ଝାରସୁଗୁଡ଼ା : ମହାନଦୀର ଉପରମୁଣ୍ଡରେ ଅର୍ଥାତ୍‌ ଛତିଶଗଡ଼ରେ ମୌସୁମୀ ବର୍ଷା ଲାଗି ରହିଛି। ବର୍ଷାକୁ ଆଖି ଆଗରେ ରଖି ଛତିଶଗଡ଼ ସରକାର କଲ୍‌ମା ବ୍ୟାରେଜରୁ ବନ୍ୟାଜଳ ନିଷ୍କାସନ ଆରମ୍ଭ କରିଛନ୍ତି। ୨ ଦିନ ତଳେ କଲ୍‌ମାର ୫ଟି ଗେଟ୍‌ ଖୋଲାଥିବା ବେଳେ ଗତକାଲି ୪ଟିକୁ ବନ୍ଦ କରି ଦିଆଯାଇଥିଲା। ଆଜି ସକାଳୁ ପୁଣିଥରେ କଲ୍‌ମାର ୮ଟି ଗେଟ୍‌ ଖୋଲାଯାଇଥିଲା। ଫଳରେ ଶୁକ୍ରବାର ସକାଳ ୯ଟା ସୁଦ୍ଧା କଲ୍‌ମାର ୯ଟି ଗେଟ୍‌ ଦେଇ ମହାନଦୀକୁ ଜଳ ନିଷ୍କାସିତ ହେଉଛି। ବ୍ୟାରେଜର ୫୭ ନମ୍ବରର ୬୫ ନମ୍ବର ଯାଏ ଗେଟ୍‌ ଦେଇ ଜଳ ନିଷ୍କାସିତ ହେଉଥିଲା। ଛତିଶଗଡ଼ରୁ ମହାନଦୀରେ ବନ୍ୟାଜଳ ନିଷ୍କାସନ ପରେ ଏହାର ସିଧାସଳଖ ପ୍ରଭାବ ହୀରାକୁଦ ଜଳଭଣ୍ଡାରର ଜଳସ୍ତରରେ ଦେଖିବାକୁ ମିଳିଛି। ଗତକାଲି ସକାଳ ୯ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରକୁ ମାତ୍ର ୩୫୬ କ୍ୟୁସେକ୍‌ ପାଣି ପ୍ରବେଶ କରୁଥିବା ବେଳେ ଆଜି ସକାଳୁ ଏହା ବୃଦ୍ଧି ପାଇ ୯୫୨୩ କ୍ୟୁସେକ୍‌ରେ ପହଞ୍ଚିଛି। ଏହାଦ୍ବାରା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ମଧ୍ୟ ୦.୨୭ ଫୁଟ୍‌ ବୃଦ୍ଧି ପାଇଛି। ଆଜି ସକାଳ ସୁଦ୍ଧା ଜଳଭଣ୍ଡାରରେ ୬୦୦.୫୬ ଫୁଟ୍‌ ରହିଛି। ଗତବର୍ଷ ଏହିଦିନରେ ଜଳଭଣ୍ଡାରର ଜଳସ୍ତର ୬୦୦.୩୩ ଫୁଟ୍‌ ରହିଥିଲା।

Advertisment

ମହାନଦୀକୁ ବାଦ୍ ଦେଲେ ଛତିଶଗଡ଼ କେଲୋ ଡ୍ୟାମ୍‌ ଦେଇ ମଧ୍ୟ ଛତିଶଗଡ଼ ସରକାର ଓଡ଼ିଶାକୁ ପାଣି ଛାଡ଼ୁଛନ୍ତି। ମାତ୍ର କେଲୋ ଓ କଲ୍‌ମା ଦେଇ କେତେ ମାତ୍ରାରେ ପାଣି ଓଡ଼ିଶାକୁ ପଶୁଛି ତାହାର କୌଣସି ହିସାବ ଓଡ଼ିଶାରେ ରହୁନି। କେବଳ ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବେଶର ହାର ନେଇ ଯାହା ଆକଳନ କରୁଛନ୍ତି ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ। ହଠାତ୍‌ ଗୋଟିଏ ଦିନରେ ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବେଶର ହାର ଏତେ ମାତ୍ରାରେ ବୃଦ୍ଧି ପାଇବା ଚିନ୍ତାର କାରଣ ପାଲଟିଛି। କିନ୍ତୁ କଲ୍‌ମା ତଥା କେଲୋରୁ ଜଳ ନିଷ୍କାସନ ପୂର୍ବରୁ କି ପରେ ଛତିଶଗଡ଼ର ଜଳସମ୍ପଦ ବିଭାଗ ଓଡ଼ିଶା ସହ କୌଣସି ଆଲୋଚନା କରୁନଥିବା ସୂଚନା ମିଳିଛି। କେବଳ କେତେ ସଂଖ୍ୟକ ଗେଟ୍‌ ଖୋଲିଲା ସେନେଇ ପରଦିନ ସକାଳୁ ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷଙ୍କ ନିକଟକୁ ସୂଚନା ଆସୁଛି। ପୂର୍ବରୁ ଛତିଶଗଡ଼ ଓ ଓଡ଼ିଶା ଜଳସମ୍ପଦ ବିଭାଗ ମଧ୍ୟରେ ଏହି ତଥ୍ୟ ଆଦାନ ପ୍ରଦାନ ହେଉଥିଲା। ମାତ୍ର ଗତ ୩ ବର୍ଷ ହେବ ଏହା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଏନେଇ ଓଡ଼ିଶା ଜଳସମ୍ପଦ ବିଭାଗ ସିଡବ୍ଲୁସି (କେନ୍ଦ୍ରୀୟ ଜଳ ଆୟୋଗ)ଙ୍କ ନିକଟରେ ବି ଅଭିଯୋଗ କରିଛି। ମାତ୍ର କୌଣସି ସୁଫଳ ମିଳିନଥିବା ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

publive-image WordPress.com

ଏବେ ଜଳଭଣ୍ଡାର ଶୁଖିଲା ଥିବାରୁ ଛତିଶଗଡ଼ ମନଇଚ୍ଛା ପାଣି ଛାଡ଼ିବା ପରେ ବି ବିଶେଷ କୌଣସି ଫରକ ପଡ଼ୁନି। ମାତ୍ର ଜଳଭଣ୍ଡାର ଏହାର ସର୍ବୋଚ୍ଚ କ୍ଷମତା ଦେଇ ଗତି କରିବା ସମୟରେ ଛତିଶଗଡ଼ ସରକାର ଏଭଳି ମନଇଚ୍ଛା ପାଣି ଛାଡ଼ିଲେ ବିପଦ ସୃଷ୍ଟି ହୋଇପାରେ। ତେବେ ଆଜି ହୀରାକୁଦ ଜଳଭଣ୍ଡାରରେ ବର୍ଦ୍ଧିତ ଜଳସ୍ତର ଆଦୌ ଚିନ୍ତାଜନକ ନୁହେଁ ବୋଲି ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ କହିଛନ୍ତି । ୪ ଦିନ ହେବ ହୀରାକୁଦ ଡ୍ୟାମ୍‌ର ଉଭୟ ବିଜୁଳି ଉତ୍ପାଦନ କେନ୍ଦ୍ର କେବଳ ନାମକୁ ମାତ୍ର ପାଣି ନେଉଛନ୍ତି। ଗୁରୁବାରରୁ ଶୁକ୍ରବାର ମଧ୍ୟରେ ଜଳଭଣ୍ଡାରରୁ ବିଜୁଳି ଉତ୍ପାଦନ ପାଇଁ ମାତ୍ର ୧୮୯୯ କ୍ୟୁସେକ୍‌ ପାଣି ଯାଇଛି। ବିଜୁଳି ଉତ୍ପାଦନ ପାଇଁ ଆବଶ୍ୟକ ସର୍ବାଧିକ ୩୭ ହଜାର କ୍ୟୁସେକ୍‌ ପାଣି ଗୋଟିଏ ଦିନରେ ଯାଇପାରିବ। ତେଣୁ ବିଜୁଳି ଉତ୍ପାଦନ ବୃଦ୍ଧି ପାଇଲେ ଜଳସ୍ତର ଆପେ ନିୟନ୍ତ୍ରିତ ହୋଇଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।

ଉଭୟ କଲ୍‌ମା ବ୍ୟାରେଜ ଓ କେଲୋ ଡ୍ୟାମ୍‌ ଦେଇ ଛତିଶଗଡ଼ ବନ୍ୟାଜଳ ନିଷ୍କାସନ କରୁଛି। କଲ୍‌ମା ତୁଳନାରେ କେଲୋ ନଦୀ ଦେଇ ମହାନଦୀକୁ ଅଧିକ ଜଳ ପ୍ରବେଶ କରୁଛି। ଫଳରେ ଓଡ଼ିଶାରେ ମହାନଦୀର ପ୍ରବେଶସ୍ଥଳ କୁହାଯାଉଥିବା ଲଖନପୁର ବ୍ଲକ ଶୁଖାସୋଢ଼ାରେ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାବାଦ୍‌ କେଲୋର ପ୍ରବେଶସ୍ଥଳ ଲୁହାବଗା ଗ୍ରାମରେ ବି କେଲୋ ନଦୀ ଫୁଲିବାରେ ଲାଗିଛି। ଗତକାଲି ତୁଳନାରେ କେଲୋ ନଦୀରେ ଆଜି ଜଳସ୍ତର ପ୍ରାୟ ୬ ଇଞ୍ଚ ବଢ଼ିଥିବା ସ୍ଥାନୀୟ ଲୋକଙ୍କ ସୂତ୍ରରୁ ସୂଚନା ମିଳିଛି। ଆଜି ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ୧୩.୪୨ ମିମି ଓ ତଳ ମୁଣ୍ଡରେ ୨୫.୫୫ ବର୍ଷା ରେକର୍ଡ ହୋଇଛି।