କଳ୍ପନା ଦାଶ ଓ ଝିଅ ବବ୍‌ଲି ହତ୍ୟା ଘଟଣା: ଅନୁପଙ୍କ ରିମାଣ୍ଡ ଆବେଦନର ଶୁଣାଣି ଘୁଞ୍ଚିଲା

ବୋ‌ଲେରୋ ମା‌ଲିକ ସୁନୀଲଙ୍କୁ ପୁଲିସର ଜେରା, ଭୁବନେଶ୍ବରରେ ଛତିଶଗଡ଼ ପୁଲିସର ଖୋଳତାଡ଼

ଝାରସୁଗୁଡ଼ା: ବହୁଚର୍ଚ୍ଚିତ କଳ୍ପନା ଦାଶ ଓ ତାଙ୍କ ଝିଅ ବବ୍‌ଲି ଡବଲ ମର୍ଡର ଘଟଣାରେ ଗିରଫ ହୋଇ ଛତିଶଗଡ଼ର ରାୟଗଡ଼ ଜେଲରେ ଥିବା ପୂର୍ବତନ ବିଧାୟକ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ରିମାଣ୍ଡରେ ନେବା ପାଇଁ ମଙ୍ଗଳବାର ଚକ୍ରଧରନଗର ପୁଲିସ ଉଭୟଙ୍କୁ ରାୟଗଡ଼ ସିଜେଏମ୍‌ କୋର୍ଟରେ ହାଜର କରିଥିଲା। ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ ଟାରେ ଦୁହିଁଙ୍କୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପୁଲିସ ‌ରାୟଗଡ଼ ଜିଲ୍ଲା କାରାଗାରରୁ ଏକ ପୁଲିସ ଭ୍ୟାନ୍‌ରେ ଆଣି ଜିଲ୍ଲା କୋର୍ଟରେ ପହଞ୍ଚାଇବା ପରେ ଅପରାହ୍ଣ ସାଢ଼େ ୪ ଟାରେ କୋର୍ଟରେ ବିଚାରପତିଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା। ପୁଲିସ ପକ୍ଷରୁ ସରକାରୀ ଓକିଲ ବେଦପ୍ରକାଶ ପଟେଲ ମୁଦାଲାଙ୍କ ନାର୍କୋ ଟେଷ୍ଟ କରିବା ପାଇଁ ଏବଂ ସାତ ଦିନ ପାଇଁ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲେ। ସେପଟେ ଅଭିଯୁକ୍ତଙ୍କ ପକ୍ଷରୁ ଓକିଲ ବିଜୟ ସରାଫ କାଗଜପତ୍ର ପ୍ରସ୍ତୁତ କରିବା ପାଇଁ କୋର୍ଟଙ୍କୁ ସମୟ ମାଗିବାରୁ ଆଜି ପୁଲିସ ପକ୍ଷରୁ କରାଯାଇଥିବା ଆବେଦନର ଶୁଣାଣି ହୋଇ ପାରି ନଥିଲା। ବିଚାରପତି ଏହାର ଶୁଣାଣି ବୁଧବାରକୁ ସ୍ଥଗିତ ରଖିଥିଲେ। ଫଳରେ ଉଭୟଙ୍କୁ ପୁଲିସ ଜେଲ ହାଜତକୁ ଫେରାଇ ଆଣିଥିଲା। ଆସନ୍ତାକାଲି ପୁଣିଥରେ କୋର୍ଟରେ ହାଜର କରାଯିବ। ରିମାଣ୍ଡରେ ଉଭୟଙ୍କୁ ମୁହାଁମୁହିଁ କରି ପୁଲିସ ଜେରା କରିବାକୁ ଥିବା ବେଳେ ହତ୍ୟାକାଣ୍ଡ ସ୍ଥଳକୁ ନେଇ ପୁଣି ଥରେ ହତ୍ୟାକାଣ୍ଡର ଡେମୋ କରାଯିବ ବୋଲି ପୂର୍ବରୁ ଏସ୍‌ପି ସନ୍ତୋଷ ସିଂହ ଗଣମାଧ୍ୟମକୁ ସୂଚନା ଦେଇ ସାରିଛନ୍ତି।

