକଟସ୍ଥ ମା’ଦକ୍ଷିଣକାଳୀ ମନ୍ଦିରରେ ମାଆଙ୍କର ପୂଜା ପାଳିତ ହୋଇଛି। ୭ ଦିନ ଧରି ଏଠାରେ ମା’ଙ୍କର ପୂଜା ଅନୁଷ୍ଠିତ ହେବ। ସେହିପରି ମା’ ପଥର କାଳୀଙ୍କ ପୀଠରେ ମା’ଙ୍କ ପୂଜା ଯଥାରୀତି ଆରମ୍ଭ ହୋଇଥିବା ବେଳେ ଏଠାରେ ମଧ୍ୟ ୭ ଦିନ ଧରି ପୂଜା ହେବ। ପଥରକାଳୀ ପୀଠର ତୋରଣ ବେଶ୍ ଆକର୍ଷଣୀୟ ହୋଇଛି। କାଳୀପୂଜାକୁ ଶୃଙ୍ଖଳାର ସହ ପାଳନ କରିବା ପାଇଁ ସବୁ ପୂଜା କମିଟିର କର୍ମକର୍ତ୍ତା ଓ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ସହରରେ ବିଭିନ୍ନ ସ୍ଥାନରେ ପୁଲିସ ଫୋର୍ସ ମୁତୟନ କରାଯାଇଛି।