କଲମାର ୪୨, କେଲୋର ୮ ଗେଟ୍‌ ଖୋଲିଲା, ହୀରାକୁଦ ଜଳସ୍ତର ୬୦୦.୧୭ ଫୁଟ

ସମ୍ବଲପୁର : ଛତିଶଗଡ଼ ସରକାର ମହାନଦୀ ଉପରେ କଲମାଠାରେ ଥିବା ବ୍ୟାରେଜର ୪୨ଟି ଗେଟ୍‌ ଏବଂ କେଲୋର ୮ଟି ଗେଟ ଖୋଲିଛନ୍ତି। ଏହାଯୋଗୁଁ ମହାନଦୀରେ ଜଳପତ୍ତନ ବଢ଼ିବାକୁ ଯାଉଛି। ଅବଶ୍ୟ ଏହି ପାଣି ହୀରାକୁଦ ଜଳଭଣ୍ଡାର ଉପରେ ବିଶେଷ ପ୍ରଭାବ ପକାଇବ ନାହିଁ କି ବଡ଼ ବନ୍ୟା ଆଶଙ୍କା ନାହିଁ ବୋଲି କହିଛନ୍ତି ହୀରାକୁଦ ନଦୀବନ୍ଧ ମୁଖ୍ୟ ଯନ୍ତ୍ରୀ ଜ୍ୟୋତି ରଥ।

ହୀରାକୁଦ ବନ୍ଧ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଆଜି ହୀରାକୁଦ ଜଳଣ୍ଡାରରେ ଜଳସ୍ତର ୬୦୦.୧୭ ଫୁଟ ରହିଥିଲା। ପ୍ରତି ସେକେଣ୍ଡରେ ୪୬୭୨ କ୍ୟୁସେକ ପାଣି ଜଳଭଣ୍ଡାରକୁ ପ୍ରବେଶ କରୁଥିଲା ଓ କେନାଲ ଦେଇ ୧୨୩୨୯ କ୍ୟୁସେକ ପାଣି ନିଷ୍କାସିତ ହେଉଥିଲା। ଗତ ବର୍ଷ ତୁଳନାରେ ଜଳଭଣ୍ଡାରରେ କମ ପାଣି ରହିଥିବାରୁ ଓ ଉପର ମୁଣ୍ଡରେ ବେଶି ବର୍ଷା ନଥିବାରୁ କଲମା ଓ କେଲୋ ଗେଟ୍‌ ଖୋଲିବା ପରେ ମଧ୍ୟ ହୀରାକୁଦ ଜଳସ୍ତର‌ ବେଶି ବଢ଼ିବ ନାହିଁ। ପରବର୍ତ୍ତୀ ସମୟରେ ଜଳଭଣ୍ଡାରରେ ସ୍ଥିତିକୁ ଦେଖି ହୀରାକୁଦ ଗେଟ୍‌ ଖୋଲିବା ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି।

ସୂଚନାଯୋଗ୍ୟ ଛତିଶଗଡ଼ କଲମା ବ୍ୟାରେଜରେ ସମୁଦାୟ ୬୬ଟି ଗେଟ ରହିଛି। ଏଥିରୁ ବର୍ତ୍ତମାନ ସୁଦ୍ଧା ୪୨ ଗେଟ ଖୋଲା ଯାଇଛି। ଏହି ବ୍ୟାରେଜରୁ ହୀରାକୁଦ ନଦୀବନ୍ଧ ମଧ୍ୟରେ ଦୂରତା ୮୩ କିଲୋମିଟର। ପାଣି ଏତିକି ବାଟ ଅତିକ୍ରମ କରି ଜଳଭଣ୍ଡାରରେ ପହଞ୍ଚିବା ପାଇଁ ପ୍ରାୟ ୧୦ରୁ ୧୨ ଘଣ୍ଟା ସମୟ ଲାଗିଥାଏ। ଅନ୍ୟଦିଗରେ କେଲୋ ବ୍ରିଜରୁ ହୀରାକୁଦ ମଧ୍ୟରେ ଦୂରତା ୨୦ କିଲୋମିଟର। ଏଠାରୁ ଜଳଭଣ୍ଡାରକୁ ପାଣି ପହଞ୍ଚିବା ପାଇଁ ୪ ଘଣ୍ଟା ଲାଗିଯାଏ। ଆଜି ଉପରମୁଣ୍ଡ ପାଣି କନକତୋରା ଅତିକ୍ରମ କରି ଜଳଭଣ୍ଡାରରେ ପ୍ରବେଶ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର