ସମ୍ବଲପୁର: ଗ୍ରୀଷ୍ମଦିନେ ଛତିଶଗଡ଼ କଲ୍ମା ବ୍ୟାରେଜର ସବୁ ଗେଟ୍ ବନ୍ଦ କରିଥିଲା। ବର୍ଷା ଆଗମନ ପରେ ଗତବର୍ଷ ଭଳି ଏଥର ବି ଛତିଶଗଡ଼ ସରକାର କଲ୍ମା ବ୍ୟାରେଜ୍ର ସବୁ ୬୬ଟି ଯାକ ଗେଟ୍ ଖୋଲି ଦେଇଥିଲା। ମୌସୁମୀ ଫେରିଯିବା ପରେ ଛତିଶଗଡ଼ ସରକାର ଗତ ୧୭ ତାରିଖରୁ ଗେଟ୍ ପକାଇବା ଆରମ୍ଭ କରିଛନ୍ତି। ଗତ ୪ ଦିନ ମଧ୍ୟରେ ଛତିଶଗଡ଼ ସରକାର କଲ୍ମା ବ୍ୟାରେଜର ୫୨ଟି ଗେଟ୍ ବନ୍ଦ କରିସାରିଲେଣି। ମାତ୍ର, ୧୪ଟି ଗେଟ୍ ଦେଇ କଲ୍ମାରୁ ମହାନଦୀରେ ଜଳ ନିଷ୍କାସନ ଚାଲିଛି। ଆଉ ଏକ ସପ୍ତାହ ମଧ୍ୟରେ ଛତିଶଗଡ଼ ସରକାର କଲ୍ମାର ସବୁ ଗେଟ୍ ବନ୍ଦ କରିବା ଯୋଜନାରେ ଥିବା ଜଣାପଡ଼ିଛି। ଗେଟ୍ ବନ୍ଦ ହେବା ଯୋଗୁ ମହାନଦୀରେ ଜଳପ୍ରବାହ କମିଛି। ଆଜି ସନ୍ଧ୍ୟା ୬ଟାରେ ହୀରାକୁଦ ଜଳଭଣ୍ଡାରକୁ ମାତ୍ର ୧୪,୩୧୨ କ୍ୟୁସେକ୍ ପାଣି ପ୍ରବେଶ କରୁଛି।
ଶିଳ୍ପାନୁଷ୍ଠାନଗୁଡ଼ିକ କଲ୍ମା ବ୍ୟାରେଜର ପାଣି ଟାଣି ନେଉଥିବା କାରଣରୁ ମହାନଦୀରେ ଖୁବ୍ କମ୍ ପରିମାଣ ଛଡ଼ାଯାଉଛି।
ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶାକୁ ମହାନଦୀର ପ୍ରବେଶସ୍ଥଳଠାରୁ ଅଳ୍ପ କିଛି ଦୂରରେ ଛତିଶଗଡ଼ ସୀମାରେ ରହିଛି କଲ୍ମା ବ୍ୟାରେଜ୍। ପ୍ରାୟ ୧ କିଲୋମିଟର ୯୮ ମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ବ୍ୟାରେଜ ନିର୍ମାଣରେ ୧୮୨.୦୩ କୋଟି ଟଙ୍କା ଖର୍ଚ ହୋଇଛି। ୫୦.୩୯ ଏମ୍ସିଏମ୍ ଜଳଧାରଣ କ୍ଷମତା ବିଶିଷ୍ଟ ଏହି ବ୍ୟାରେଜରୁ ୮ଟି ଶିଳ୍ପାନୁଷ୍ଠାନକୁ ପାଣି ଯୋଗାଇବାକୁ ଚୁକ୍ତି ହୋଇଛି। କଲ୍ମା ଉପରେ ଛତିଶଗଡ଼ ସରକାର ଆହୁରି ୫ଟି ବ୍ୟାରେଜ ନିର୍ମାଣ କରି ମହାନଦୀ ପାଣିକୁ ଅଟକାଇ ରଖିଛନ୍ତି। ଶିଳ୍ପାନୁଷ୍ଠାନ ଅର୍ଥରେ ଏସବୁ ବ୍ୟାରେଜ ନିର୍ମାଣ କରିଥିବାରୁ ସେଠାରୁ କାରଖାନା ପାଇଁ ପାଣି ଯୋଗାଉଛନ୍ତି। ବର୍ଷାଦିନେ ବ୍ୟାରେଜରେ ପାଣି ଅଟକାଇ ରଖିଲେ ବନ୍ୟା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ, ଜୁନ୍ ମାସର ଶେଷ ଆଡ଼କୁ ଛତିଶଗଡ଼ ସରକାର କଲ୍ମାରୁ ଗେଟ୍ ଖୋଲିବା ଆରମ୍ଭ କରିଥାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/09/mahanandi-1_2395088_835x547-m.jpg)