ଆଜି ଅନୁପ ସାଏଙ୍କୁ ଜେଲରୁ କୋର୍ଟ ନିଆଯିବା ବେଳେ ପୂର୍ବଭଳି ନିରବ ରହିଥିଲେ। ତେବେ ଅନ୍ୟତମ ଅଭିଯୁକ୍ତ ବର୍ଦ୍ଧନକୁ କନକ ଟିଭି ପକ୍ଷରୁ ପଚରାଯିବାରୁ ସେ ହତ୍ୟା କରିଥିବା କଥାକୁ ଅସ୍ବୀକାର କରିଥିଲା।

ଚିନ୍ତା ବଢ଼ାଇଲା ବୋଲେରୋ:

ହତ୍ୟାକାଣ୍ଡରେ ଅନୁପଙ୍କ ବୋଲେରୋ ବ୍ୟବହାର ହୋଇଥିବା ନେଇ ପୁଲିସ ତାର ତଦନ୍ତ ରିପୋର୍ଟରେ ଉଲ୍ଲେଖ କରିଥିବା ବେଳେ ଘଟଣା ସମୟରେ ଅନୁପଙ୍କ ବୋଲେରୋ ବିକ୍ରି ହୋଇ ସାରିଥିଲା। ବୋଲେରୋ ବିକ୍ରି ପ୍ରସଙ୍ଗ ଏବେ ପୁଲିସକୁ ଦ୍ବନ୍ଦ୍ବରେ ପକାଇଥିବା ବେଳେ ଘଟଣାରେ ଇନୋଭା ବ୍ୟବହାର ନେଇ ନୂଆ ତଥ୍ୟ ପଦାକୁ ଆସିଛି। ଫଳରେ ଏହି ହତ୍ୟାକାଣ୍ଡ ସହିତ ଆହୁରି ଅଧିକ ଲୋକଙ୍କ ସଂପୃକ୍ତି ଥାଇପାରେ ବୋଲି ପୁଲିସ ସଂଦେହ କରିଛି। ‌ତେବେ ଅନୁପ ବିକ୍ରି କରିଥିବା ବୋଲେରୋକୁ ସୁନୀଲ ସାଇଦେଓ କିଣିଥିବା ବେଳେ ସେ ଏହାକୁ ଆଉଥରେ ଅନ୍ୟ ଜଣକୁ ବିକ୍ରି କରି ଦେଇଥିବା ଜଣାଯାଇଛି। ଏହି ଗାଡ଼ି ଗୁଜୁରାଟ ଯିବା ପାଇଁ ଆର୍‌ଟିଓ ଅଫିସ ଏନ୍ଓସି ମଧ୍ୟ ଦେଇ ସାରିଥିବାରୁ ଏହି ‌ବୋଲେରୋ ଏବେ କେଉଁଠି, ପୁଲିସ ତାହା ପତ୍ତା ଲଗାଇବାକୁ ଚେଷ୍ଟା କରୁଛି। ତେବେ ବୋଲେରୋ ମାଲିକାନାରେ ଏବେ ବି ସୁନୀଲ ସାଇଦେଓଙ୍କ ନାମରେ ଥିବାରୁ ପୁଲିସ ଆଜି ସୁନୀଲଙ୍କୁ ଚକ୍ରଧରନଗର ଥାନାକୁ ଡାକି ଜେରା କରିଥିବା ଜଣାଯାଇଛି।

ହାଜର ହୋଇ ନାହାନ୍ତି କଳ୍ପନାଙ୍କ ଭାଉଜ:
ସୋମବାର ଛତିଶଗଡ଼ ପୁଲିସର ଏକ ଟିମ୍‌ ବ୍ରଜରାଜନଗର ଆସି ଅନୁପ ସାଏଙ୍କ ପରିବାର ଲୋକଙ୍କ ସହିତ ସାକ୍ଷାତ କରିଥିବା ବେଳେ ବୋଲେ‌ରୋ ଓ ଇନୋଭାର କାଗଜପତ୍ର ପ୍ରସ୍ତୁତ କରି ଚକ୍ରଧରନଗର ଥାନାରେ ଜିମା ଦେବାକୁ ନୋଟିସ ଦେଇଥିଲେ। ପରେ ବଘରାଚକାରେ ରହୁଥିବା ମୃତ କଳ୍ପନାଙ୍କ ବିଧବା ଭାଉଜ ରୀନା ଦାଶଙ୍କୁ ମଧ୍ୟ ପୁଲିସ ସାକ୍ଷାତ କରି ଚକ୍ରଧରନଗର ଥାନାରେ ହାଜର ହୋଇ ବୟାନ ଦେବାକୁ ନୋଟିସ କରିଥିଲେ। ତେବେ ଆଜି ରୀନା ବୟାନ ଦେବାକୁ ଯାଇ ନଥିବା ବେଳେ ଇନୋଭା ଓ ବୋଲେରୋ ମଧ୍ୟ ଜିମା ‌ଦିଆଯାଇ ନଥିବା ଜଣାଯାଇଛି।

ଅନୁପ ଓ ବର୍ଦ୍ଧନଙ୍କୁ ମିଶିବାର ସୁଯୋଗ ଦିଆଯାଉନି:
ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଅଭିଯୋଗରେ ଗିରଫ ହୋଇ ରାୟଗଡ଼ ଜିଲ୍ଲା କାରାଗାରରେ ଥିବା ଅନୁପ ଓ ବର୍ଦ୍ଧନଙ୍କୁ ମିଶିବା ପାଇଁ ଦିଆଯାଉ ନଥିବା ଜଣାଯାଇଛି। ‌ଅନୁପଙ୍କୁ ୧୪ ତାରିଖଠାରୁ ଜେଲ ହାଜତରେ ରଖାଯାଇଥିବା ବେଳେ ବର୍ଦ୍ଧନଙ୍କୁ ୧୬ ତାରିଖଠାରୁ ଜେଲରେ ରଖାଯାଇଛି। ତେବେ ଉଭୟ ଅଭିଯୁକ୍ତ ଯେଭଳି ମିଶିବାର ସୁଯୋଗ ନପାଇବେ ସେଥିପାଇଁ ଜେଲ କର୍ତ୍ତୃପକ୍ଷ କଡ଼ା ନଜର ରଖିଥିବା ପ୍ରକାଶ। ଆଜି କୋର୍ଟରେ ଉଭୟଙ୍କୁ ହାଜର କରାଯିବା ବେଳେ ମଧ୍ୟ ଉଭୟଙ୍କୁ ଅଲଗା ଅଲଗା ହାଜତରେ ରଖାଯାଇଥିବା ଦେଖା ଯାଇଥିଲା।

ଭୁବନେଶ୍ବର: ମା’ ଝିଅଙ୍କୁ ଡବଲ୍ ମର୍ଡର ଘଟଣାରେ ଗିରଫ ପୂର୍ବତନ ବିଧାୟକ ଅନୁପ ସାଏ ଓ ସହଯୋଗୀ ଡ୍ରାଇଭର ସମ୍ପର୍କରେ ଅଧିକ ତଥ୍ୟ ପ୍ରମାଣ ଯୋଗାଡ଼ କରିବାରେ ଲାଗି ପଡ଼ିଛି ଛତିଶଗଡ଼ ପୁଲିସ। ଛତିଶଗଡ଼ ପୁଲିସର ତଦନ୍ତକାରୀ ଟିମ୍ ଆଜି ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚି ଛାନଭିନ୍ କରିଛି। ଅନୁପ ଏକାଧିକ ଥର କଳ୍ପନାଙ୍କ ସହ ଦିଲ୍ଲୀ, ବିଶାଖାପାଟଣା, ହାଇଦ୍ରାବାଦ, ଗୋଆ ସମେତ ଆଉ କେତେକ ସ୍ଥାନକୁ ବୁଲିବାକୁ ଯାଇଥିଲେ ବୋଲି ପୁଲିସ ଜେରା ବେଳେ ଜାଣିବାକୁ ପାଇଥିଲା। ‌ତେଣୁ ପ୍ରମାଣ ଯୋଗାଡ଼ କରିବା ଲାଗି ବିମାନ ଯାତ୍ରା ଟିକଟ ସଂଗ୍ରହ କରିବାକୁ ଛତିଶଗଡ଼ ପୁଲିସ ଆଜି ବିମାନବନ୍ଦରରେ ପହଞ୍ଚିଥିଲା। ବିମାନବନ୍ଦର ନିର୍ଦ୍ଦେଶକଙ୍କୁ ଭେଟିବା ପରେ ଟିକଟ ସଂଗ୍ରହ କରିବା ପାଇଁ ବିଭିନ୍ନ ଏୟାରଲାଇନ୍ସ ଅଫିସକୁ ଯାଇଥିଲା। ସେହି ଅଫିସ ଗୁଡ଼ିକରୁ ପୁଲିସ ଅନୁପ ଓ କଳ୍ପନାଙ୍କ ବିମାନ ଯାତ୍ରା ଟିକଟ ସଂଗ୍ରହ କରିଥିବା ଜଣାପଡ଼ିଛି। ଯାହା ପୁଲିସ ଲାଗି ଏକ ବଳିଷ୍ଠ ପ୍ରମାଣ ହେବ। କଳ୍ପନା ଓ ତାଙ୍କ ଝିଅଙ୍କୁ ଧରି ଅନୁପ ସୁନ୍ଦରପଦାର ଯେଉଁ କୋଠାରେ ରହୁଥିଲେ ସେ ସମ୍ପର୍କରେ ମଧ୍ୟ ପୁଲିସ ତଥ୍ୟ ହାସଲ କରିଛି। ଏ ସମ୍ପର୍କରେ ସମ୍ପୃକ୍ତ ଫ୍ଲାଟ୍ ମାଲିକଙ୍କଠାରୁ ତଥ୍ୟ ହାସଲ କରିଛି ତଦନ୍ତକାରୀ ଟିମ୍। ଏହା ବ୍ୟତୀତ କଳ୍ପନାଙ୍କ ଝିଅ ବବ୍‌ଲି ଯେଉଁ ସ୍କୁଲରେ ପଢୁଥିଲା ସେଠାରୁ ତାର ରେଜିଷ୍ଟର ଜବତ ବି କରିଛି। ଆଜି ଦିନତମାମ୍ ବିଭିନ୍ନ ସ୍ଥାନରେ ତଦନ୍ତ କରିବା ପରେ ଟିମ୍ ଫେରିଯାଇଛି। ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ ତଦନ୍ତକାରୀ ଅଧିକାରୀ ଗଣମାଧ୍ୟମ ଆଗରେ ମୁହଁ ଖୋଲି ନ ଥିଲେ। ତେବେ ବିମାନବନ୍ଦର ନିର୍ଦ୍ଦେଶକ କହିଛନ୍ତି, ଜଣେ ଯାତ୍ରୀଙ୍କର ତଥ୍ୟ ସଂଗ୍ରହ କରିବା ଲାଗି ଛତିଶଗଡ଼ ପୁଲିସ ଆସିଥିଲା। ତେଣୁ ସମ୍ପୃକ୍ତ ଯାତ୍ରୀଙ୍କ ସମ୍ପର୍କରେ ଏୟାରଲାଇନ୍ସରୁ ଖବର ସଂଗ୍ରହ କରିବା ପାଇଁ କୁହା ଯାଇଥିଲା।

ସମ୍ବନ୍ଧିତ ଖବର